ବେଙ୍ଗାଲୁରୁ: ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ମୁଣ୍ଡ ପୁରାଇଲା ଆତଙ୍କୀ ସଙ୍ଗଠନ ଅଲ-କାଏଦା(Al Qaeda) । ସଙ୍ଗଠନର ମୁଖ୍ୟ ଆୟମାନ ଅଲ ଜୱାହିରି(Ayman Al-Zawahiri) ହିଜାବକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ହିଜାବ ପାଇଁ ସ୍ବର ଉତ୍ତୋଳନ କରିଥିବା କର୍ଣ୍ଣାଟକ ମୁସଲମାନ ଯୁବତୀ ମୁସ୍କାନଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଓ ଭାରତକୁ ସମାଲୋଚନା କରିଛନ୍ତି । ଫେବୃୟାରୀ ୮ ତାରିଖ ଦିନ ଜୟ ଶ୍ରୀରାମ ନାରା ଦେଉଥିବା ଛାତ୍ରଙ୍କ ଆଗରେ ଏହି ଯୁବତୀ ଜଣକ ଆଲ୍ଲା ହୁ ଆକବର ନାରା ଦେଇଥିଲେ ।
ଜୱାହିରି ଜାରି କରିଥିବା ଭିଡିଓର ଟାଇଟଲ ରହିଛି 'ହୁରତ୍ ଉଲ ହିନ୍ଦ' ବା 'ଆଦର୍ଶ ଭାରତୀୟ ମହିଳା' । ଉକ୍ତ ୮ ମିନିଟ୍ ୪୪ ସେକେଣ୍ଡର ଭିଡିଓରେ ଜୱାହିରି ମୁସ୍କାନଙ୍କୁ ପ୍ରଶଂସା କରି କହିଛନ୍ତି, ତାଙ୍କର ନାରା(ଆଲ୍ଲା ହୁ ଆକବର) ହିଜାଦ ଭାବନାକୁ ବଢାଇଥିଲା ଏବଂ ମୁଲସମାନମାନଙ୍କୁ ଜାଗ୍ରତ କରିଥିଲା । ମୁସ୍କାନଙ୍କ କାର୍ଯ୍ୟ ବାସ୍ତବିକତାକୁ ଉନ୍ମୋଚନ କରିଛି ଏବଂ ପବିତ୍ର ମୁସଲମାନ ଓ ନାସ୍ତିକ ଶତ୍ରୁମାନଙ୍କ ମଧ୍ୟରେ ବିବାଦକୁ ସାମ୍ନାକୁ ଆଣିଛି । ମୁସଲମାନ ଭଉଣୀମାନଙ୍କୁ ଏକ ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥିବାରୁ ତାଙ୍କୁ ଆଲ୍ଲା ପୁରସ୍କାର ଦିଅନ୍ତୁ ବୋଲି ଅଲ କାଏଦା ମୁଖ୍ୟ କହିଛନ୍ତି । ଏପରିକି ମୁସ୍କାନଙ୍କ ଏଭଳି କାର୍ଯ୍ୟ ତାଙ୍କୁ କବିତା ଲେଖିବା ପାଇଁ ଅନୁପ୍ରାଣିତ କରିଥିବାର ମଧ୍ୟ ପ୍ରକାଶ କରିଛନ୍ତି ।
ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏନେଇ ଯୁବତୀଙ୍କ ପିତା ମୁହଁ ଖୋଲିଛନ୍ତି । ଅଲ-କାଏଦା ମୁଖ୍ୟଙ୍କ ପ୍ରଶଂସାକୁ ନେଇ ସେ କହିଛନ୍ତି, ଲୋକେ ଯାହା ଇଚ୍ଛା କହିବେ । ଏହା ଅଯଥା ସମସ୍ୟା ସୃଷ୍ଟି କରୁଛି । ଆମେ ଭାରତରେ ଭଲ ପାଇବା ଓ ବିଶ୍ବାସର ସହ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରୁଛୁ । ଆମ ବିଷୟରେ ସେ କିଛି କୁହନ୍ତି ତାହା ମୁଁ ଚାହୁଁନାହିଁ । ଜାୱହିରି ଯାହା କିଛି କହିଲେ ସେସବୁ ଭୁଲ୍ । ମୁସ୍କାନ ଏବେ ଜଣେ ଛାତ୍ରୀ ମାତ୍ର । ସେ ପଢିବାକୁ ଚାହେଁ ବୋଲି କହି ସେ ଜୱାହିରିଙ୍କୁ ଜବାବ ଦେଇଛନ୍ତି ।