କାବୁଲ: ଆଜି (ଶନିବାର) ପୁଣି ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ପ୍ରବଳ ଗୁଳି ବିନିମୟ ହୋଇଥିବାର ଖବର ଆସିଛି । କୁହାଯାଉଛି ଶନିବାର ଦିନ ବିମାନବନ୍ଦର ନିକଟରେ ଗୁଳି ବିନିମୟ ହୋଇଥିଲା । ଏହା ସହିତ ବିମାନବନ୍ଦର ବାହାରେ ଭିଡ଼ ହୋଇଥିବା ଯୋଗୁଁ ଲୁହବୁହା ଗ୍ୟାସ ସେଲ ମଧ୍ୟ ବ୍ୟବହାର କରାଯାଇଥିଲା।
ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ, ଏହି ଗୁଳି ବିନିମୟରେ କାହାର ମୃତାହତ, ଆଘାତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିଏ ଗୁଳି ଚଳାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସେଠାରେ ସୁରକ୍ଷା ଅବସ୍ଥା ବିପର୍ଯ୍ୟସ୍ତ ରହିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବେ (ଗୁରୁବାର) ବିମାନ ବନ୍ଦର ବାହାରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଏହି ଆତ୍ମଘାତୀ ବିସ୍ଫୋରଣରେ 169 ଆଫଗାନିସ୍ତାନ ଏବଂ 13 ଜଣ ଆମେରିକୀୟ ସୈକଙ୍କ ମୃତ୍ୟୁ ଘଟିଥିଲା। ଭବିଷ୍ୟତରେ ଅଧିକ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ଆମେରିକୀୟ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି ।
ଅଧିକାଂଶ ପାଶ୍ଚାତ୍ୟ ଦେଶଗୁଡିକ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିଛନ୍ତି । ମଙ୍ଗଳବାର ସୁଦ୍ଧା ଅନେକ ଦେଶ ସେମାନଙ୍କ ସ୍ଥାନାନ୍ତରଣ ମିଶନ ଶେଷ କରିବେ ବୋଲି ଆଶା କରାଯାଉଛି।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ