ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅଧୀନରେ 'ଅମୃତ କଳସ ଯାତ୍ରା'ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହ କହିଛନ୍ତି ଯେ ଏହା କୌଣସି ସାଧାରଣ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତିଟି ଭାରତୀୟଙ୍କୁ ଦେଶର ଭବିଷ୍ୟତ ସହିତ ଯୋଡ଼ିବାର ମାଧ୍ୟମ ବୋଲି କହିଛନ୍ତି ଶାହ । ଏହି ଯୋଜନା ଅଧୀନରେ ପ୍ରତିଟି ଗାଁରୁ ମାଟି ଓ ଚାରା ସଂଗ୍ରହ କରାଯିବ ।
ଏହି କାର୍ଯ୍ୟକ୍ରମ ଅଧୀନରେ ଗତକାଲି (ସେପ୍ଟେମ୍ବର ୧ତାରିଖ)ଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ଘର, ୱାର୍ଡ ଓ ଗ୍ରାମରୁ ପ୍ରଥମ ପର୍ଯ୍ୟାୟରେ ମାଟି ସଂଗ୍ରହ କରାଯିବ । ଏହାପରେ ଅକ୍ଟୋବର ୧ରୁ ୧୩ ତାରିଖ ମଧ୍ୟରେ ପ୍ରତି ବ୍ଲକ ଓ ୨୨ରୁ ୨୭ ତାରିଖ ମଧ୍ୟରେ ପ୍ରତି ରାଜ୍ୟରୁ ମାଟି ସଂଗ୍ରହ କରାଯିବ । ଏହାପରେ ଅକ୍ଟୋବର ୨୮ରୁ ୩୦ ତାରିଖ ମଧ୍ୟରେ ପ୍ରାୟ ୭୫୦୦ ମାଟି ଭର୍ତ୍ତିଥିବା ପାତ୍ର ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଏହା ବି ପଢନ୍ତୁ-Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍ ହେବ 'ମେରି ମାଟି ମେରା ଦେଶ'
ଗତକାଲି ଏହି ଅମୃତ କଳସ ଯାତ୍ରାର ଶୁଭାରମ୍ଭ ସମୟରେ ଶାହ କହିଛନ୍ତି ଯେ ସାରା ଭାରତରୁ ସଂଗ୍ରହ ହୋଇଥିବା ମାଟିକୁ ଅମୃତ ବାଟିକାରେ ରଖାଯିବ । ଦେଶର ବୀର ଯବାନଙ୍କ ସମ୍ମାନ ଲାଗି ନିର୍ମିତ ହୋଇଥିବା ଏହି ଉଦ୍ୟାନରେ ଚାରା ରୋପଣ କରାଯିବ । ୨୫ ବର୍ଷ ପରେ ଭାରତର ଆଗାମୀ ପିଢି ଏନେଇ ବେଶ ଗର୍ବ ଅନୁଭବ କରିବେ । ଗ୍ରେଟ ଇଣ୍ଡିଆ ଗଠନରେ ଯେପରି ପ୍ରତିଟି ଭାରତୀୟ, ପରିବାର, ନାଗରିକ ଯୋଡ଼ି ହେବେ ସେହି ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ପ୍ରତିଟି ନାଗରିକଙ୍କ ଯୋଗଦାନ ଫଳରେ ୨୦୪୭ ଅଗଷ୍ଟ ୧୫ ସୁଦ୍ଧା ଭାରତ ବିଶ୍ବସ୍ତରରେ ପ୍ରମୁଖ, ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେବ ।
ଏହା ବି ପଢନ୍ତୁ- ନବରଙ୍ଗପୁରରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ
ସୂଚନା ଥାଉ କି ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍ ମେମୋରିଆଲରେ ନିର୍ମାଣ ହେବ 'ଅମୃତ ବାଟିକା' । ଏହି ଉଦ୍ୟାନରେ ପ୍ରାୟ 7500 ଚାରା ରୋପଣ କରାଯିବ । ସାରା ଦେଶର କୋଣ ଅନୁକୋଣରୁ ଏହି ଚାରାକୁ ସଂଗ୍ରହ କରାଯିବ । ଅମୃତ ବାଟିକାରେ 7500 ଚାରା ରୋପଣ କରାଯିବ । ଅମୃତ କଳସ ଯାତ୍ରାରେ ଦେଶର କୋଣ ଅନୁକୋଣରୁ ମାଟି ସହିତ ଚାରା ସଂଗ୍ରହ କରାଯିବ । ଏହି ଚାରାଗୁଡ଼ିକୁ ଅମୃତ ବାଟିକାରେ ରୋପଣ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ