ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 9 ତାରିଖ (ମଙ୍ଗଳବାର) ଜମ୍ମୁ କାଶ୍ମୀର ଗସ୍ତ କରିବେ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’କୁ ଶୁଭାରମ୍ଭ କରିବେ । 2024 ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଓ ଘାଟିରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶାହଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି ।
କେନ୍ଦ୍ର ସରକାର କାଶ୍ମୀରରେ ଜାରି ରଖିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶାହ ସମୀକ୍ଷା କରିବେ । କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ଶୀର୍ଷ ଅଧିକାରୀମାନେ ଶାହଙ୍କୁ ବର୍ତ୍ତମାନର ସ୍ଥିତି ଓ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିବେ । ଏହା ପରେ ସେ କେନ୍ଦ୍ର ସରକାର ସମଗ୍ର ଦେଶରେ ଜାରି ରଖିଥିବା ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ର ଶୁଭାରମ୍ଭ ମଧ୍ୟ କରିବେ । କେନ୍ଦ୍ରୀୟ ଯୋଜନାରେ କାଶ୍ମୀରକୁ ମିଳିଥିବା ଲାଭାଂଶ ସମ୍ପର୍କରେ ଶାହ ଏକ ସାଧାରଣ ସଭାରେ ସମ୍ବୋଧିତ ମଧ୍ୟ କରିବେ । ଏହା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । କାଶ୍ମୀର ପ୍ରଶାସନର ବିଭିନ୍ନ ବିଭାଗରେ ସ୍ଥାନୀୟ ଆଶାୟୀଙ୍କୁ ସେ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶାହ ଦିଲ୍ଲୀରେ ଘାଟିରେ ଆତଙ୍କବାଦ ଓ ସୁରକ୍ଷା ସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଉପରାଜ୍ୟପାଳ ମନୋଜ ସିହ୍ନା, ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ଅଟଳ ଦୁଲ୍ଲାଓ, ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ବାଇଁ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ସାମିଲ ହୋଇଥିଲେ । ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏକାଧିକ ସେନା ଜବାନ ଶହୀଦ ହେବା ପରେ ଶାହଙ୍କ ସମୀକ୍ଷା ବୈଠକ ସାମ୍ନାକୁ ଆସିଥିଲା ।
ଏହା ମଧ୍ୟ ପଢନ୍ତୁ :-ବ୍ୟାକଫୁଟରେ ମାଳଦ୍ବୀପ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା 3 ମନ୍ତ୍ରୀ ନିଲମ୍ବିତ
2024 ସାଧାରଣ ନିର୍ବାଚନର ମାତ୍ର କେଇ ମାସ ପୂର୍ବରୁ କାଶ୍ମୀର ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ମୁଖ୍ୟସ୍ରୋତକୁ ଫେରିଛି । ଧାରା-370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲା ଖାରଜ ହୋଇସାରିଛି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ସଠିକ ବୋଲି ରାୟ ଦେଇଛନ୍ତି । ଅନ୍ୟପଟେ ସଂସଦ ଶୀତ ଅଧିବେଶନରେ ମଧ୍ୟ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ଓ ପୁନର୍ଗଠନ (ସଂଶୋଧନ) ଅଧିନିୟମ ମଧ୍ୟ ପାରିତ ହୋଇସାରିଛି । କାଶ୍ମୀରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ମଧ୍ୟ ହୋଇସାରିଛି । ଏଥିରେ ପାକ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ଅବିଚ୍ଛେଦ୍ୟ ଅଂଶ ଭାବେ ବିଚାର କରି ସେଠାରେ ଆସନ ସଂରକ୍ଷିତ ରଖାଯାଇଛି । ସାଧାରଣ ନିର୍ବାଚନ ସହିତ କିମ୍ବା ଏହା ପରେ ଜମ୍ମୁ କାଶ୍ମୀରକୁ ରାଜ୍ୟପାହ୍ୟା ଫେରସ୍ତ ସହ କେନ୍ଦ୍ର ସରକାର ନିର୍ବାଚନ କରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ