ଜୟପୁର: ଅଭିନେତା ସଲମାନ ଖାନଙ୍କ ଓକିଲଙ୍କୁ ହତ୍ୟା ଧମକ । ସଲମାନଙ୍କ ଓକିଲ ଏଚ.ସାରସ୍ବତ ଏକ ହତ୍ୟା ଧମକପୂର୍ଣ୍ଣ ଚିଠି ପାଇଛନ୍ତି । ଯେଉଁଥିରେ ତାଙ୍କ ଅବସ୍ଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ପରି ହେବା ନେଇ ଉଲ୍ଲେଖ ରହିଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ରାଜସ୍ଥାନ ପୋଲିସ ପକ୍ଷରୁ ଆଇନଜୀବୀ ସାରସ୍ବତଙ୍କୁ ପୋଲିସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଯୋଧପୁର ଇଷ୍ଟ ପୋଲିସ କମିଶନର ସୂଚନା ଦେଇଛନ୍ତି ।
କିଛି ଦିନ ପୂର୍ବରୁ ସଲମାନ ଖାନଙ୍କ ପିତା ସଲିମ ଖାନ ମଧ୍ୟ ହତ୍ୟା ଧମକପୂର୍ଣ୍ଣ ଏକ ଚିଠି ପାଇଥିଲେ । ଏକ ପାର୍କରେ ସେ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ତାଙ୍କର ଏହି ଚିଠି ହସ୍ତଗତ ହୋଇଥିଲା । ଯେଉଁଥିରେ ତାଙ୍କୁ ଓ ସଲମାନଙ୍କୁ ହତ୍ୟା କରାଯିବା ନେଇ ଉଲ୍ଲେଖ ରହିଥିଲା । ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ତଦନ୍ତ ମଧ୍ୟ କରିଥିଲା ।
ସଲମାନଙ୍କ ପରିବାର ଓ ତାଙ୍କ ସହଯୋଗୀଙ୍କୁ ଗୋଟିଏ ପରେ ଗୋଟିଏ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ହାତ ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଲରେନ୍ସ ସିଧାସଳଖ କ୍ୟାମେରା ସାମ୍ନାରେ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଛି । ଲରେନ୍ସ ବର୍ତ୍ତମାନ ଜେଲରେ ଥିବା ବେଳେ ତାର ସହଯୋଗୀ ଅପରାଧୀମାନେ ଏପରି କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ