ଚଣ୍ଡିଗଡ଼: ଭାରତ୍ତୋଳନରେ ବିଶ୍ବ ରେକର୍ଡ କଲେ 8 ବର୍ଷର ବାଳିକା ଅର୍ଶୀୟା ଗୋସ୍ବାମୀ । 'ଇଣ୍ଡିଆଜ୍ ଗଟ ଟ୍ୟାଲେଣ୍ଟ'ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ହରିୟାଣା ପଞ୍ଚକୂଲ ଜିଲ୍ଲାର ଏହି ବାଳିକା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ସହ ହରିୟାଣା ବିଧାନସଭାର ସ୍ପିକର୍ ଜ୍ଞାନଚନ୍ଦ୍ର ଗୁପ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନା ଅନୁସାରେ, ହରିୟାଣା ପଞ୍ଚକୁଲା ଜିଲ୍ଲାର ସେକ୍ଟର 29ରେ ରହୁଥିବା 8 ବର୍ଷ ବୟସ୍କା ଅର୍ଶୀୟା ଗୋସ୍ବାମୀ ସେକ୍ଟର 26ରେ ଥିବା ବ୍ରାଇଟ୍ ସ୍କୁଲରେ ପଢ଼ନ୍ତି । ତେବେ ଅର୍ଶୀୟା ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ସୋ 'ଇଣ୍ଡିଆଜ୍ ଗଟ ଟ୍ୟାଲେଣ୍ଟ'ରେ ଅଂଶ ଗ୍ରହଣ କରିଥିଲେ । ଗତ ରବିବାର ପ୍ରସାରିତ ହୋଇଥିବା ଏହି ସୋରେ ଅର୍ଶୀୟା ମାତ୍ର 30ସେକେଣ୍ଡ୍ରେ 17 ଥର କ୍ଲିନ ଆଣ୍ଡ୍ ଜର୍କ କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ତେବେ ଏହା ପୂର୍ବରୁ 30 ସେକେଣ୍ଡ୍ରେ 16 ଥର ଥିବା ଏହି ରେକର୍ଡକୁ ଭାଙ୍ଗି ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....Satwiksairaj Rankireddy Recod: ଦ୍ରୁତତମ ସ୍ମାସରେ ବିଶ୍ବ ରେକର୍ଡ, ଗିଜିନ ବୁକରେ ସାତ୍ତ୍ବିକ
ଅର୍ଶୀୟା ଡେଡ଼ ଲିଫ୍ଟ୍ରେ 62 କିଲୋଗ୍ରାମ ଭାରତ୍ତୋଳନ କରିଥିଲେ । ସେହିପରି କ୍ଲିନ ଆଣ୍ଡ୍ ଜର୍କରେ 32 କିଗ୍ରା ,ସ୍ନାଚରେ 26କିଗ୍ରା, ସ୍କଟରେ 47କିଗ୍ରା, ବେଞ୍ଚ ପ୍ରେସରେ 32 କିଗ୍ରା ଭାରତ୍ତୋଳନ କରିଥିଲେ । ସୋ’ର ସୁଟିଂ ଜୁଲାଇ 5ରେ ମୁମ୍ବାଇ ଠାରେ ହୋଇଥିଲା । ଏହି କିର୍ତ୍ତୀମାନ ସ୍ଥାପନ କରିଥିବା ଅର୍ଶୀୟାଙ୍କ ବାପା ଅବନିଶ କୁମାର ଗୋସ୍ବାମୀ ସେକ୍ଟର 25ରେ ନିଜର ଏକ ଜିମ ଚଲାଉଛନ୍ତି । ଏହାସହ ତାଙ୍କ ମାଆ ଜଣେ ଗୃହିଣୀ । ଅର୍ଶୀୟା କହିଛନ୍ତି ଯେ, ସେ ଭାରତ୍ତୋଳନରେ ନିଜ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି ଏବଂ ଏବେ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ରେକର୍ଡକୁ ଭାଙ୍ଗିବାକୁ ଚାହୁଁଛନ୍ତି ।
ତେବେ ଅର୍ଶୀୟା ଭାରତ୍ତୋଳନର ପ୍ରଶିକ୍ଷଣ ତାଙ୍କ ବାପାଙ୍କ ଠାରୁ ନେଉଛନ୍ତି । ଏହା ପୂର୍ବରୁ ଅର୍ଶୀୟା 6 ବର୍ଷ ବୟସରେ 45 କିଗ୍ରା ଭାରତ୍ତୋଳନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମ ଉଲ୍ଲେଖ କରିଥିଲେ । ଏହା ବ୍ୟତୀତ 2022 ମସିହାରେ 35.8କିଗ୍ରା ଭାରତ୍ତୋଳନ କରି ଏସିୟା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାପନ କରିଥିଲେ । ତାଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ଅନ୍ତର୍ଜାତୀୟ ଭାରତ୍ତୋଳନକାରୀ ଗୁରମେଲ ସିଂଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି । ତାଙ୍କ ଠାରୁ ପ୍ରଶିକ୍ଷଣ ନେବା ସମୟରେ ଏହି ରେକର୍ଡ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ