କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ 2 ଦିନିଆ କୋଲକାତା ଗସ୍ତରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କ୍ରମରେ ଶୁକ୍ରବାର ଶାହ କୋଲକାତାରେ ପଦ୍ମ ଭୂଷଣ ବିଜେତା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କୁ ଭେଟିଛନ୍ତି । ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ ଜଣେ ଭାରତୀୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ । 2020 ରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା ।
ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କୁ ଭେଟିବା ପୂର୍ବରୁ ଶାହ କୋଲକାତାର ଦକ୍ଷିଣେଶ୍ବର କାଳୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଆଧ୍ୟାତ୍ମିକ ତଥା ଧାର୍ମିକ ଜାଗରଣର କେନ୍ଦ୍ର ଥିବା ରାଜ୍ୟର ଗର୍ବକୁ ପୁନଃସ୍ଥାପନ କରିବା ପାଇଁ ଲୋକଙ୍କୁ ଦାୟିତ୍ବ ତୁଲାଇବାକୁ ଅପିଲ କରିଥିଲେ ।
ନିଜର ଦୁଇ ଦିନିଆ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବରିଷ୍ଠ ବିଜେପି ନେତାମାନଙ୍କୁ ଭେଟି ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏଥିସହିତ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଦୃଷ୍ଟି ରଖିଥିଲେ ।
ପ୍ରକାଶ ଥାଉ କି, ପୂର୍ବରୁ ଶାହ ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ରାଲିରେ ସମ୍ବୋଧିତ କରିଥିଲେ । ଯାହା ତାଙ୍କର କୋଭିଡ-19 ଲକଡାଉନ ପରର ପ୍ରଥମ ଗସ୍ତ ଥିଲା ।