ଥିରୁଅନନ୍ତପୁରମ: କେରଳର କୋଟାୟମ ଜିଲ୍ଲାରେ କେନାଲ ସଫାବେଳେ ଉଦ୍ଧାର ହୋଇଛି ଏକ ଅଜଗର । ତେବେ ଅଜଗର ଉଦ୍ଧାର ହେବା କିିଛି ନୂଆ କଥା ହୋଇନଥିବାବେଳେ ପରବର୍ତ୍ତୀ କିଛି ନାଟକୀୟ ସ୍ଥିତି ପାଇଁ ଚର୍ଚ୍ଚାର ପରିସରକୁ ଆସିଛି ଏହି ଘଟଣା। ସାପକୁ ଉଦ୍ଧାର କରିଥିବା ଲୋକେ ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ବନ କର୍ମଚାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ସ୍ଥିତି ଏପରି ହୋଇଥିଲା ଯେ, ଲୋକେ ସାପଟିକୁ ଧରି ସ୍ଥାନୀୟ ଥାନାରେ ପହଞ୍ଚିବା ସହ ପୋଲିସକୁୁ ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲେ । ଏହା ବନ ବିଭାଗର କାର୍ଯ୍ୟ ବୋଲି କହି ପୋଲିସ ସାପକୁ ଗ୍ରହଣ ନକରିବାରୁ ସେଠାରେ ମଧ୍ୟ ଉତ୍ତେଜନାମୂଳକ ପରସ୍ଥିତି ଦେଖିବାକୁ ମିଳିଥିଲା । ଲୋକେ ଓ ପୋଲିସ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ଏପରି କିଛି ଘଟଣା ସାମ୍ନାକୁ ଆସିଲେ ବନ ବିଭାଗ ଦ୍ବାରା ଉଦ୍ଧାର ସାପ କିମ୍ବା ଅନ୍ୟ ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସୁରକ୍ଷିତ ଜଙ୍ଗଲରେ ଛାଡିବାର ବ୍ୟବସ୍ଥା ଥାଏ । ତେବେ ପୋଲିସ ବନ କର୍ମଚାରୀଙ୍କ ଅନୁପସ୍ଥିତିରେ ଏପରି କରିବାକୁ ଆଗ୍ରହ ପ୍ରକାଶ କରିନଥିଲା । ସେଠାରେ ପୋଲିସ ସହ ଯୁକ୍ତିତର୍କ କରିବା ସହ ଜିଦିରେ ଥାନା ପରିସରରେ ଅଡି ବସିଥିଲେ ଲୋକେ । ପରେ ପ୍ରାୟ 4 ଘଣ୍ଟା ବିଳମ୍ବରେ ବନ କର୍ମଚାରୀ ଥାନା ପରିସରରେ ପହଞ୍ଚିବା ସହ ସାପଟିକୁ ଗ୍ରାମବାସୀଙ୍କ ଠାରୁ ନେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ