ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପାଠ ପଢା ଛାଡି ପ୍ରେମରେ ପାଗଳ ହେଲା ଅଷ୍ଟମ ଶ୍ରେଣୀର ଛାତ୍ର । ଶେଷରେ ନାବାଳିକା ଛାତ୍ରୀଙ୍କ ଘରେ ପହଞ୍ଚି ଗଳାରେ ଛୁରୀ ଲଗାଇ ମଥାରେ ସିନ୍ଦୁ ପିନ୍ଧାଇଛନ୍ତି ଛାତ୍ର ଜଣଙ୍କ । ଉତ୍ତର ପ୍ରଦେଶ ମହାରାଜଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଘଟଣା । ଛାତ୍ରଙ୍କ ଏପରି କାରନାମା ପରେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଛାତ୍ର ଜଣଙ୍କୁ ହେପାଜତକୁ ନେଇଥିଲା । ଛାତ୍ର ଜଣଙ୍କ ନାବାଳକ ହୋଇଥିବାରୁ ତାଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରିଛି ପୋଲିସ ।
ନାବାଳକ ଛାତ୍ର ମହାରାଜଗଞ୍ଜ ସହରର ଏକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ସିନ୍ଧୁରିଆ ପୋଲିସ ଷ୍ଟେସନ ପରିସରରେ ତାଙ୍କ ଘର । ସେ ଭଲ ପାଉଥିବା ଛାତ୍ରୀଙ୍କ ଜଣଙ୍କ ଅନ୍ୟ ଏକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ନାବାଳିକା ଜଣଙ୍କ ପୂର୍ବରୁ ଅଭିଯୁକ୍ତ ନାବାଳକ ବିଦ୍ୟାଳୟରେ ପାଠ ପଢୁଥିଲେ । କିନ୍ତୁ ନାବାଳକ ଜଣଙ୍କ ଅନେକ ସମୟରେ ନାବାଳିକା ଜଣଙ୍କୁ ହଇରାଣ କରୁଥିଲା । ଏନେଇ ଛାତ୍ରୀ ଜଣଙ୍କ ନିଜ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପରିବାର ସଦସ୍ୟ ଛାତ୍ରଙ୍କ ବିରୋଧରେ ଅଭିଯୋଗ କରିବା ପରିବର୍ତ୍ତେ ଝିଅକୁ ଅନ୍ୟ ଏକ ସ୍କୁଲକୁ ନେଇଯାଇଥିଲେ । କିନ୍ତୁ ଏହାପରେ ମଧ୍ୟ ଛାତ୍ର ଜଣଙ୍କ ନାବାଳିକାର ପିଛା ଛାଡିନଥିଲା । ପ୍ରତିଦିନ ସ୍କୁଲ ଯିବା ସମୟରେ ନାବାଳକ ଛାତ୍ର ଜଣଙ୍କ ନାବାଳିକାଙ୍କୁ ହଇରାଣ କରୁଥିଲା ।
ଏନେଇ ନାବାଳିକାଙ୍କ ବାପା କହିଛନ୍ତି ଯେ,"ନାବାଳକ ଜଣଙ୍କ ଏକ ବାଇକରେ ତା ସାଙ୍ଗ ସହ ବନ୍ଧୁକ ଧରି ଘରକୁ ଆସିଥିଲା । ମୋ ଝିଅ ଘର ସଫା କରୁଥିଲା ସମୟରେ ତାକୁ ଧରି ପକାଇଥିଲା ଅଭିଯୁକ୍ତ ନାବାଳକ । ଏହାପରେ ତା ବେକରେ ଛୁରୀ ଲଗାଇ ଭୟଭୀତ କରାଇ ମଥାରେ ସିନ୍ଦୁ ପିନ୍ଧାଇଥିଲା ନାବାଳକ । ଏପରି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।"
ଏହି ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପୀଡିତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ପରେ ନାବାଳକ ଜଣଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା । ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା । ତେବେ ନାବାଳକଙ୍କ ପରିବାର ପକ୍ଷରୁ ଏନେଇ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।