ବେଙ୍ଗାଲୁରୁ: ଦିନ ଦିନକୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ବିଦ୍ୟୁତ କିମ୍ବା ବ୍ୟାଟେରୀ ଚାଳିତ ବାହାନ ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ଏଭଳି ସମସୟରେ କର୍ଣ୍ଣାଟକର ଗଡାଗ ଜିଲ୍ଲାରେ ଜଣେ ଛାତ୍ର ଏକ ଇଲେକ୍ଟ୍ରିକ ସାଇକେଲ ତିଆରି କରି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।
ଗଡାଗ ଜିଲ୍ଲାର ଭୋକ୍କାଲାଗେରୀର ଛାତ୍ର ହେଉଛନ୍ତି ପ୍ରାଜୱାଲ ହବିବ୍। ବିନା କାହାର ସହାୟତାରେ ସେ ଉଦ୍ଭାବନ କରିଛନ୍ତି ଇଲେକ୍ଟ୍ରିକ ସାଇକେଲ। ଭଙ୍ଗା ଅଦରକାରୀ ସରଞ୍ଜାମ ବ୍ୟବହାର କରି ଏହି 16 ବର୍ଷୀୟ ଛାତ୍ର ତିଆରି କରିଛନ୍ତି ଇଲେକ୍ଟ୍ରିକ ସାଇକେଲ। ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର ହବିବଙ୍କ ସାଇକେଲ ମାତ୍ର 6ଟଙ୍କା ବ୍ୟୟରେ 30 ରୁ 40 କିମି ମାଇଲେଜ ଦେଖାଉଛି।
ସାଇକେଲ ଉଦ୍ଭାବନ ପାଇଁ 24 ଭୋଲ୍ଟ ଗିଅର ଓ ମୋଟର, ଆକ୍ସେଲେରେଟର, ବ୍ରେକ ଲିଭର୍ସ ବ୍ୟବହୃତ ହୋଇଛି। ମୁମ୍ବାଇରେ ଏଭଳି ସାଇକେଲ ଜଣେ ତିଆରି କରିଥିଲେ। ତାହା ପରେ ଛାତ୍ର ଜଣକ ମଧ୍ୟ ଏଭଳି ସାଇକେଲ ତିଆରି କରିବାକୁ ଚିନ୍ତା କରିଥିଲେ। ପ୍ରାଜୱାଲଙ୍କ ମାମୁଁ ଇଲେକ୍ଟ୍ରିକ ସାଇକେଲ ତିଆରି ଏକ ଭିଡିଓ ପଠାଇ ଥିଲେ।
ଇଲେକ୍ଟ୍ରିକ ସାଇକେଲ ତିଆରି ପାଇଁ ହବିବ ଗୋଟିଏ 12 ଭୋଲ୍ଟ ବ୍ୟାଟେରୀ ଓ 12 ଭୋଲ୍ଟ ଗ୍ରେଡ ମଟର ବ୍ୟବହାର କରିଛନ୍ତି। ଥରେ ବ୍ୟାଟେରୀ ଡିସଚାର୍ଜ ହେବାପରେ ଏହା ଇଲେକ୍ଟ୍ରିକ ସାଇକେଲରେ ପରିବର୍ତ୍ତନ ହୋଇଯାଏ। ଥରେ ବ୍ୟାଟେରୀ ଚାର୍ଜ ହେଲେ ଏହା 20 କିମି ପର୍ଯ୍ୟନ୍ତ ଯାଇ ପାରିବ। କିନ୍ତୁ ଏହା ଧିରେ ଧିରେ ଚାଲିବ। ତେବେ ବ୍ୟାଟେରୀ ଚାର୍ଜ ହେବାକୁ 2 ଘଣ୍ଟା ସମୟ ଲାଗିବ ବୋଲି କହିଛନ୍ତି ପ୍ରାଜୱାଲ।
9 ହଜାର ଟଙ୍କା ବ୍ୟୟରେ ହବିବ ଏହି ସାଇକେଲ ଉଦ୍ଭାବନ କରିଛନ୍ତି। ଯଦି ବ୍ୟାଟେରୀ ଖରାପ ମଧ୍ୟ ହୋଇଯାଏ ତେବେ ପ୍ୟାଡେଲ ଦ୍ବାରା ମଧ୍ୟ ଏହି ସାଇକେଲ ଚାଲି ପାରିବ। ପିଲାଟି ଦିନରୁ ହିଁ ସେ ସାଇକେଲ ତିଆରି କରିବାକୁ ଜିଦ ଧରିଥିଲେ। କିନ୍ତୁ ତାଙ୍କ ବାପାମାଆ ତାଙ୍କୁ କିଛି ଦିନ ପାଇଁ ଅପେକ୍ଷା କରିବାକୁ କହିଥିଲେ। ବର୍ତ୍ତମାନ କଲେଜ ଯିବାକୁ ଦୂର ବାଟ ହେଉଥିବାରୁ ଚାଲି ଯିବାକୁ କଷ୍ଟ ହେଉଥିଲା। ତାଙ୍କ ବାପା ତାକୁ ସାଇକେଲ ତିଆରି ପାଇଁ ସମସ୍ତ ସରଞ୍ଜାମ ଯୋଗାଇ ଦେବେ ବୋଲି କହିଥିଲେ। ଏହାପରେ ସେ ସମସ୍ତ ଜିନିଷ କିଣି ଘରେ ଏକ ଇଲେକ୍ଟ୍ରିକ ସାଇକେଲ ତିଆରି କରିଛନ୍ତି।
ଦିନକୁ ଦିନ ବିଶ୍ବରୁ ପେଟ୍ରୋଲ ଭଳି ସମ୍ବଳ କମି କମି ଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ଦ୍ବାରା ପରିବେଶ ଉପରେ ପଡ଼ୁଛି କୁପ୍ରଭାବ। ଏଭଳି ସ୍ଥିତିରେ ପ୍ରାଜୱାଲ ହବିବଙ୍କ ସାଇକେଲ ପରିବହନ ପାଇଁ ଏକ ମୁଖ୍ୟ ମାଧ୍ୟମ ହୋଇ ପାରିବ। ନିଜ ଅଞ୍ଚଳରେ ପ୍ରାଜୱାଲଙ୍କୁ ନିକଟରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। କିଛି ପ୍ରୋତ୍ସାହନ ମିଳିଲେ ସେ ଆହୁରି ଏଭଳି ଜିନିଷ ଉଦ୍ଭାବନ କରି ପାରିବେ। ଏଥିରେ ତିଳେହେଲେ ସନ୍ଦେହ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ