ନୂଆଦିଲ୍ଲୀ: ଫ୍ରାନ୍ସର ଏୟାରବସ କମ୍ପାନୀରୁ 250 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟାସନ୍ସ ମୁଖ୍ୟ ଏନ.ଚନ୍ଦ୍ରଶେଖରନ ଏହି ଡିଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭର୍ଚ୍ଚୁଆଲ ଆଲୋଚନା କର୍ଯ୍ୟକ୍ରମରେ ଚନ୍ଦ୍ରଶେଖରନ ଏହି ଘୋଷଣା କରିଛନ୍ତି । ଏନେଇ ଚୁକ୍ତିନାମ ମଧ୍ୟ ସ୍ବାକ୍ଷର ହୋଇଥିବା ଚନ୍ଦ୍ରଶେଖରନ ସୂଚନା ଦେଇ କହିଥିଲେ,ଏୟାରବସ ସହ ଏକ ଭଲ ବ୍ୟବସାୟ ସମ୍ପର୍କ ପ୍ରତିଷ୍ଠା ହୋଇଛି । ଏୟାରବସ ଠାରୁ ଏୟାର ଇଣ୍ଡିଆ 250 ନୂତନ ବିମାନ କିଣିବାକୁ ଯାଉଛି ।ସେହିିପରି ଏୟାର ଇଣ୍ଡିଆ ଅନ୍ୟତମ ଜଣାଶୁଣା ଏୟାରକ୍ରାଫ୍ଟ ମ୍ୟାନୁଫ୍ଯାକଚରର ବୋଇଂ ଠାରୁ ମଧ୍ୟ 290 ଟି ବିମାନ କିଣିବ ।
ମୋଟ 250ଟି ବିମାନ ଏୟାରବସ କମ୍ପାନୀରୁ କିଣା ହେବାକୁ ଥିବା ବେଳେ ଏଥିରେ 40ଟି ବୃହତ A350 ବିମାନ ରହିଛି । ଅବଶିଷ୍ଟଗୁଡିକ ନ୍ୟାରୋ ବଡି ଏୟାରକ୍ରାଫ୍ଟ ରହିବ । ଏହି ଭର୍ଚ୍ଚୁଆଲ ଆଲୋଚନା କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଟାଟା ସମୂହର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଏହି ଘୋଷଣାକୁ ଏୟାରବସ କାର୍ଯ୍ୟକାରୀ ମୁଖ୍ୟ ଗୁଇଲାମ୍ ଫୋରୀ ଏକ ଐତିହାସିକ ଚୁକ୍ତି ବୋଲି ଦର୍ଶାଇଥିଲେ ।
ଏହି ଚୁକ୍ତି ପାଇଁ ଏୟାର ଇଣ୍ଡିଆ ଏବଂ ଏୟାରବସକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା 15ବର୍ଷ ମଧ୍ୟରେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ 2 ହଜାରରୁ ଅଧିକ ବିମାନ ଆବଶ୍ୟକ । କେନ୍ଦ୍ର ସରକାକଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ‘ଉଡାଣ’ ଯୋଜନାରେ ଦେ୍ଶରେ ଆଞ୍ଚଳିକ ବିମାନ ଯୋଗାଯୋଗ ସେବା ବୃଦ୍ଧି ପାଇଛି । ଯାହା ଲୋକଙ୍କ ଆର୍ଥିକ ତଥା ସାମାଜିକ ବିକାଶରେ ସହାୟକ ହେଉଛି । ଭାରତର 'ମେକ୍ ଇନ୍ ଇଣ୍ଡିଆ- ମେକ୍ ଫର୍ ୱାର୍ଲ୍ଡ' ଭିଜନ ଅଧୀନରେ ଉଡାଣ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ସେହିପରି ଏହି ବିମାନ କ୍ରୟ ଚୁକ୍ତି ବ୍ୟତୀତ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗ ସ୍ଥାନ ପାଇଛି । ପାରସ୍ପାରିକ ପ୍ରସଙ୍ଗ ସହ ଅନ୍ୟ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ହେଉ କିମ୍ବା ବିଶ୍ୱ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ