ଏଇ ନିକଟରେ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ କେନ୍ଦ୍ର ବଜେଟ୍ରେ ଦୁଇଟି ସମସ୍ୟାର ସମାଧାନ ପନ୍ଥା ରହିଥିବ ବୋଲି ଆଶା କରାଯାଉଥିଲା । ସେ ଦୁଇଟି ହେଲା, ଅଭିବୃଦ୍ଧି ଏବଂ ଚାକିରି । ଏହି ବଜେଟ୍ରେ କି କି ଭଲ କଥା ରହିଛି ? ପ୍ରଥମରେ, ପୂର୍ବବର୍ତ୍ତୀ ସମୟର ବଜେଟ୍ ବହିର୍ଭୂତ ରାଶିକୁ, ନିର୍ଦ୍ଦିଷ୍ଟ ଭାବରେ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦତ୍ତ ଋଣ ରାଶିକୁ ଏଥିରେ ସାମିଲ କରି ଏହାକୁ ଏକ ପାରଦର୍ଶୀ ବଜେଟ୍ରେ ପରିଣତ କରାଯାଇଛି । ସଂଶୋଧିତ ବଜେଟ୍ ଅଟକଳ ତୁଳନାରେ ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ରାଜସ୍ବ ବାବଦ ଆୟ 23% ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ଆର୍ଥିକ ନିଅଣ୍ଟ 9.5% ଦର୍ଶାଯାଇଥିବା ବେଳେ ପରବର୍ତ୍ତୀ ଆର୍ଥିକ ବର୍ଷର ଏହା 6.8% ହେବ ବୋଲି ଆକଳନ କରାଯାଇଛି । ଦ୍ବିତୀୟରେ, ସଂପଦ ବିନିଯୋଗ ଏବଂ ବ୍ୟାଙ୍କ ଘରୋଇକରଣ, ବୀମା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (FDI) ବୃଦ୍ଧି ଏବଂ ସଂପଦ ପୁନର୍ଗଠନ କମ୍ପାନି ସ୍ଥାପନ ଭଳି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଯୋଗୁଁ ଏହି ବଜେଟ୍ରେ ଅର୍ଥବ୍ୟବସ୍ଥାର ଦିଗ ପରିବର୍ତ୍ତନ କରାଯାଇଛି । ତୃତୀୟରେ, ଏହି ବଜେଟରେ ସରକାରୀ ପାଣ୍ଠି ଖର୍ଚ୍ଚ ଏବଂ ଭିତ୍ତିଭୂମିକୁ ପ୍ରାଥମିକତା ପ୍ରଦାନ କରାଯାଇଛି । ଚଳିତ ବର୍ଷର ବଜେଟ୍ରେ ପାଣ୍ଠି ଖର୍ଚ୍ଚକୁ 4.1 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ଆସନ୍ତା ବର୍ଷର ବଜେଟ୍ରେ ଏହାକୁ 5.5 ଲକ୍ଷ କୋଟି ଟଙ୍କାକୁ (ପ୍ରାୟ 35% ବୃଦ୍ଧି) କରାଯାଇଛି ।
ଏହା ସହିତ ବିଭିନ୍ନ ରାଜ୍ୟ ଓ ସ୍ବୟଂଶାସିତ ସଂସ୍ଥା ଦ୍ବାରା ଉପଯୋଗ ନିମନ୍ତେ 2 ଲକ୍ଷ କୋଟି ଟଙ୍କାର ପାଣ୍ଠି ବ୍ୟୟ ନିର୍ଦ୍ଧାରଣ କରାଯାଇଛି । ବିଭିନ୍ନ ପୁଞ୍ଜିନିବେଶ କାର୍ଯ୍ୟକ୍ରମର ବିକାଶ ସକାଶେ ବଜେଟ୍ରେ ଏକ DFI ବା ଉନ୍ନୟନ ଆର୍ଥିକ ସଂସ୍ଥା ଗଠନ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ବ ପ୍ରଦାନ ଏହି ବଜେଟର ଦୁଇଟି ମହତ୍ତ୍ବପୂର୍ଣ୍ଣ ଦିଗ । ଚତୁର୍ଥରେ, ଏହି ବଜେଟରେ କୌଣସି ଅତିରିକ୍ତ ଟିକସ ପ୍ରସ୍ତାବ ନାହିଁ । ବଜାରରୁ ଋଣ ନେଇ କିମ୍ବା ପୁଞ୍ଜି ପ୍ରତ୍ୟାହାର ବା ଘରୋଇକରଣ ଦ୍ବାରା ବିଭିନ୍ନ କ୍ଷେତ୍ରର ବ୍ୟୟଭାର ବହନ କରାଯିବ ।
ଭିତ୍ତିଭୂମି ସଂପର୍କରେ ଅର୍ଥମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ବଜେଟ୍ରେ କୃଷି କ୍ଷେତ୍ରରେ ଭିତ୍ତିଭୂମିର ବିକାଶକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରାଯାଇଛି । କୃଷିରୁ ଆୟ ବୃଦ୍ଧି ନିମନ୍ତେ ଭିତ୍ତିଭୂମି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବା ଖୁବ୍ ଗୁରୁତ୍ବପୂର୍ଣ୍ଣ । କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳ ଉପରେ କୋଭିଡ୍-19ର ପ୍ରତିକୂଳ ପ୍ରଭାବ ସହରାଞ୍ଚଳ ତୁଳନାରେ କମ ରହିଛି । କୋଭିଡ ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ହେବା କାରଣରୁ ଅଣ-କୃଷି କ୍ଷେତ୍ରର ପ୍ରଦର୍ଶନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି । କିନ୍ତୁ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର 2020-21 ଆର୍ଥିକ ବର୍ଷରେ ପ୍ରାୟ 3.4% ରହିବ ବୋଲି ଆକଳନ କରାଯାଇଛି । ହେଲେ କୃଷିଜାତ ଦ୍ରବ୍ୟର କାରବାର ସଂପର୍କିତ ନୀତି କୃଷି କ୍ଷେତ୍ରକୁ ସୁହାଉ ନଥିବାରୁ ଏବେ ବି କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳର ଆୟ ପରିମାଣ କମ ରହିଛି । ବିଭିନ୍ନ କୃଷିଜାତ ଦ୍ରବ୍ୟର ପ୍ରାରମ୍ଭିକ ମୂଲ୍ୟ କମ୍ ରହିଛି । ବିପରୀତ ପ୍ରବାସନର ଧାରାରେ ଲୋକେ ନିଜ ନିଜ ଗାଁକୁ ଫେରିଯିବା ଏବଂ ଗ୍ରାମାଞ୍ଚଳରେ ମଜୁରି ବୃଦ୍ଧି ହାର କମ୍ ରହିବା କାରଣରୁ ଅର୍ଥ ପ୍ରେରଣ ପରିମାଣ ଏବଂ ଗ୍ରାମୀଣ ଅଞ୍ଚଳରେ ରୋଜଗାର ହ୍ରାସ ପାଇଛି । କୋଭିଡ୍ ପ୍ରାଦୁର୍ଭାବ ସମୟରେ ଅଣ-ଆନୁଷ୍ଠାନିକ କ୍ଷେତ୍ର ଏବଂ ଏଥିରେ କାର୍ଯ୍ୟରତ ଶ୍ରମିକମାନେ ଆୟ ଏବଂ ନିଯୁକ୍ତି ହରାଇ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟ ଭାଷାରେ କହିଲେ, ଆମ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଇଂରାଜୀ ଅକ୍ଷର ‘k’ ଆକାରରେ ହୋଇଛି ଏବଂ ଏହା ଉଭୟ କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳ ପ୍ରତି ମଧ୍ୟ ପ୍ରଯୁଜ୍ୟ ।
ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅର୍ଥଯୋଗାଣ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଯୁକ୍ତି ଦର୍ଶାଯାଇଛି । ସୁତରାଂ, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗରେ ଉନ୍ନତି ନିମନ୍ତେ କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ ସହିତ କୃଷି ଏବଂ ଗ୍ରାମୀଣ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଆଶା କରାଯାଏ । କୃଷି ଓ ସମ୍ବନ୍ଧିତ କ୍ଷେତ୍ରରେ ବ୍ୟୟବରାଦରେ ସାମାନ୍ୟ ବୃଦ୍ଧି କରାଯାଇଛି । 2020-21ରେ ଏହା 1,45,355 କୋଟି ଟଙ୍କା ଥିବାବେଳେ 2021-22ରେ ଏହାକୁ 1,48,301 କୋଟି ଟଙ୍କା କରାଯାଇଛି - ଅର୍ଥାତ୍ 2% ବୃଦ୍ଧି ହୋଇଛି । ଆପଣ ଯଦି ଗତ ଦୁଇ ବର୍ଷର ବଜେଟ ଆକଳନକୁ ତୁଳନା କରନ୍ତି ତେବେ ଏହା 4.2% ହ୍ରାସ ପାଇଥିଲା । ହେଲେ, ଏଥର ବଜେଟ୍ରେ ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (RIDF)କୁ 30.000 କୋଟି ଟଙ୍କାରୁ ପରବର୍ତ୍ତୀ ବର୍ଷ ପାଇଁ 40,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏଥର ବଜେଟ୍ରେ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଘୋଷଣା କରାଯାଇଛି, ତାହା ହେଲା ଏକ କୃଷି ଭିତ୍ତିଭୂମି ଏବଂ ଉନ୍ନୟନ ସେସ୍ (AIDC) ଲାଗୁ କରିବା । ଉପଯୁକ୍ତ ଭାବରେ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ସହିତ ଅଧିକରୁ ଅଧିକ ଉତ୍ପାଦନ କରିବା ଲାଗି କୃଷି କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନୟନ ହିଁ ଏହି ସେସ୍ ଲାଗୁ କରିବାର ମୂଳ ଲକ୍ଷ୍ୟ । ଏହା ଫଳରେ ଆମ କୃଷକମାନଙ୍କର ରୋଜଗାର ବୃଦ୍ଧି ସୁନିଶ୍ଚିତ ହୋଇପାରିବ । ଏହି ଉଦ୍ଦେଶ୍ୟରେ ସମ୍ବଳ ନିର୍ଦ୍ଧାରଣ ନିମନ୍ତେ ଅଳ୍ପ କେତେକ ସାମଗ୍ରୀ ଉପରେ ଏହି AIDC ଲାଗୁ କରିବା ପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି । ତେବେ, ଅଧିକାଂଶ ସାମଗ୍ରୀ କ୍ଷେତ୍ରରେ ଏହି ସେସ୍ ଲାଗୁ କରିବା ଦ୍ବାରା ଏହା ଉପଭୋକ୍ତାଙ୍କ ଉପରେ ଯେପରି ବୋଝ ସଦୃଶ ନହୁଏ ସେ ଦିଗରେ ସରକାର ଉଦ୍ୟମ କରିଛନ୍ତି ।
ଉପଭୋକ୍ତାଙ୍କ ଉପରେ ଅଧିକ ବୋଝ ଲଦି ନଦେବା ଲାଗି ଅର୍ଥମନ୍ତ୍ରୀ କେଉଁଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି ?
ବଜେଟର ବିଭିନ୍ନ ଦସ୍ତାବିଜ୍ରୁ ଜଣାଯାଏ ଯେ, ଅନେକ ସାମଗ୍ରୀ କ୍ଷେତ୍ରରେ ମୌଳିକ ବହିଃଶୁଳକ ବା ‘ବେସିକ୍ କଷ୍ଟମସ୍ ଡ୍ୟୁଟି’ (BCD) ହ୍ରାସ କରାଯାଇଛି ଏବଂ ଏହା ଦ୍ବାରା ଯେଉଁ ଆର୍ଥିକ ନିଅଣ୍ଟ ସୃଷ୍ଟି ହେବ, ତାହାର ଭରଣା ପାଇଁ ଭିନ୍ନ ଭିନ୍ନ ହାରରେ ଏକ ସେସ୍ ଲାଗୁ କରାଯାଇଛି । ସୁନା ଓ ରୁପା ଉପରେ ଏହା 2.5% ରହିଥିବା ବେଳେ ବୁଟଡ଼ାଲି କ୍ଷେତ୍ରରେ ଏହାକୁ 50% ରଖାଯାଇଛି । ସେହିଭଳି ସୋୟାବିନ ତେଲ କଥା ନିଆଯାଉ । ବଜେଟ୍ ପୂର୍ବରୁ ଏହା ଉପରେ 35 ପ୍ରତିଶତ BCD ରହିଥିବା ବେଳେ ଏହା ଉପରେ 10 ପ୍ରତିଶତ ସାମାଜିକ କଲ୍ୟାଣ ସେସ୍ ଲାଗୁ କରାଯାଉଥିଲା । ସୁତରାଂ, ବଜେଟ୍ ପୂର୍ବରୁ ସୋୟାବିନ୍ ଉପରୁ ଆଦାୟ ହେଉଥିବା ଆମଦାନୀ ଶୁଳ୍କ କାର୍ଯ୍ୟତଃ 38.50 ପ୍ରତିଶତ ରହିଥିଲା । ତେବେ, ଏହି ବଜେଟ୍ ପରେ ଅଶୋଧିତ ସୋୟାବିନ୍ ତେଲ ଉପରେ ମୌଳିକ ବହିଃଶୁଳ୍କ 35 ପ୍ରତିଶତରୁ 15 ପ୍ରତିଶତକୁ କମ କରିଦିଆଯାଇଥିବା ବେଳେ ଏହା ଉପରେ ଅତିରିକ୍ତ 20 ପ୍ରତିଶତ AIDC ଲାଗୁ କରାଯାଇଛି । ଏବଂ 10 ପ୍ରତିଶତ ସାମାଜିକ କଲ୍ୟାଣ ସେସ୍ ହିସାବ କଲେ ଏହାର ମୋଟ ଆମଦାନୀ ଶୁଳ୍କ ବସ୍ତୁତଃ 38.50 ପ୍ରତିଶତରେ ହିଁ ରହିଛି । ତେଣୁ, ଏଥିରେ ଶୁଳ୍କ ହାର ଆଦୌ ପରିବର୍ତ୍ତିତ ହୋଇନାହିଁ । ସେହିଭଳି, ବଜେଟ୍ ପୂର୍ବରୁ ବୁଟଡ଼ାଲି ଉପରୁ 60 ପ୍ରତିଶତ BCD ଲାଗୁ କରାଯାଉଥିଲା । କିନ୍ତୁ ଫେବ୍ରୁଆରୀ 1ରୁ ଏହାକୁ 10 ପ୍ରତିଶତକୁ ଖସାଇ ଦିଆଯାଇଛି ଏବଂ ଏହି ଡାଲି ଉପରେ 50 ପ୍ରତିଶତ AIDC ଲାଗୁ କରାଯାଇଛି । ଫଳରେ କାର୍ଯ୍ୟତଃ ଏ କ୍ଷେତ୍ରରେ ବହିଃଶୁଳ୍କ ହାର ପୂର୍ବ ଭଳି 60 ପ୍ରତିଶତ ହିଁ ରହିଛି ।
ପେଟ୍ରୋଲ ଓ ଡିଜେଲ କ୍ଷେତ୍ରରେ, ଲିଟର ପିଛା ପେଟ୍ରୋଲ ଉପରେ 2 ଟଙ୍କା 50 ପଇସା AIDC ଲାଗୁ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ଏହାକୁ 4 ଟଙ୍କା ରଖାଯାଇଛି । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ଭିତ୍ତିଭୂମି ଏବଂ ଉନ୍ନୟନ ସେସ୍ (AIDC) ଲାଗୁ କରାଯିବା ପରେ ଗ୍ରାହକଙ୍କ ଉପରେ ଏହି ସେସ୍ର ଅତିରିକ୍ତ ବୋଝ ନପଡ଼ିବା ଉଦ୍ଦେଶ୍ୟରେ, ଏହାର ମୌଳିକ ଉତ୍ପାଦନ ଶୁଳ୍କ ବା ‘ବେସିକ୍ ଏକ୍ସାଇଜ୍ ଡ୍ୟୁଟି’ (BED) ଏବଂ ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ ବା ‘ସ୍ପେସିଆଲ ଆଡିସନାଲ ଏକ୍ସାଇଜ୍ ଡ୍ୟୁଟି’ (SAED) ହାର କମାଇ ଦିଆଯାଇଛି । ଏହା ଫଳରେ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ଏହି ବ୍ୟବସ୍ଥା ଦ୍ବାରା ଅଣ-ବ୍ରାଣ୍ଡ ବା ସାଧାରଣ ପେଟ୍ରୋଲ ଓ ଡିଜେଲ ଉପରେ ମୌଳିକ ଉତ୍ପାଦନ ଶୁଳ୍କ ଯଥାକ୍ରମେ ଲିଟର ପିଛା 1 ଟଙ୍କା 40 ପଇସା ଏବଂ 1 ଟଙ୍କା 80 ପଇସା ରହିଛି ।
କୃଷି ଭିତ୍ତିଭୂମି ଓ ଉନ୍ନୟନ ସେସ୍ ସଂପର୍କିତ ଉଦ୍ବେଗ
ଯଦିଓ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ଟିକସର ବୋଝ ପଡୁନାହିଁ, ତଥାପି ଏହି ସେସ୍ ସଂପର୍କିତ ଏଭଳି ଅନେକ କଥା ରହିଛି, ଯାହାକୁ କେନ୍ଦ୍ର କରି ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ସବୁଠାରୁ ବଡ଼ କଥା ହେଲା ଏହି ବ୍ୟବସ୍ଥା ଫଳରେ ଟିକସ ବାବଦ ରାଜସ୍ବ ଉପରେ ରାଜ୍ୟମାନଙ୍କର ଭାଗ ହ୍ରାସ ପାଇଛି। କାରଣ, ଏହି ସେସ୍ ଏକୀକୃତ କେନ୍ଦ୍ରୀୟ ଟିକସ ସମୂହ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଏବଂ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଏ ବାବଦ ଅର୍ଥରେ ରାଜ୍ୟକୁ ଭାଗ ମିଳିବ ନାହିଁ । ଏହି ବ୍ୟବସ୍ଥା ପୂର୍ବରୁ ଏସବୁ ସାମଗ୍ରୀ ଉପରୁ ଆଦାୟ ହେଉଥିବା ବହିଃଶୁଳ୍କ କେନ୍ଦ୍ରୀୟ ଟିକସ ସମୂହ ଅନ୍ତର୍ଭୁକ୍ତ ହେଉଥିଲା ଏବଂ ତେଣୁ, ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ଭାଗ ରହୁଥିଲା ।
କିନ୍ତୁ ଏଣିକି ଆଗକୁ, AIDC ଉପରେ କେବଳ କେନ୍ଦ୍ର ସରକାରଙ୍କର ଅଧିକାର ରହୁଥିବାରୁ ଏବଂ କେବଳ ହ୍ରାସ ପାଇଥିବା BCD ହିଁ କେନ୍ଦ୍ରୀୟ ଟିକସ ସମୂହ ଅନ୍ତର୍ଭୁକ୍ତ ହେଉଥିବାରୁ ରାଜ୍ୟମାନଙ୍କର ଭାଗ କମିଯିବ । ଉଦାହରଣ ସ୍ବରୂପ, ମନେ କରାଯାଉ ଯେ କୌଣସି ଏକ ଉତ୍ପାଦ ଉପରେ 100 ପ୍ରତିଶତ ଟିକସ ଲାଗୁ ହେଉଥିଲା ଏବଂ ଏଥିରୁ BCD ଥିଲା 95 ପ୍ରତିଶତ ଏବଂ ସେସ୍ ଥିଲା 5 ପ୍ରତିଶତ । ସେ କ୍ଷେତ୍ରରେ 5 ପ୍ରତିଶତ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଉଥିଲା ଏବଂ ଅବଶିଷ୍ଟ 95 ପ୍ରତିଶତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶ ରହୁଥିଲା । ଏବେ, ଯଦି BCDକୁ 95 ପ୍ରତିଶତରୁ 93 ପ୍ରତିଶତକୁ ହ୍ରାସ କରାଯାଏ ଏବଂ ସେସ୍କୁ 7 ପ୍ରତିଶତକୁ ବୃଦ୍ଧି କରାଯାଏ ତେବେ ଏ ବାବଦରେ ଆଦାୟ ଅତିରିକ୍ତ 2 ପ୍ରତିଶତ କେବଳ କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଏବଂ କୌଣସି ରାଜ୍ୟକୁ ଏଥିରୁ କିଛି ହେଲେ ଭାଗ ମିଳିବ ନାହିଁ । ଅଶୋଧିତ ତାଳ ତେଲ କ୍ଷେତ୍ରରେ, ପୂର୍ବରୁ ଲାଗୁ କରାଯାଉଥିବା 27.5 ପ୍ରତିଶତ BCDରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜର ଅଂଶ ନେଉଥିଲେ । ବର୍ତ୍ତମାନର ନୂଆ ବ୍ୟବସ୍ଥାରେ ଏ କ୍ଷେତ୍ରରେ ମାତ୍ର 15 ପ୍ରତିଶତ ଉପରେ ରାଜ୍ୟ ଓ କେନ୍ଦ୍ର ଭିତରେ ଭାଗ ବଣ୍ଟା ହେବ ଏବଂ ବସ୍ତୁତଃ, ମୋଟ 37.75 ପ୍ରତିଶତ ଟିକସରୁ ପ୍ରାୟ 27.5 ପ୍ରତିଶତ ସଂପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ରାଜକୋଷକୁ ଚାଲିଯିବ ।
ଦ୍ବିତୀୟ ବିଷୟ ହେଲା, ଭିନ୍ନ ଭିନ୍ନ ଉତ୍ପାଦ କ୍ଷେତ୍ରରେ AIDC ଆଦାୟର ହାରରେ ରହିଥିବା ଭିନ୍ନତା । ଆଜି ପର୍ଯ୍ୟନ୍ତ ସାଧାରଣତଃ ସବୁ ଉତ୍ପାଦ ଉପରେ ସେସ୍ ଆଦାୟ ସମାନ ରହୁଥିଲା ଏବଂ ବୋଧହୁଏ ପ୍ରଥମ ଥର ପାଇଁ ଭିନ୍ନ ଭିନ୍ନ ଉତ୍ପାଦ ଉପରେ 2.5 ପ୍ରତିଶତରୁ ଆରମ୍ଭ କରି 50 ପ୍ରତିଶତ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହାରରେ ସେସ୍ ଲାଗୁ କରାଯାଉଛି ।
ତୃତୀୟରେ. AIDCରୁ ଆଦାୟ ମୋଟ ଅର୍ଥ ସଂପର୍କରେ ସୁସ୍ପଷ୍ଟ ସୂଚନା ନାହିଁ । କେତେକ ପ୍ରକାଶିତ ରିପୋର୍ଟ ଅନୁସାରେ ଏ ବାବଦ ଅର୍ଥ ବାର୍ଷିକ 30,000 କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ । କୃଷି ଭିତ୍ତିଭୂମି ଓ ଉନ୍ନୟନ ସେସ୍ ବା AIDC ବାବଦରେ ସଂଗୃହୀତ ଅର୍ଥ କିପରି ଉପଯୋଗ କରାଯିବ ବୋଲି ମଧ୍ୟ ଅନେକ ପ୍ରଶ୍ନ ଉଠିପାରେ । କାରଣ, ଅତୀତରେ ବିଭିନ୍ନ ସେସ୍ ବାବଦରେ ଆଦାୟ ଅର୍ଥ ଯେଉଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଆଦାୟ କରାଯାଇଥିଲା, ସେଥିରେ ଉପଯୋଗ କରାଯାଇ ନଥିବାର ନଜିର ରହିଛି । ଉଦାହରଣ ସ୍ବରୂପ, ଭାରତର କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁସାରେ 2018-19 ଆର୍ଥିକ ବର୍ଷରେ ମୋଟ 35ଟି ସେସ୍ ଓ ଅନ୍ୟାନ୍ୟ ଦେୟ ବାବଦରେ 2,74,592 କୋଟି ଟଙ୍କା ଆଦାୟ ହୋଇଥିଲା । କିନ୍ତୁ ଏଥିରୁ ମାତ୍ର 1,64,322 କୋଟି ଟଙ୍କା ସଂପୃକ୍ତ ପାଣ୍ଠିର ବୋର୍ଡମାନଙ୍କୁ ହସ୍ତାନ୍ତରିତ ହୋଇଥିଲା ଏବଂ ଅବଶିଷ୍ଟ ଭାରତର ଏକତ୍ରୀକୃତ ପାଣ୍ଠି ବା ‘କନ୍ସୋଲିଡେଟେଡ୍ ଫଣ୍ଡ ଅଫ୍ ଇଣ୍ଡିଆ’ରେ ଜମା ରହିଥିଲା । ଯଦିବା ଏହି ସେସ୍କୁ କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ଉପଯୋଗ କରାଯିବ ବୋଲି ବିଚାର କରାଯାଏ, ତଥାପି, ଜମି ପାଇଁ ଜଳ ଆବଣ୍ଟନ କିମ୍ବା ବିଭିନ୍ନ ଫସଲ ଚାଷ କିମ୍ବା କୃଷିଜାତ ସାମଗ୍ରୀ ବଜାରର ଉନ୍ନତି ଦିଗରେ ଏହାକୁ ଠିକ୍ କେଉଁଭଳି ବିନିଯୋଗ କରାଯିବା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବଜେଟ୍ରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ କୃଷି ଭିତ୍ତିଭୂମି ପାଣ୍ଠି (AIF)ରେ ଥିବା 1 ଲକ୍ଷ କୋଟି ଟଙ୍କାକୁ କୃଷିଜାତ ସାମଗ୍ରୀ ବିପଣନ କମିଟି ବା APMCର ଭିତ୍ତିଭୂମି ବିକାଶ ନିମନ୍ତେ ଉପଯୋଗ କରାଯାଇପାରେ । ଏହା ଏକ ଭଲ ନିଷ୍ପତ୍ତି । ଉତ୍ତମ ଭିତ୍ତିଭୂମି ସହିତ APMCଗୁଡ଼ିକୁ ସୁଦୃଢ଼ କରାଯିବା ଉଚିତ । କୃଷି ଭିତ୍ତିଭୂମି ପାଣ୍ଠି ଉପଯୋଗକୁ ତ୍ବରାନ୍ବିତ କରିବା ଦିଗରେ ପ୍ରୋତ୍ସାହକ ପଦକ୍ଷେପ ନିଆଯିବା ଉଚିତ । ସେହିପରି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହାୟତା ନିମନ୍ତେ ବିଭିନ୍ନ କୃଷି ଉତ୍ପାଦକ ସଂଗଠନର ସଂଖ୍ୟାବୃଦ୍ଧି ଦିଗରେ ଉଦ୍ୟମ କରାଯିବା ଉଚିତ । ଦେଶର ପ୍ରାୟ 51 ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା MSME ଗ୍ରାମାଞ୍ଚଳରେ ରହିଛି ଏବଂ ସେଗୁଡ଼ିକ ପୁନରୁଜ୍ଜୀବିତ ହେବା ଆବଶ୍ୟକ । କୋଭିଡ୍-19 ଯୋଗୁଁ MSME କ୍ଷେତ୍ରକୁ ଶକ୍ତ ଆଘାତ ଲାଗିଛି । ଏହି ଉଦ୍ଦେଶ୍ୟରେ ମଧ୍ୟ କୃଷି ଭିତ୍ତିଭୂମି ପାଣ୍ଠିର ବିନିଯୋଗ କରାଯିବା ଉଚିତ । ଏକ ପ୍ରଗତିଶୀଳ MSME କ୍ଷେତ୍ର ବିନା ଭାରତ ଆତ୍ମନିର୍ଭର ହୋଇପାରିବ ନାହିଁ । ବଜେଟ୍ରେ ଘୋଷିତ ପଦକ୍ଷେପ ସମୂହର ସଫଳ କାର୍ଯ୍ୟକାରିତା ଉପରେ ହିଁ ସେଗୁଡ଼ିକର ପ୍ରଭାବ ନିର୍ଭର କରେ । ଅର୍ଥବ୍ୟବସ୍ଥାରେ ସାମଗ୍ରୀକ ଭାବେ ଚାହିଦା ସୃଷ୍ଟି ନିମନ୍ତେ ମଧ୍ୟ କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ରର ପୁନର୍ବିନ୍ୟାସ ଗୁରୁତ୍ବପୂର୍ଣ୍ଣ ବିଷୟ । କୃଷି ହେଉଛି ରାଜ୍ୟର ନିୟନ୍ତ୍ରଣାଧୀନ ଏକ କ୍ଷେତ୍ର ଏବଂ କେନ୍ଦ୍ର ସରକାର ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ । ରାଜ୍ୟ ସରକାରମାନଙ୍କର ପରାମର୍ଶକ୍ରମେ AIDCର ରୂପରେଖ ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ଦେଶରେ ଅଭିବୃଦ୍ଧି, ସମାନତା ଏବଂଉନ୍ନୟନରେ ସ୍ଥାୟିତ୍ବର ଲକ୍ଷ୍ୟହାସଲକୁ ବିଚାରକୁ ନେଇ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିବା ଦରକାର । କୃଷକମାନଙ୍କର ରୋଜଗାର ବୃଦ୍ଧି ଲକ୍ଷ୍ୟ ପୂରଣରେ କୃଷି ଭିତ୍ତିଭୂମି ଏବଂ ଉନ୍ନୟନ ସେସ୍ ପାଣ୍ଠି କେତେଦୂର ସଫଳ ହୋଇପାରୁଛି ତାହା ଦେଖିବାକୁ ବାକି ରହିଛି । ଅଗ୍ରଗତିର ଧାରାରେ, ଏହି ପାଣ୍ଠିକୁ କିଭଳି ଉପଯୋଗ କରାଯାଉଛି, ତାହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ।
ଏସ୍.ମହେନ୍ଦ୍ର ଦେବ, କୁଳପତି, ଇନ୍ଦିରା ଗାନ୍ଧି ଉନ୍ନୟନ ଗବେଷଣା ସଂସ୍ଥା