ପାଟନା: ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଶୁଣିଥିବେ କି ଦେଖିଥିବେ ଯେ, ବର ଘୋଡାରେ ବସି କନିଆଁ ଘରକୁ ଯାଇଥାଏ । କିନ୍ତୁ କ’ଣ କେବେ ଶୁଣିଛନ୍ତି କି କନିଆଁ ଘୋଡାରେ ବସି ଶାଶୁ ଘରକୁ ଯିବାର ? ଆପଣ ଶୁଣିନଥିବା କି ଦେଖିନଥିବା ଘଟଣା ସତ ହୋଇଛି ବିହାରର ଗୟାରେ । ଏଠାରେ ଜଣେ କନିଆଁ ବିବାହ ପାଇଁ ଘୋଡାରେ ଶାଶୁ ଘରେ ପହଞ୍ଚିଛନ୍ତି । ଘଟଣାଟି ପ୍ରଚାର, ପ୍ରସାର ହେବା ପରେ ସବୁଠି ଚର୍ଚ୍ଚା ଖେଳିଯାଇଛି ।
ସୂଚନା ଅନୁଯାୟୀ, ଗୟାର ଏୟାର ହଷ୍ଟ୍ରେସ କନିଆଁ ଅନୁଷ୍କା ଗୁହା ବିବାହ ପାଇଁ ଘୋଡାରେ ବସି, କନିଆଁ ପକ୍ଷ ଲୋକଙ୍କୁ ନେଇ ବର ଘରେ ପହଞ୍ଚିଛନ୍ତି । କନିଆଁ ମଧ୍ୟ ବେଶ୍ ଖୁସି ଅନ୍ଦାଜରେ ନାଚ, ଗୀତ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶୋଭାଯାତ୍ରା ବ୍ୟତୀତ, ଅନନ୍ୟ କନିଆଁକୁ ଦେଖିବା ପାଇଁ ରାସ୍ତାରେ ଯାଉଥିବା ଲୋକଙ୍କ ଭିଡ଼ ଜମିଥିଲା । ଯେଉଁଠାରେ ଶୋଭାଯାତ୍ରା ଚାଲିଥିଲା, ଲୋକମାନେ ରାସ୍ତାର ଉଭୟ ପାର୍ଶ୍ୱରେ କେବଳ କନିଆଁକୁ ଦେଖିବା ପାଇଁ ଏକଜୁଟ ହୋଇଯାଉଥିଲେ । ସମସ୍ତେ କନିଆଁଙ୍କ ସାହସିକତାକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
ଏନେଇ ଗଣମାଧ୍ୟମ ପ୍ରତିନିଧି କନିଆଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, 'ମୁଁ ମୋ ସ୍ୱାମୀଙ୍କୁ ଆଣିବା ପାଇଁ ଘୋଡାରେ ବସି ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ପୁଅମାନେ ଶୋଭାଯାତ୍ରାରେ ଯିବେ, ଝିଅମାନେ କାହିଁକି ନୁହେଁ ? ମୁଁ ଇଣ୍ଡିଗୋରେ ସିନିୟର କ୍ୟାବିନ କ୍ରୁ ମେମ୍ବର ଭାବେ କାର୍ଯ୍ୟ କରୁଛି । ମୁଁ ମୋ ସ୍ବାମୀଙ୍କୁ ଆଣିବା ପାଇଁ ଶାଶୁଘର ଯାଉଛି । ଝିଅ ହେଲି ତ କଣ ହେଲା ? ଏଥିପାଇଁ ମୋ ସ୍ବାମୀ କୌଣସି ଆପତ୍ତି କରିନଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ