ଲକ୍ଷ୍ନୌ: ଦୀର୍ଘଦିନର ଶତ୍ରୁତା ପରେ ସାଙ୍ଗ ହୋଇ ନିର୍ବାଚନ ଲଢିଥିଲେ । ହେଲେ କ୍ଷମତା ହାତେଇବାରେ ବିଫଳ ହେବା ପରେ ପୁଣି ସୃଷ୍ଟି ହେଲା ଫାଟ । ପୁତୁରା ଅଖିଳେଶଙ୍କ ଅଣଦେଖା ପରେ ମେଣ୍ଟ ହାତ ଛାଡି ବିଜେପି ମୁହାଁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଦାଦା ଶିବପାଲ ଯାଦବ ।
ଗତ କିଛି ଦିନ ହେବ ପୁତୁରା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଶିବପାଲଙ୍କୁ ଅଣଦେଖା କରିବା ପରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଶିବପାଲ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ଏପରିକି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗାଯୋଗରେ ଥିବା ଓ ରାଜ୍ୟସଭା ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଶିବପାଲ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ସେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆନୁଷ୍ଠାନିକ ଭାବେ ଅଖିଳେଶଙ୍କ ମେଣ୍ଟ ଛାଡିବା ଘୋଷଣା କରିନଥିଲେ ସୁଦ୍ଧା ଖୁବଶୀଘ୍ର ଏହି ଘୋଷଣା ମଧ୍ୟ ଶୁଣିବାକୁ ମିଳିପାରେ ବୋଲି ଶୁଣାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଦ୍ବିତୀୟ ପାଳିର ଶପଥ ନେବାର ଦିନକ ପୂର୍ବରୁ ଶିବପାଲ ଅଖିଳେଶଙ୍କୁ ଭେଟି ସମାଜବାଦୀ ପାର୍ଟିରେ ଏକ ବଡ ଦାୟିତ୍ବ ତାଙ୍କୁ ଦେବା ପାଇଁ କହିଥିଲେ । ଅଖିଳେଶ ତାଙ୍କୁ ଜଣେ ସହଯୋଗୀ ବୋଲି କହିବା ସହ ସେ ସମାଜବାଦୀ ପାର୍ଟିର ସଦସ୍ୟ ନୁହନ୍ତି ବୋଲି ମଧ୍ୟ ସ୍ମରଣ କରାଇଥିଲେ ।
ଅନ୍ୟପଟେ ଫଳାଫଳ ଆସିବେ ପରେ ଅଖିଳେଶ ଡାକିଥିବା ସମାଜବାଦୀ ପାର୍ଟି ବିଧାୟକଙ୍କ ବୈଠକରେ ମଧ୍ୟ ଦାଦା ଶିବପାଲଙ୍କୁ ନିମନ୍ତ୍ରଣ କରିନଥିଲେ । ଏଥିରେ ଶିବପାଲ ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ଖୁବଶୀଘ୍ର ଅନ୍ୟ ଏକ ବୈଠକ ସମାଜବାଦୀ ପାର୍ଟିର ସମସ୍ତ ସହଯୋଗୀ ଦଳଙ୍କୁ ଡକାଯିବା ନେଇ ଅଖିଳେଶ କହିଥିଲେ । ତେବେ ନିର୍ବାଚନ ଫଳାଫଳ ପରେ ଦାଦା ଶିବାପାଲ ପୁତୁରାଙ୍କ କ୍ୟାମ୍ପରେ ଗୁରୁତ୍ବ ହରାଇ ସାରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଶିବପାଲ ଯୋଗୀଙ୍କୁ ଭେଟିବା ସହ ରାଜ୍ୟସଭା ଆଶାୟୀ ଥିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ