ଲକ୍ଷ୍ନୌ: ଶିକ୍ଷାଲାଭ ପାଇଁ ବୟସ ସାଜେନି ବାଧକ। ଏହି ଉଦାହରଣକୁ ସତ କରି ଦେଖାଇଛନ୍ତି 84 ବର୍ଷୀୟ ଅମଲଧାରୀ ସିଂ। ପରିଣତ ବୟସରେ ବାରାଣାସୀ ହିନ୍ଦୁ ବିଶ୍ବ ବିଦ୍ୟାଳୟରୁ ବୈଦିକ ଦର୍ଶନରେ ଡକ୍ଟରେଟ ହାସଲ କରି ଚାରିଆଡେ ଚର୍ଚ୍ଚାରେ। ଶିକ୍ଷା ଲାଭ କରିବାର କ୍ଷୁଧା ତାଙ୍କୁ ଆଜି ଏହି ସଫଳତା ଦେଇଛି। ଏହି ବୟସରେ ଡିଗ୍ରୀ ହାସଲ କରିବାରେ ଅମଲଧାରୀ ପ୍ରଥମ।
22 ଜୁଲାଇ 1938 ମସିହାରେ ଜୌନପୁର ଜିଲ୍ଲାରେ ଅମଲଧାରୀ ସିଂଙ୍କ ଜନ୍ମ। ପିଲା ଦିନରୁ ପଢ଼ାପ୍ରତି ତାଙ୍କର ବେଶ ଦୁର୍ବଳତା ରହିଥିଲା। 1966 ମସିହାରେ ବାରାଣାସୀ ହିନ୍ଦୁ ବିଶ୍ବ ବିଦ୍ୟାଳୟରେ ସେ ପିଏଚଡି କରିଥିଲେ। ଏଥିସହ ବିଶ୍ବ ବିଦ୍ୟାଳୟର ଏନସିସି (NCC)ର ୱାରେଣ୍ଟ ଅଫିସର ଭାବେ 4 ବର୍ଷ କାର୍ଯ୍ୟ କରିଥିଲେ। 1963 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଶ୍ରେଷ୍ଠ ଚ୍ୟାନେଲ ପୁରସ୍କାର ପ୍ରଦାନ କରିଥିଲେ। ପଢା ପ୍ରତି ଇଚ୍ଛାଶକ୍ତି ଥିବାରୁ ଅଧ୍ୟୟନ ଜାରି ରଖି 1967 ମସିହାରେ ଯୋଧପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ 11 ବର୍ଷ କାର୍ଯ୍ୟ କରିଥିଲେ। ଅବସର ପରେ ମଧ୍ୟ ଅମଲଧାରୀ ନିଜ ପଢ଼ାକୁ ଜାରି ରଖିଥିଲେ। 2021ରେ ସେ ଡକ୍ଟରେଟ ଉପାଧି ପାଇବା ପାଇଁ ରେଜିଷ୍ଟ୍ରେସନ କରାଇଥିଲେ। ଏହାପରେ ଅମଲଧାରୀଙ୍କୁ ପରିଶ୍ରମର ସଫଳତା ମିଳିଲା। 23 ଜୁନ 2022ରେ ତାଙ୍କୁ ସାହିତ୍ୟରେ ଡକ୍ଟରେଟ ଆଖ୍ୟ ଦିଆଗଲା। ଏମଲଧାରୀ କହିଛନ୍ତି ପାଠ ପଢ଼ା ଚାପ ନୁହେଁ, ଶରୀରକୁ ସୁସ୍ଥ ରଖେ। ବାସ୍ତବରେ ପରିଣତ ବୟସରେ ଅମଲଧାରୀଙ୍କ ଏଭଳି ସଫଳତା ଯୁବପିଢିଙ୍କ ପ୍ରେରଣା ସାଜିବ ନିଶ୍ଚୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ