ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ନେଇ ବିଜେପି ଆପ୍ ମୁହାଁମୁହିଁ । ଆମ୍ ଆଦମୀ ପାର୍ଟି ବିଜେପି ହେଡକ୍ବାର୍ଟର ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘରେ ଆକ୍ରମଣ ପାଇଁ ଲୋକମାନଙ୍କୁ ଉସକାଉଥିବା ଅଭିଯୋଗ କଲା ବିଜେପି । ଦିଲ୍ଲୀ ବିଧାନସଭାର ବିରୋଧି ଦଳ ନେତା ରାମବୀର ସିଂହ ବିଧୁରି(Ramvir Singh Bidhuri) ଏହି ଅଭିଯୋଗ ଆଣିଛନ୍ତି । ବିଧୁରି କହିଛନ୍ତି, ଆପ୍ ନେତା ଗୃହମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ପାଇଁ ଉସକାଉଛି । ଯାହାକି ଦାୟିତ୍ବହୀନତା ଏବଂ ବେଆଇନ ମଧ୍ୟ । ଆପ୍ ନେତା ନିଜ ଲଜ୍ଜାଜନକ ବୟାନ ପାଇଁ ସାରା ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ।
ଏକ ବିବୃତ୍ତିରେ ବିଧୁରି ଆହୁରି ମଧ୍ୟ କହିଛନ୍ତି, ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଅଭିଯାନ ଦ୍ବାରା ଆପ୍ ନେତାମାନେ ଯେପରି ଭାବେ କଷ୍ଟ ପାଇଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ଯେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସେମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି । ଆପ୍ ଲୋକମାନଙ୍କୁ ଉସକାଉଛି ଯେ, ଯଦି ଜବରଦଖଲ ଉଚ୍ଛେଦ ପାଇଁ ବୁଲଡୋଜର ଯାଉଛି, ତାହାହେଲେ ପ୍ରତିଶୋଧ ସୂରୁପ ସେମାନେ ମଧ୍ୟ ବିଜେପି ମୁଖ୍ୟାଳୟ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ବୁଲଡୋଜର ଚଢାଇବା ଦରକାର । ଆପ୍ ନେତା କେବଳ ଖୋଲାଖୋଲି ଏପରି ବୟାନ ଦେଉନାହାନ୍ତି ବରଂ ସୋସିଆଲ ମିଡିଆରେ ଏହାର ପ୍ରଚାର ମଧ୍ୟ କରୁଛନ୍ତି । ଯାହାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଦିଲ୍ଲୀ ବିଜେପି ନେତା କହିଛନ୍ତି ।
ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଆପ୍ ନେତା ଏଭଳି ଅସାମାଜିକ ଘଟଣାର ସମର୍ଥନ କରୁଛନ୍ତି । ଆପ୍ ସରକାର ଦିଲ୍ଲୀରେ ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗାମାନଙ୍କୁ(Rohingyas) ମାଗଣା ବିଜୁଳି, ପାଣି, ବସ୍ ଯାତ୍ରା ଏବଂ ପେନସନ ସୁବିଧା ଯୋଗାଉଛନ୍ତି । ହେଲେ ସେମାନେ ଯେତେବେଳେ ହନୁମାନଙ୍କ ଭକ୍ତଙ୍କ ଉପରେ ଆକ୍ରମଣ କରୁଛନ୍ତି ସେତେବେଳେ ଆପ୍ ନେତାଙ୍କ ପାଟିରୁ ଗୋଟିଏ ଶବ୍ଦ ବାହାରୁନି । କିନ୍ତୁ ଏହି ଆକ୍ରମଣକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆପ୍ କାନ୍ଦିବା ଆରମ୍ଭ ଆରମ୍ଭ କରୁଛି ।