ଜେରୁଜେଲମ: ନିକଟରେ ଭାରତ ଗସ୍ତରେ ଆସିବାକୁ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନାଫଟିଲ ବେନେଟ କୋଭିଡରେ ସଂକ୍ରମିତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ, ଭାରତ-ଇସ୍ରାଏଲ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ହେବା ଅବସରରେ ଏପ୍ରିଲ ୩ ତାରିଖରେ ପ୍ରଧାନମନ୍ତ୍ରୀ ବେନେଟ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇସାରିଥିଲା । ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ବେନେଟଙ୍କର ପ୍ରଥମ ପ୍ରସ୍ତାବିତ ଭାରତ ଗସ୍ତ ମଧ୍ୟ ଥିଲା । ଭାରତ ମଧ୍ୟ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀକି ଅମୃତ ମହତ୍ସୋବ ପଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ଏପ୍ରିଲ ୩ରୁ ୫ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥାନ୍ତେ ବେନେଟ ।
ତେବେ ଗସ୍ତର କିଛି ଦିନ ପୂର୍ବରୁ ବେନେଟ କୋଭିଡ ସଂକ୍ରମିତ ଜଣାପଡିବା ପରେ ଗସ୍ତ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଗସ୍ତ ବାତିଲ ହେବା ନେଇ ମଧ୍ୟ ସରକାରୀ ଭାବେ କିଛି ଜଣାପଡିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ