ନୂଆଦିଲ୍ଲୀ: ଭାରତର ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି । ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶର ୮୦ ପ୍ରତିଶତ ନାଗରିକଙ୍କ ଅନୁକୂଳ ଦୃଷ୍ଟିକୋଣ ରହିଛି । ସେହିପରି ନିକଟ ଅତୀତରେ ଭାରତ ବିଶ୍ବରେ ଅଧିକ ପ୍ରଭାବଶାଳୀ ହୋଇଛି ବୋଲି ୧୦ ପ୍ରତିଶତରୁ ୭ ପ୍ରତିଶତ ଭାରତୀୟ ଭାବୁଛନ୍ତି । Pew ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଏକଥା କୁହାଯାଇଛି ।
ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ପୂର୍ବରୁ PEW ଏହି ସର୍ଭେ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ, ବିଶ୍ବରେ ଭାରତ ସମ୍ପର୍କରେ ଜନତାଙ୍କ ରାୟ ସାଧାରଣତଃ ସକରାତ୍ମକ ରହିଛି । ପ୍ରାୟ ୪୬ ପ୍ରତିଶତ ଲୋକ ଭାରତ ସମ୍ପର୍କରେ ଅନୁକୂଳ ମତ ବ୍ୟକ୍ତ କରିଥିବା ବେଳେ ୩୪ ପ୍ରତିଶତ ପ୍ରତିକୂଳ ବିଚାର ରଖିଛନ୍ତି । ୧୬ ପ୍ରତିଶତ ଲୋକେ ଏନେଇ କୌଣସି ମତ ଦେଇନାହାନ୍ତି । ରିପୋର୍ଟ ଅନୁସାରେ ଇସ୍ରାଏଲରେ ଭାରତ ସମ୍ପର୍କରେ ସବୁଠୁ ଅଧିକ ସକରାତ୍ମକ ମତ ରହିଛି । ଏଠାରେ ୭୧ ପ୍ରତିଶତ ଲୋକ ଭାରତ ସପକ୍ଷରେ ମତ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ମୋଦିଙ୍କୁ ଟର୍ମିନେଟର ସଜାଇଲା ବିଜେପି: ଲେଖିଲା ୨୦୨୪, ଆଇ ୱିଲ୍ ବି ବ୍ୟାକ୍
ଫେବୃୟାରୀ ୨୦ରୁ ମେ' ୨୨ ମଧ୍ୟରେ ୨୪ଟି ଦେଶର ୩୦,୮୬୧ ନାଗରିକଙ୍କୁ ନେଇ PEW ଏହି ସର୍ଭେ କରିଥିଲା । ଏଥିରେ ୨,୬୧୧ ଜଣ ଭାରତୀୟ ସାମିଲ ଥିଲେ । ବିଶ୍ବରେ ଭାରତର ପ୍ରଭାବ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦୃଷ୍ଟିକୋଣ ଓ ଅନ୍ୟ ଦେଶ ପ୍ରତି ଭାରତୀୟ ବିଚାର ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା । ଯାହାମଧ୍ୟରୁ ୧୦ ପ୍ରତିଶତରୁ ୮ ପ୍ରତିଶତ ଭାରତୀୟ ମୋଦିଙ୍କ ପ୍ରତି ସକରାତ୍ମକ ଦୃଷ୍ଟିକୋଣ ରଖିଥିବା କୁହାଯାଇଛି । ସେଥିମଧ୍ୟରୁ ୫୫ ପ୍ରତିଶତ ମୋଦିଙ୍କ ଅଧିକ ପସନ୍ଦ କରନ୍ତି । ମୋଦି ସରକାରଙ୍କ ବିଦେଶ ନୀତି ଯୋଗୁଁ ଆଜି ବିଶ୍ବ ସ୍ତରରେ ଭାରତର ସକରାତ୍ମକ ଛବି ତିଆରି ହୋଇଛି ବୋଲି ମଧ୍ୟ ଏଥିରେ କୁହାଯାଉଛି ।
ସେହିପରି ଭାରତୀୟଙ୍କ ମଧ୍ୟରେ ଆମେରିକା, ଋଷ, ଚୀନକୁ ନେଇ ଭିନ୍ନ ଭିନ୍ନ ବିଚାର ରହିଛି । ୬୫ ପ୍ରତିଶତ ଭାରତୀୟ ଆମେରିକା ସପକ୍ଷରେ ମତ ରଖିଛନ୍ତି । ନିକଟ ଅତୀତରେ ବିଶ୍ବରେ ଆମେରିକାର ପ୍ରଭାବ ଅଧିକ ସୁଦୃଢ ହେଉଥିବା ନେଇ ପ୍ରାୟ ୪୯ ପ୍ରତିଶତ ଭାରତୀୟ ଭାବୁଛନ୍ତି । ୫୭ ପ୍ରତିଶତ ଋଷ ଉପରେ ସକରାତ୍ମକ ବିଚାର ପୋଷଣ କରିଥିବା ବେଳେ ଚୀନ ଓ ପାକିସ୍ତାନକୁ ସବୁଠୁ ଅଧିକ ନାପସନ୍ଦ କରିଛନ୍ତି । ୬୭ ପ୍ରତିଶତ ଲୋକ ଚୀନ ଓ ୭୩ ପ୍ରତିଶତ ପାକିସ୍ତାନ ପ୍ରତି ନକରାତ୍ମକ ମତ ଦେଇଛନ୍ତି ।