ଲକ୍ଷ୍ନୌ: ଦିବ୍ୟାଙ୍ଗ ହୋଇ ବି ସକ୍ଷମ । କାହା ଉପରେ ସେମାନେ ବୋଝ ନୁହନ୍ତି । କାରଣ ସମାଜରେ ଅଧିକାଂଶ ଦିବ୍ୟାଙ୍ଗ ବ୍ୟକ୍ତି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ନାଚ, ଗୀତ ଠାରୁ ଆରମ୍ଭ କରି ପ୍ରଶାସନିକ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଯୁଗ ବଦଳିବା ସହ ଲୋକଙ୍କ ମାନଷିକତା ମଧ୍ୟ ପରିବର୍ତ୍ତନ ହୋଇଛି । ଦିବ୍ୟାଙ୍ଗକୁ ନିଜ କାଫେରେ କାମ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଡାଭିସ ବଶିଷ୍ଟ (Davish Vashisht) । ଆଗ୍ରାର ( Tajganj) ତାଜଗଞ୍ଚ ଅଞ୍ଚଳରେ ତାଙ୍କର ରହିଛି ବ୍ରେଡ୍ ଏନ ମାଇମ୍ (Bread n Mime) କାଫେ । ଯେଉଁଠାରେ ୩ ଜଣ ଦିବ୍ୟାଙ୍ଗ କାର୍ଯ୍ୟ କରୁଛନ୍ତି ।
କାଫେ ମାଲିକ ଡାଭିସ କୁହନ୍ତି ଯେ, ‘କୋରୋନା ସମୟରେ କାଫେରେ କାମ କରୁଥିବା କର୍ମଚାରୀ ଛାଡି ପଳାଇ ଯାଇଥିଲେ । ଯାହାକୁ ନେଇ ସେ ଖୁବ୍ ଚିନ୍ତିତ ଥିଲେ । ପରେ ୨୦୨୧ରେ ଜାହିଦ୍ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ତାଙ୍କ ପାଖକୁ କାମ ପାଇଁ ଆସିଥିଲା । ପରେ ତାକୁ ସେ ନିଜ କାଫେର କାମ ଦେଇଥିଲେ । ଜାହିଦର ଆଚାର ବ୍ୟବହାରରେ ତାଙ୍କ ମନକୁ ବେଶ ଛୁଇଁଥିଲା । ପରେ ସେ ମନସ୍ତ କରିଥିଲେ ଏଭଳି ଦିବ୍ୟାଙ୍ଗଙ୍କୁ କାଫେରେ କାମ ଦେବା ପାଇଁ । ଗତକିଛି ଦିନର ବ୍ୟବଧାନ ପରେ ସେ ଫୁଣି ନିଜ କାଫେରେ ୨ ଜଣ ଦିବ୍ୟାଙ୍ଗଙ୍କୁ କାମ ଦେଇଥିଲେ ’।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କାଫେରେ କାମ କରିବା ପୂର୍ବରୁ ସେମାନଙ୍କୁ ୧୫ ଦିନ ଲେଖାଏଁ ଟ୍ରେନିଂ ଦିଆଯାଇଥାଏ । ଯାହା ସେମାନଙ୍କୁ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । କାଫେରେ ଥିବା ପ୍ରତ୍ୟେକ ଟେବୁଲରେ ଇଲେକ୍ଟ୍ରିକ୍ ସୁଇଚ୍ ରହିଛି । ଯାହାକୁ କେବଳ ଦବାଇବା ମାତ୍ରେ ରିସେପ୍ସନ୍ରେ ଥିବା ବଲବ୍ ଜଳିଯାଏ। ସେହି ବଲବରେ ଟେବୁଲର ନମ୍ବର ଲେଖାଯାଇଥାଏ । ତେଣୁ କର୍ମଚାରୀମାନେ ତୁରନ୍ତ ଅର୍ଡର ପାଇଁ ଟେବୁଲ ପାଖରେ ପହଞ୍ଚନ୍ତି । ସମସ୍ତ ଟେବୁଲରେ ଥିବା ବୁକଲେଟ୍ ଥାଏ । ଯେଉଁଥିରେ ଗ୍ରାହକଙ୍କ ନିଜ ଅର୍ଡର ଲେଖି ଦେଇଥାନ୍ତି । ’ ଏହି କାଫେକୁ ଏବେ ସମଗ୍ର ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।