ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ ଆଜି(ସୋମବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ବିବୃତ୍ତି ରଖିବେ । ଫେବ୍ରୁଆରୀ ୩ରେ ଅସଦୁଦ୍ଦିନ ଓଓ୍ବେସୀ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ତାଙ୍କ ଗାଡିକୁ ଗୁଳିମାଡ ହୋଇଥିଲା । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିଲା ।
ଘଟଣାକୁ ନେଇ ଆଜି ରାଜ୍ୟସଭାରେ ପୂର୍ବାହ୍ନ ୧୦ଟା ୩୦ ଓ ଲୋକସଭାରେ ଅପରାହ୍ନ ୪ଟାରେ ବିବୃତ୍ତି ରଖିବେ ଗୃହମନ୍ତ୍ରୀ ଅମିତ ଶାହା । ଓୱେସିଙ୍କ କାରକୁ ଗୁଳିମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ବାଦଲପୁରର ବାସିନ୍ଦା ସଚିନ ଶର୍ମା ଏବଂ ସାହାରନପୁରର ଶୁଭମ୍ ।
ଏହି ଘଟଣା ପରେ ଓଓ୍ବେସୀ ଲୋକସଭାରେ ତାଙ୍କ ପାଖରୁ Z କାଟାଗୋରି ସୁରକ୍ଷା ଫେରାଇ ନେବାକୁ କହିଥିଲେ । ମରଣକୁ ଡର ନାହିଁ । ସାଧାରଣ ଲୋକ ପରି ବ୍ୟବହାର କରାଯାଉ ଏବଂ ନ୍ୟାୟ ଦରକାର ବୋଲି କହିଥିଲେ ଓୱେସୀ । ଗୁଳିମାଡ ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ।
ପ୍ରକାଶ ଥାଉ କି, ଗତ ଫେବ୍ରୁଆରୀ ୩ ତାରିଖରେ ମିରଟର କୈଥଡ ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ ଓୱେସୀ । ତାଙ୍କ କାର ଦିଲ୍ଲୀ ଅଭିମୁଖେ ବଢୁଥିବାବେଳେ ଚାଜାର୍ସୀ ଟୋଲ୍ ପ୍ଲାଜା ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଗାଡି ଉପରେ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲ । କାରରେ ଏକାଧିକ ଗୁଳି ବାଜିଥିବା ବେଳେ କାରର ଟାୟାର ପମ୍ପଚର ହୋଇଯାଇଥିଲା । ତାଙ୍କୁ ଆଉ ଏକ ଗାଡିରେ ତୁରନ୍ତ ଉକ୍ତ ସ୍ଥାନରୁ ସୁରକ୍ଷିତ ଅନ୍ୟତ୍ର ନିଆଯାଇଥିଲା ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
@ANI