ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସବାରେ ମଧ୍ୟ ପାରିତ ହୋଇଛି ଓବିସି ସଂରକ୍ଷଣ ସଂଶୋଧନ ବିଧେୟକ(OBC Bill) । ବୁଧବାର ରାଜ୍ୟସଭାରେ ସମ୍ବିଧାନର ୧୨୭ ତମ ସଂଶୋଧନ ଉପରେ ହୋଇଥିଲା ବ୍ୟାପକ ଚର୍ଚ୍ଚା । ଦୀର୍ଘ ଘଣ୍ଟାର ବିତର୍କ ପରେ ମତ ବିଭାଜନ ଜରିଆରେ ବିଲ୍ ପାରିତ ହୋଇଛି ।
ବିଧେୟକ ସପକ୍ଷରେ ପଡିଛି ମୋଟ ୧୮୭ ଭୋଟ । ଅଗଷ୍ଟ ୧୦ରେ ଲୋକସଭାରେ ପାରିତ ହୋଇଥିଲା ଏହି ବିଲ୍ । ବର୍ତ୍ତମାନ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନରେ ପରିଣତ ହେବ ବିଧେୟକ ।
![ରାଜ୍ୟସଭାରେ ସମ୍ବିଧାନର ୧୨୭ ତମ ସଂଶୋଧନ ବିଧେୟକ ପାରିତ](https://etvbharatimages.akamaized.net/etvbharat/prod-images/12743644_fff.jpg)
ରାଜ୍ୟସଭାରେ ମୌସୁମୀ ଅଧିବେଶନର ଏହା ପ୍ରଥମ ଦିନ ଯେତେବେଳେ ଏକ ବିଲ୍ ଉପରେ ଦୀର୍ଘ ଘଣ୍ଟାର ଲମ୍ବା ଆଲୋଚନା ହୋଇଥିଲା । ଏହି ବିଲ୍ ଉପରେ ଆଲୋଚନା ବେଳେ ପ୍ରାୟ ସମସ୍ତ ଦଳ ସର୍ବସମ୍ମତି କ୍ରମେ ଏହି ବିଲ୍କୁ ସମର୍ଥନ କରିଥିଲେ। ସଂସଦରେ ଏକ ବିଲ୍ ବିରୋଧରେ ଗୋଟିଏ ବି ଭୋଟ୍ ପଡିନଥିଲା ।
ପେଗାସସ ଏବଂ କୃଷି ଆଇନ ପ୍ରସଙ୍ଗରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟରେ କ୍ରମାଗତ ବାଧା ଉପୁଜିଆସୁଥିଲା । ଏହି ବିଲ୍ର ରାଜନୈତିକ ପରିଣାମକୁ ଦୃଷ୍ଟିରେ ରଖି କୌଣସି ଦଳ ଓବିସି ବିଧେୟକକୁ ବିରୋଧ କରିବାର ରିସ୍କ ଉଠାଇବାକୁ ଚାହୁଁନଥିଲେ । ଏଥିପାଇଁ ନିର୍ବିରୋଧରେ ପାରିତ ହୋଇଛି ବିଧେୟକ ।
ମଙ୍ଗଳବାର ଓବିସି ସମ୍ବନ୍ଧୀୟ 127 ତମ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ପାରିତ ହୋଇଥିଲା। କଂଗ୍ରେସ, ଏସପି, ବିଏସପି ସମେତ ସମଗ୍ର ବିରୋଧୀ ମୋଦି ସରକାରଙ୍କ ଏହି ବିଲ୍କୁ ସମର୍ଥନ କରିଛନ୍ତି। ଏହି ବିଲ୍ ସମ୍ବନ୍ଧରେ ଲୋକସଭାରେ ଭୋଟିଂ ସମୟରେ ମୋଟ 385 ସାଂସଦ ଏହାର ସପକ୍ଷରେ ଭୋଟ୍ ଦେଇଥିବାବେଳେ ଏହା ବିରୋଧରେ ଗୋଟିଏ ବି ଭୋଟ ପଡିନଥିଲା ।