ଶ୍ରୀନଗର: କିଛି ଦିନ ତଳେ ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାରୁ ଗୋଟିଏ କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଭିଡିଓରେ ସେହି ଝିଅଟି ନିଜ ସ୍କୁଲର ସମସ୍ୟା ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା । ଝିଅଟି ମୋଦିଙ୍କୁ କହିଥିଲା, ଆପଣ ସମସ୍ତଙ୍କ କଥା ଶୁଣନ୍ତି । ଆଜି ଟିକେ ମୋ କଥା ଶୁଣନ୍ତୁ । ତେବେ ସତକୁ ସତ ପ୍ରଧାନମନ୍ତ୍ରୀ କୁନି ଝିଅ ସିରତର କଥା ଶୁଣିଛନ୍ତି । ତୃତୀୟ ଶ୍ରେଣୀର ପଢୁଥିବା ସିରତର ଆଶା ପୂରଣ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ସମସ୍ୟା ଜଣାଇବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସିରତ ପଢୁଥିବା ସରକାରୀ ସ୍କୁଲକୁ ନୂଆ ରୂପ ଦେବାକୁ କାର୍ଯ୍ୟ ଆରମ୍ଭ କରିଦେଇଛି । ଅବ୍ୟବସ୍ଥା ଘେରରେ ଥିବା ଉକ୍ତ ସ୍କୁଲର ସୌନ୍ଦର୍ଯ୍ୟକରଣ କରାଯାଇ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ।
ଗତ ସପ୍ତାହରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କୁନି ଝିଅ ସିରତ ଖୁବ୍ ଚର୍ଚ୍ଚାରେ ରହିଥିଲା । ୪ ମିନିଟ୍ରେ ଉକ୍ତ ଭିଡିଓରେ ସିରତ କହିଥିଲା ଯେ, ମୋଦି ଜୀ, ଆପଣ ସମସ୍ତଙ୍କ କଥା ଶୁଣନ୍ତି । ଦୟାକରି ମୋ କଥା ବି ଶୁଣନ୍ତୁ । ମୁଁ ଲୋହାଇ ସରକାରୀ ସ୍କୁଲରେ ପାଠ ପଢେ । ସ୍କୁଲର ସ୍ଥିତି ଅତ୍ୟନ୍ତ ଖରାପ । ବସିବା ପାଇଁ ଡେସ୍କ ନାହିଁ । ଧୂଳିରେ ଭର୍ତ୍ତି ଅଳିଆ ଚଟାଣରେ ବସିବାକୁ ପଡୁଛି । ଯେଉଁଥିପାଇଁ ସ୍କୁଲ ୟୁନିଫର୍ମ ଅଳିଆ ହୋଇଯାଉଛି । ଏଥିପାଇଁ ଘରେ ମାଆ ଗାଳି ଦେଉଛନ୍ତି । ଏଠାରେ ଶୌଚାଳୟ ନଥିବାରୁ ଖୋଲାରେ ଶୌଚ କରିବାକୁ ପଡୁଛି । ଏହାସହିତ ଅଧାପନ୍ତରିଆ ହୋଇ ପଡି ରହିଥିବା ଏକ ସ୍କୁଲର ବିଲ୍ଡିଂ ବିଷୟରେ ବି ଝିଅଟି ଜଣାଇଥିଲା ।
ଏହାମଧ୍ୟ ପଢନ୍ତୁ: ମେଳାରେ ଚାଟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ସିରତର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ସ୍କୁଲରେ ଥିବା ସମସ୍ୟା ସମାଧାନ କରି ଏହାକୁ ନୂଆ ରୂପ ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଶିକ୍ଷା ନିର୍ଦ୍ଦେଶକ ରବିଶଙ୍କର ଶର୍ମା ସ୍କୁଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି ସ୍କୁଲର ନବୀକରଣ ପାଇଁ ୯୧ ଲକ୍ଷ ଟଙ୍କାର ଏକ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା । ହେଲେ ପ୍ରଶାସନିକ ଅନୁମୋଦନ କାରଣରୁ କାର୍ଯ୍ୟ ଅଟକି ରହିଥିଲା । ବର୍ତ୍ତମାନ ସେସବୁର ସମାଧାନ ହୋଇ ସ୍କୁଲ ନବୀକରଣ କାର୍ଯ୍ୟ ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ