ଡେରାଡୁନ: ୨୦୧୩ ମସିହା ଜୁନ ୧୭-୧୭ ତାରିଖରେ ଦେବଭୂମୀ ଉତ୍ତରାଖଣ୍ଡରେ ଆସିଥିଲା ଜଳପ୍ରଳୟ । ଛାରଖାର୍ ହୋଇଯାଇଥିଲା ଦେବଭୂମୀ । ବାଦଲ ଫଟା ବର୍ଷା ଉତ୍ତରାଖଣ୍ଡ ରାଜ୍ୟର ମନ୍ଦାକିନୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆଣିଥିଲା । ମୃତ୍ୟୁ ରୂପରେ ମାଡି ଆସିଥିଲା ମନ୍ଦାକିନୀ । ଏହାର ତାଣ୍ଡବରେ ସମ୍ପୂର୍ଣ୍ଣ ବଦଳି ଯାଇଥିଲା କେଦାରନାଥର ନକ୍ସା । ଏହି ବିପର୍ଯ୍ୟୟ ଶତାଧିକ ଲୋକଙ୍କ ସଂସାର ଉଜାଡି ଦେଇଥିଲା । ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ବହୁସଂଖ୍ୟକ ଲୋକଙ୍କ ଚିହ୍ନବର୍ଣ୍ଣ ମାଟିରେ ମିଶି ଯାଇଥିଲା । ଆଜି ଏହି ଜଳପ୍ରଳୟକୁ ପୁରିଛି ୯ ବର୍ଷ । ସମୟ ସିନା ବିତିଯାଇଛି, ହେଲେ ରହିଯାଇଛି ପ୍ରଳୟର ପାଦଚିହ୍ନ । ସେଦିନର ଭୟଙ୍କର ଚିତ୍ର ମନେ ପଡିଲେ ଆଜି ଲୋକଙ୍କ ଦେହ ଶିହରି ଉଠୁଛି ।
୨୦୧୩ ମସିହା ଜୁନ୍ ୧୬ରୁ ୧୭ ତାରିଖରେ କେଦାରନାଥରେ ଏହି ବିପର୍ଯ୍ୟୟ ଆସିଥିଲା । ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇଥିଲା । ଏହି କାରଣରୁ ଗ୍ଲେସିୟର ତରଳି ଯାଇ ମନ୍ଦାକିନୀରେ ପଡିଥିଲା । ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସୃଷ୍ଟି ହୋଇଥିଲା । ଏହି ଭୟଙ୍କର ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା । ପ୍ରକୃତିର ଏହି ବଡ ବିପର୍ଯ୍ୟୟରେ ବାସ୍ତବରେ କେତେ ଲୋକଙ୍କ ମୃତ୍ୟୁ ଘଟିଥିଲା, ତାହାର ହିସାବ କାହା ପାଖରେ ନାହିଁ । ହେଲେ ଅତିକମରେ ୬ ହଜାର ଲୋକଙ୍କ ଜୀବନହାନି ଘଟିଥିବା ରେକର୍ଡ ରହିଛି । ସେହିପରି ଆଜି ଯାଏଁ ୩,୧୮୩ ଲୋକଙ୍କ କୌଣସି ଖୋଜଖବର ମିଳିପାରିନି ।
କେଦାରନାଥରେ ଘଟିଥିବା ଏହି ମହାବିପର୍ଯ୍ୟୟରେ ବହୁସଂଖ୍ୟକ ଲୋକ ବାସହୀନ ହୋଇପଡିଥିଲେ । 11 ହଜାରରୁ ଅଧିକ କୋଠା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । 172ଟି ଛୋଟ ଓ ବଡ ବ୍ରିଜ ଧ୍ବଂସ ହୋଇଯାଇଥିଲା । ଶହ ଶହ କିଲୋମିଟର ରାସ୍ତା ବନ୍ଦ ହୋଇଯାଇଥିଲା । ଏଥିରେ 1308 ହେକ୍ଟର କୃଷି ଜମି ନଷ୍ଟ ହୋଇଯାଇଥିଲା । ଏହି ବିପତ୍ତିରେ କେବଳ ଭାରତର ନୁହେଁ, ବରଂ ଅନେକ ବିଦେଶୀ ମଧ୍ୟ ପ୍ରାଣ ହରାଇଥିଲେ । ବିଶେଷକରି କେଦାରଘାଟି ଅନ୍ତର୍ଗତ ଦେବଲ, ଭାନିଗ୍ରାମ, ତ୍ରିୟୁଗୀନାରାୟଣ, ଲମଗୋଣ୍ଡି ଗ୍ରାମର ପ୍ରତି ପରିବାରରୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ନିକଟରେ ୩,୮୮୬ ନିଖୋଜ ଅଭିଯୋଗ ହୋଇଥିଲା । ଏହାପରେ ବିଭିନ୍ନ ସର୍ଚ୍ଚ ଅପରେସନ ପରେ ସେମାନଙ୍କ ମଧ୍ୟରୁ ୭୦୩ ଜଣଙ୍କ କଙ୍କାଳ ଠାବ ହୋଇଥିଲା ।
କୁହାଯାଏ, ମନ୍ଦିରର ଠିକ୍ ପଛରେ ଉପରୁ ବହି ଆସିଥିବା ଏକ ବଡ ପଥର ଯୋଗୁଁ ବାବାଙ୍କ ମନ୍ଦିର ସୁରକ୍ଷିତ ରହିଥିଲା । ଏହି ପଥର ଆଜି ଭୀମ ଶିଳା ନାମରେ ପରିଚିତ । କେଦାରନାଥ ପ୍ରଳୟରେ ୨୨୪୧ଟି ହୋଟେଲ, ଧର୍ମଶାଳ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିଲା । ପୋଲିସ ନିଜ ଜୀବନକୁ ବାଜି ଲଗାଇ ୩୦ ହଜାର ଲୋକଙ୍କ ପ୍ରାଣ ରକ୍ଷା କରିଥଇଲେ । କେଦାରଘାଟି ଏବଂ ଯାତ୍ରା ମାର୍ଗରେ ଫସିଥିବା ୯୦ ହଜାରରୁ ଅଧିକ ଲୋକଙ୍କୁ ସେନା ଉଦ୍ଧାର କରିଥିଲେ ।
କେଦାରନାଥରେ ଭୟଙ୍କର ବନ୍ୟା ପରେ ଏଠାରେ ଏକ ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାୟୁସେନା ଯବାନଙ୍କ ସମେତ କିଛି ଯାତ୍ରୀ ପ୍ରାଣ ହରାଇଥିଲେ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ସମୟରେ ବାୟୁସେନାର MI-7 ହେଲିକପ୍ଟରକୁ ମିଶାଇ ମୋଟ ତିନୋଟି ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ମୋଟ 23 ଲୋକଙ୍କ ଜୀବନ ହାନି ଘଟିଥିଲା ।