ବେଙ୍ଗାଲୁରୁ: ରକ୍ତ ଦାନ ମହାପୁଣ୍ୟ । ମଣିଷ ସମାଜରେ ଲୋକେ ରକ୍ତଦାନ କରି ଅନେକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇପାରୁଥିବା ବେଳେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଛି କୁକୁର । ଏକ ଗର୍ଭବତୀ କୁକୁରକୁ ଆଉ ଏକ କୁକୁର ରକ୍ତ ଦାନ କରି ତାର ଜୀବନ ବଞ୍ଚାଇଛି । ଗର୍ଭବତୀ କୁକୁରଟି ରକ୍ତ ହୀନତା ରୋଗରେ ପୀଡ଼ିତ ଥିଲା । ଏକ କୁକୁର ତାକୁ ରକ୍ତ ଦେଇ ଚର୍ଚ୍ଚାର ପରିସରକୁ ଆସିଛି । ଏଭଳି ଏକ ଘଟଣା କର୍ଣ୍ଣାଟକ ହାଭେରି ଜିଲ୍ଲାର ହାନାଗଲ ନିକଟ ଅକ୍କି ଅଲୁର ଗ୍ରାମରେ ଦେଖିବାକୁ ମିଳିଛି ।
ହାଭେରି ଜିଲ୍ଲାର ଏହି ଗ୍ରାମଟି ରକ୍ତ ଦାନ ଲାଗି ବେଶ ଜୁଣାଶୁଣା । ଏହି ଗ୍ରାମର ପ୍ରତି ଘରୁ ଅତି କମରେ ଜଣେ ଲଖାଏଁ ରକ୍ତ ଦାତା ବାହାରିଥାନ୍ତି । ଏମାନେ ଥରେ ନୁହେଁ, ଅନେକ ଥର ରକ୍ତ ଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇଥାନ୍ତି । ମାତ୍ର ଏହି ଗାଁରେ ବିରଳ ଘଟଣା ଘଟିଛି । ଯେଉଁଠି କୁକୁରକୁ ରକ୍ତ ଦେଇଛି ଅନ୍ୟ ଏକ କୁକୁର । ଜଣେ ବ୍ୟକ୍ତି ଏଠାରେ କୁକୁରଙ୍କ ରକ୍ତକୁ ମଧ୍ୟ ସଂଗ୍ରହ କରି ରଖିଥାନ୍ତି । ଆଉ ଯେଉଁ କୁକୁର ଦେହରେ ରକ୍ତ ହୀନତା ରୋଗ ଦେଖିବାକୁ ମିଳେ ତାକୁ ରକ୍ତ ଯୋଗାଇ ଦିଅନ୍ତି । ପଶୁ ହେଉ କି ମଣିଷ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ବ୍ୟକ୍ତି ଜଣକ ପ୍ରମାଣିତ କରିଛନ୍ତି ।
ଏହା ବି ପଢନ୍ତୁ- Fight due to dog: କୁକୁରକୁ ନେଇ ବୁଲିଲା ଲାଠି, ଅନେକ ଆହତ
ଏହି ଅଞ୍ଚଳରେ ଏକ ଗର୍ଭବତୀ କୁକୁର ରକ୍ତହୀନତା ରୋଗରେ ପୀଡ଼ିତ ହେବା ପରେ ବ୍ୟକ୍ତି ଜଣକ ସଂଗ୍ରହ କରି ରଖିଥିବା ରକ୍ତ ଦାନ କରିଥିଲେ । ତେବେ କୁକୁରଟି ୨ ମାସର ଗର୍ଭବତୀ ଥିବାବେଳେ ତାର ନାମ ଜିପ୍ସି ବୋଲି ଜଣାପଡ଼ିଛି । ଜିପ୍ସି ଯେତେବେଳେ ଅସୁସ୍ଥ ହୋଇପଡ଼ିଥିଲା ତାକୁ ନିକଟସ୍ଥ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଜିପ୍ସି ରକ୍ତ ହୀନତା ରୋଗରେ ପୀଡ଼ିତ ଥିବା ଡାକ୍ତର କହିଥିଲେ । ରକ୍ତଦାନ କରିଥିବା କୁକୁର ଜିମ୍ମିର ମାଲିକ ବୈଭବ ପାଟିଲ ଏ ସମ୍ପର୍କରେ ଜାଣିବା ପରେ ରକ୍ତ ଦେବାର ବ୍ୟବସ୍ଥା କରିଥିଲେ ।
ଏହାପରେ ସେ ଜିମ୍ମିର ରକ୍ତ ସଂଗ୍ରହ କରି ଜିପ୍ସିକୁ ଦାନ କରିଥିଲେ । ରକ୍ତ ପାଇବା ପରେ ଜିପ୍ସି ସୁସ୍ଥ ହୋଇଥିବା ଡାକ୍ତର କହିଛନ୍ତି । ଜିପ୍ସିର ମାଲିକ ଜିମ୍ମିର ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ ରକ୍ତ ହୀନତାର ଶିକାର ହୋଇଥାନ୍ତି । ଏହି ବିରଳ ରକ୍ତ ଦାନ ପ୍ରକ୍ରିୟାରେ ଡାକ୍ତର ଅମିତ ପୁରାନିକର, ଡକ୍ଟର ସନ୍ତୋଷ ଓ ବ୍ଲଡ ଟେଷ୍ଟର ଦଡାପିର କାଲାଡାଗି ସାମିଲ ଥିଲେ । ବର୍ତ୍ତମାନ ଯୁଗରେ ମଣିଷ-ମଣିଷ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିବା ବେଳେ ଏପଟେ କୁକୁର ଲାଗି ଚିନ୍ତା ପ୍ରକଟ କରି ବୈଭବ ନିଜ ପାଳିତ କୁକୁର ରକ୍ତ ଦାନ କରିଥିଲେ । ଯାହାକି ତାଙ୍କ ପଶୁପ୍ରେମର ପରିଚୟ ଦେବା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।