ଲକ୍ଷ୍ନୌ: କଂଗ୍ରେସ ସମେତ ୧୩ ବିରୋଧୀ ଦଳ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦକୁ ନେଇ ସଂସଦ ପ୍ରକ୍ରିୟାରେ ବାଧା ଉପୁଜାଇଥିବାରୁ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀଙ୍କ ଏହି କାର୍ଯ୍ୟ ଲାଗି ତାଙ୍କୁ ଦେଶବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ଶାହ । କୌଶମ୍ବି ଜିଲ୍ଲାରେ କୌଶମ୍ବି ଉତ୍ସବ ଉଦଘାଟନ ସମୟରେ ବିରୋଧୀଙ୍କ ଉପରେ ଶାହ ବର୍ଷିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରି ଶାହ କହଥିଲେ, "ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ସଂସଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି ବିରୋଧୀ ଦଳ । ଗଣତନ୍ତ୍ର ବିପଦରେ ନାହିଁ, ବରଂ ଏହା ଜାତିବାଦ ଓ ବଂଶବାଦ ହୋଇଯାଇଛି । ଯାହାକି ବାସ୍ତବରେ ଗଣତନ୍ତ୍ର ପାଇଁ ବିପଦ । ଗୁରୁବାର ବଜେଟ ଅଧିବେଶନ ଶେଷ ହୋଇଛି । ବିନା ଆଲୋଚନା ଓ ପ୍ରୋସିଡିଂରେ ଆଗରୁ କେବେ ଏପରି ଭାବରେ ବଜେଟ ଅଧିବେଶନ ସମାପ୍ତ ହୋଇନଥିଲା । ଏହା ଇତିହାସରେ ପ୍ରଥମ । ବିରୋଧୀ ଦଳ ସଂସଦ ପ୍ରକ୍ରିୟାକୁ ସଠିକ ଭାବରେ ଚଲାଇବାକୁ ଦେଲେ ନାହିଁ । ରାହୁଲଙ୍କ ସଦସ୍ୟତା ରଦ୍ଦ ନେଇ ହଟ୍ଟଗୋଳ କଲେ । ଏଥିଲାଗି ତାଙ୍କୁ ଦେଶବାସୀ କ୍ଷମା ଦେବେ ନାହିଁ ।"
ଏହା ବି ପଢନ୍ତୁ- ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି: ପାର୍ଲାମେଣ୍ଟରୁ ବିରୋଧିଙ୍କ ତ୍ରିରଙ୍ଗା ମାର୍ଚ୍ଚ
କେନ୍ଦ୍ର ଗୃହମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଅନେକ କିଛି କରିଛନ୍ତି । ଏହାପରେ ମଧ୍ୟ କଂଗ୍ରେସ ତାଙ୍କ ବିରୋଧରେ ଅପମାନଜନକ ବିବୃତ୍ତି ରଖୁଛି । ସବୁବେଳେ ସୋନିଆ ଗାନ୍ଧୀ ଓ ରାଜୀବ ଗାନ୍ଧୀ ମୋଦିଙ୍କ ପ୍ରତି ଅସହିଷ୍ଣୁ ହୋଇ ଅଶୋଭନୀୟ ମନ୍ତବ୍ୟ ରଖୁଛନ୍ତି । ହେଲେ ସାଧାରଣ ଜନତା ହେଉଛନ୍ତି ଦଳକୁ ସୁଦୃଢ କରିଛନ୍ତି । ଲୋକମାନେ ସବୁବେଳେ ବିଜେପିକୁ ସମର୍ଥନ କରିଆସୁଛନ୍ତି ।" ଏହି ଉଦଘାଟନୀ ଉତ୍ସବରେ ଅନେକ ରାଜ୍ୟ ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ଅନେକ ବିଜେପି ନେତା ଉପସ୍ଥିତ ରହିଥିଲେ ।
ସୂଚନା ଥାଉ କି ଗତ ମାର୍ଚ୍ଚ ୨୩ ତାରିଖରେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ରାହୁଲଙ୍କ ସାଂସଦ ପଦକୁ ରଦ୍ଦ କରିଥିଲେ । ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ପରେ ଲଗାତାର ଭାବେ ଆନ୍ଦୋଳନ କରିଆସୁଛି କଂଗ୍ରେସ । ଏହାଦ୍ବାରା ଗଣତନ୍ତ୍ରର ହତ୍ୟା ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ହେଲେ ପୂର୍ବରୁ ଏଭଳି ଅନେକ ରାଜନେତାଙ୍କ ସଦସ୍ୟତା ରଦ୍ଦ ହୋଇଛି, ରାହୁଲ ଗାନ୍ଧୀ ନୂଆ ନୁହନ୍ତି ବୋଲି କହିଛି ବିଜେପି ।