ଗାନ୍ଧୀନଗର: ବେଳେବେଳେ କେତେକ ଘଟଣା ୱେବ୍ ସିରିଜ୍ର କୌଣସି କାହାଣୀ ଭଳି ମନେହୁଏ । ଗୁଜୁରାଟର ଭଦୋଦରାରେ ଏଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀ ଓ ଶ୍ବଶୁର ଘର ବିରୋଧରେ ପୋଲିସ୍ରେ ଏତଲା ଦେଇଛନ୍ତି । କାରଣ ସେ ବିବାହର ୬ ବର୍ଷ ପରେ ଜାଣିଲେ ଯେ ତାଙ୍କ ସ୍ବାମୀ ଜଣେ ମହିଳାରୁ ପୁରୁଷ ହୋଇଛନ୍ତି । ଏହାକୁ ନେଇ ଗୋତ୍ରୀ ଥାନାରେ ଏତଲା ଦିଆଯାଇଛି ।
ଭଦୋଦରାର ଜଣେ ମହିଳା ଜାମ୍ ନଗରର ଜଣେ ବ୍ୟକ୍ତିଙ୍କୁ ୨୦୦୬ ମସିହାରେ ବିବାହ କରିଥିଲେ । ତେବେ ୨୦୧୧ରେ ଏକ କାର୍ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ଓ ତାଙ୍କ ଝିଅ ବାପ ଘରେ ରହିବାକୁ ଲାଗିଲେ ଏହାରି ମଧ୍ୟରେ ମହିଳା ଜଣକ ଏକ ଚାକିରି ମଧ୍ୟ କରିବା ଆରମ୍ଭ କରିଥିଲେ । ଝିଅର ଭବିଷ୍ୟତ ପାଇଁ ପୁନଃ ବିବାହ କରିବାକୁ ଚିନ୍ତା କରି ଏକ ମାଟ୍ରିମୋନିଆଲ ସାଇଟ୍ରେ ପଞ୍ଜିକରଣ କରିଥିଲେ ।
ସେଠାରୁ ସେ ବିରାଜ ନାମକ ବ୍ୟକ୍ତିଙ୍କ ସହ ଦେଖା ହୋଇ ୨୦୧୪ରେ ତାଙ୍କୁ ବିବାହ କରିଥିଲେ । ତେବେ ଏହାକୁ ନେଇ ବିରାଜ ତାଙ୍କ ପରିବାର ବର୍ଗଙ୍କୁ ଜଣାଇନଥିଲେ । ତେବେ ପରବର୍ତ୍ତୀ ସମୟରେ ପରିବାର ବର୍ଗଙ୍କୁ କୌଣସିମତେ ଉଭୟ ମନାଇ ନେଇଥିଲେ । ଇତି ମଧ୍ୟରେ ବାହାଘରକୁ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହୋଇ ପାରିନଥିଲା । ବିରାଜ ଅଧିକାଂଶ ସମୟ କୌଣସି ଏକ ସର୍ଜରୀ କଥା କହି କୋଲକାତା ଯାଉଥିଲେ । ଏହି ସର୍ଜରୀ ବିଷୟରେ ପଚାରିଲେ ଝଗଡ଼ା କରୁଥିଲେ ।
ପ୍ରାୟ ସମୟ ସେ ମୋଟାପଣ ପାଇଁ ସର୍ଜରୀ କରାଇବାକୁ ଯାଉଥିବା କଥା କହୁଥିଲେ । କିଛି ଦିନପୂର୍ବରୁ ସେ ମହିଳାଙ୍କୁ କହିଥିଲେ ଯେ, ସେ ପୁର୍ବରୁ ପୁଅ ନଥିଲେ ବରଂ ଝିଅରୁ ଅପରେସନର ମାଧ୍ୟମରେ ପୁଅ ହୋଇଛନ୍ତି । ଏଥିପାଇଁ ସେ ଅଧିକାଂଶ ସମୟ ଚିକିତ୍ସା ପାଇଁ କୋଲକାତା ଯାଉଥିଲେ । ଏହା ଜାଣିବା ପରେ ମହିଳା ଜଣକ ଶାଶୁ ଶ୍ବଶୁରଙ୍କ ସହ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏହିଭଳି ଭାବରେ ପୂର୍ବରୁ ମଧ୍ୟ ବିରାଜ ଜଣେ ମହିଳାଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା ।