ଅହମଦାବାଦ: ଗୁଜୁରାଟରେ ଆସନ୍ତା ବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠୁ ସରଗରମ ହୋଇ ଉଠିଛି ରାଜନୀତି । ଦିଲ୍ଲୀରେ କ୍ରମାଗତ ନିଜର ଦବଦବା ଜାହିର କରିଆସୁଥିବା ଆମ ଆଦମୀ ପାର୍ଟି ଏବେ ଗୁଜୁରାଟରେ ମାରିଛି ଏଣ୍ଟ୍ରି ।
ଆମ ଆଦମୀ ପାର୍ଟି 2022ରେ ଗୁଜୁରାଟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଦଳ ସମସ୍ତ ଆସନରେ ନିଜର ପ୍ରାର୍ଥୀଙ୍କୁ ଛିଡା କରିବା ନେଇ କହିଛନ୍ତି ଆପ ମୁଖିଆ ।
ଏହାପୂର୍ବରୁ ନିଜର ଗୁଜୁରାଟ ଗସ୍ତ ପୂର୍ବରୁ ରବିବାର ଅରବିନ୍ଦ କେଜ୍ରିୱାଲ ଗୁଜୁରାଟୀ ଭାଷାରେ କରିଥିଲେ ଟ୍ବିଟ । ସେ କହିଥିଲେ, ରାଜ୍ୟରେ ଏବେ ପରିବର୍ତ୍ତନ ହେବ । ମୁଁ ଗୁଜୁରାଟ ଆସୁଛି । ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଟିଦାର ହେବା ଦରକାର ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଥିଲେ କେଜ୍ରିୱାଲ ।
ଗୁଜୁରାଟର ଗଳିକନ୍ଦିରେ ଏବେ ଜୋରଶୋରରେ ଚାଲିଛି ରାଜନୀତି ଚର୍ଚ୍ଚା । ଆମ ଆଦମୀ ପାର୍ଟି ମଧ୍ୟ ଏହି ସମୟରେ ରାଜ୍ୟରେ ସକ୍ରିୟ ଭୂମିକାପରେ ରହିଛି । ଏହି ଆଧାରରେ ଦଳ ପାଟିଦାର ସମାଜକୁ ନେଇ ଗୋଟିଚାଳନା ପାଇଁ ହାର୍ଦ୍ଦିକ ପଟେଲଙ୍କୁ ନିଜର ନିର୍ବାଚନୀ ଚେହେରା କରିବାକୁ ଚାହୁଁଛି । ଏଭଳିସ୍ଥିତିରେ ଭବିଷ୍ୟତରେ ହାର୍ଦ୍ଦିକ ପଟେଲ ଆପରେ ସାମିଲ ହେବାର ଅଟକଳକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
2021 ସୁରଟ ନଗରପାଳିକାର 120ରୁ 27 ଆସନ ଜିତିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଏହା ଦ୍ବିତୀୟ ଥର ଗୁଜୁରାଟ ଗସ୍ତ । ଆପ ପ୍ରତ୍ୟେକ ୱାର୍ଡରେ ନିଜର ପ୍ରାର୍ଥୀ ଛିଡା କରିଥିଲା । ପାଟିଦାର ଆରକ୍ଷଣ ଆନ୍ଦୋଳନ ଚେହେରା ଓ ଯୁବ ନେତା ହାର୍ଦ୍ଦିକ ପଟେଲ ବର୍ତ୍ତମାନ ସମୟରେ ଗୁଜୁରାଟ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ହେଲେ ପୌରପାଳିକା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ରହିଥିଲା ।