ନୂଆଦିଲ୍ଲୀ: ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ପୂର୍ବତନ ସ୍ବାସ୍ଥ୍ୟ ସତ୍ୟୈନ୍ଦ୍ର ଜୈନ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ସ୍ବାସ୍ଥ୍ୟ ବିଗିଡ଼ିବା ଯୋଗୁଁ ତାଙ୍କୁ ସଫଦରଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥତାର କାରଣ ଜଣାପଡ଼ିନଥିବାବେଳେ ତାଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ଆପ ନେତା ତଥା ଦିଲ୍ଲୀ ପୂର୍ବତନ ସ୍ବାସ୍ଥ୍ୟ ସତ୍ୟୈନ୍ଦ୍ର ଜୈନଙ୍କ ଓଜନ ପ୍ରାୟ ୩୫ କିଲୋଗ୍ରାମ ହ୍ରାସ ପାଇଛି । କିଛି ଦିନ ପୂର୍ବରୁ ଜେଲରେ ସତ୍ୟୈନ୍ଦ୍ର ଜୈନ୍ଙ୍କୁ ଏକୁଟିଆପଣ ଅନୁଭବ ହେଉଥିବା ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କୁ ଆବଶ୍ୟକ ଅନୁଯାୟୀ ଚିକିତ୍ସା ଯୋଗାଇ ଦେବା ସହ ମନୋସ୍ତତ୍ତ୍ବିତଙ୍କ ସାହାଯ୍ୟ ନେବାକୁ ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି, ସତ୍ୟୈନ୍ଦ୍ର ଜୈନ୍ ତିହାର ଜେଲ କ୍ଲିନିକରେ ଜଣେ ମନୋସ୍ତତ୍ତ୍ବିତଙ୍କ ପରାମର୍ଶ ନେଇଥିଲେ । ଜେଲ୍ରେ ଅନ୍ୟ କଏଦୀଙ୍କ ସହ ମିଳିମିଶି ରହିବାକୁ ସେ ପରାମର୍ଶ ଦେଇଥିଲେ । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯଦି ଜଣେ କଏଦୀ ମାନସିକ ଚାପ ବା ଡିପ୍ରେସନରେ ପୀଡ଼ିତ ଅଛନ୍ତି । ତେବେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏପରି ପରିସ୍ଥିତିରେ ସତ୍ୟୈନ୍ଦ୍ର ଜୈନ ଯଦି ମାନସିକ ଚାପ ଦେଇ ଗତି କରୁଛନ୍ତି, ତାଙ୍କର ବର୍ତ୍ତମାନର ମାନସିକ ସ୍ଥିତି ଜାଣିବା ପାଇଁ ଜଣେ ମନୋସ୍ତତ୍ତ୍ବିତଙ୍କ ସାହାଯ୍ୟ ନିଆଯିବ । ସେ କୌଣସି କାରଣରେ ଚାପରେ ପୀଡ଼ିତ ଥିଲେ ଆବଶ୍ୟକ ଅନୁଯାୟୀ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
ଅନ୍ୟପକ୍ଷରେ, ଗତ କିଛି ଦିନ ପୂର୍ବରୁ ତିହାର ଜେଲ ପ୍ରଶାସନ ସତ୍ୟୈନ୍ଦ୍ର ଜୈନଙ୍କ ସେଲ୍କୁ ଦୁଇ ଜଣ କଏଦୀଙ୍କୁ ସ୍ଥାନାନ୍ତର କରିବା ନେଇ ଜେଲ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ସତ୍ୟୈନ୍ଦ୍ର ନିଜକୁ ଏକୁଟିଆପଣ ଅନୁଭବ କରୁଥିବାରୁ ତାଙ୍କ ସହ କେହି ନା କେହି ରହିବା ଉଚିତ । କିନ୍ତୁ ଅଧିକ୍ଷକ ଜେଲ୍ ପ୍ରଶାସନକୁ କୌଣସି ସୂଚନା ନଦେଇ ତାଙ୍କ ସେଲ୍କୁ ଦୁଇ ଜଣ କଏଦୀଙ୍କୁ ପଠାଇଥିବା ଜେଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ପ୍ରକାଶ ଥାଉକି, ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍ଙ୍କୁ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ଥର ସମନରେ ଡାକି ଜେରା କରିବା ପରେ ଗତବର୍ଷ(2022) ମେ’ 30 ତାରିଖରେ ଗିରଫ କରିଥିଲା । ତାଙ୍କ ବିରୋଧରେ ମନିଲଣ୍ଡ୍ରିଂ ପ୍ରିଭେନସନ ଆକ୍ଟ ଅନୁସାରେ ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା ତଦନ୍ତକାରୀ ସଂସ୍ଥା । ଏକାଧିକ ଥର ବେଲ୍ ଖାରଜ ହେବା ସହ ଜୈନ୍ ଏବେ ତିହାର ଜେଲ୍ରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଗତମାସ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କ ବେଲ ଆବେଦନ ଖାରଜ କରିଦେଇଥିଲେ । ମାର୍ଚ୍ଚ 21ରେ ଏହି ଜାମିନ ଆବେଦନର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚାଲେଞ୍ଜ କରିଛନ୍ତି ସତ୍ୟେନ୍ଦ୍ର ଜୈନ ।