ନ୍ୟୁୟର୍କ: ଦଶନ୍ଧି ଦଶନ୍ଧିର ଗୃହଯୁଦ୍ଧରୁ ମୁକୁଳିଥିବା ଆଫଗାନିସ୍ତାନ ସ୍ବାଧିନତାର ସ୍ବାଦ ଚାଖିବା ପୂର୍ବରୁ ପୁଣି ଥରେ ସେହି ବର୍ବରତା ଶାସନ ତାଲିବାନ ଅଧିନକୁ ଚାଲିଯାଇଛି । ଦେଶରେ ଏବେ ସଂକଟର କଳାବାଦଲ ଘନେଇବାରେ ଲାଗିଛି । ନିଷ୍ପାପ ନିରୀହ ଆଫଗାନ ଜନତା ଏବେ ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ପଳାଇବାରେ ଲାଗିଛନ୍ତି । ଦେଶର ସଂକଟ ଅତି ଜଟିଳ ହେବାରେ ଲାଗିଛି । ଯାହାକୁ ନେଇ ବିଶ୍ବବ୍ୟାପୀ ହଲଚଲ ବଢୁଥିବା ବେଳେ ଆମେରିକାରେ ମଧ୍ୟ ବିକ୍ଷୋଭ ଆରମ୍ଭ ହୋଇଯାଇଛି ।
ଗୋଟିଏ ପଟେ ନିଜର ଜନ୍ମଭୂମିରେ ପ୍ରିୟ ପରିଜନ ବିପଦରେ ଥିବା ବେଳେ ଅନ୍ୟପଟେ ଆମେରିକାରେ ଥିବା ପ୍ରବାସୀ ଆଫଗାନିସ୍ତାନ ନାଗରିକ ମାନେ ଆଜି ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ବିକ୍ଷୋଭ ସହ ନାରାବାଜୀ କରିଛନ୍ତି । ହ୍ବାଇଟ ହାଉସ ବାହାରେ ଆଜି ଶହ ଶହ ସଂଖ୍ୟାରେ ଆଫଗାନ ନାଗରିକ ଏକାଠି ହୋଇ ଆଫଗାନିସ୍ତାନ ସ୍ଥିତି ପାଇଁ ବାଇଡେନ ଦାୟୀ ବୋଲି କହିଛନ୍ତି । ବିକ୍ଷୋଭ ବେଳେ ଆଫଗାନ ବିକ୍ଷୋଭକାରୀ କହିଛନ୍ତି ୨୦ ବର୍ଷ ପରେ ଦେଶ ପୁଣି ଥରେ ୨ ହଜାର ବର୍ଷ ତଳକୁ ଚାଲିଗଲା ।
ସେହିପରି ବିକ୍ଷୋଭକାରୀ ଆଶଙ୍କା କରି କହିଛନ୍ତି ଯେ ଆମେ ଶାନ୍ତି ଚାହୁଁଛୁ, ଯଦି ଦେଶକୁ ତାଲିବାନ ଶାସନ କରିବ ଅନେକ ଓସାମା ବିନ ଲାଡେନ ଜନ୍ମ ହେବେ । ତାଲିବାନି ପାକିସ୍ତାନ ଆତଙ୍କବାଦୀଙ୍କ ସହ ମିଶି ନରସଂହାର କରିବ । ମହିଳାଙ୍କ ଇଜ୍ଜତ ଲୁଟିବ । ଦେଶର ଅରାଜକତା ସୀମା ଡେଇଁବ । ଏଥିପାଇଁ ଆମେରିକାରେ ଥିବା ଆଫଗାନ ନାଗରିକ ରାଷ୍ଟ୍ରପତି ବାଇଡେନଙ୍କୁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ସୁଦ୍ଧା ଆମେରିକା ସେନା ଆଫଗାନ ଛାଡିଦେବେ । ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତରୁ ଅଧିକ ସେନା ଦେଶ ଛାଡି ସାରିଛନ୍ତି । ତେବେ ଏବେବି ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆମେରିକା ସେନା କାବୁଲ ବିମାନ ବନ୍ଦରକୁ ନିଜ କବଜାରେ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ