ପଞ୍ଜାବ: ଶହୀଦ-ଏ-ଆଜମ ସର୍ଦ୍ଦାର ଭଗତ ସିଂଙ୍କ ବିନା ଭାରତର ସ୍ବାଧୀନତା ସଂଗ୍ରାମ କାହାଣୀ ଅଧାଅଧୁରା । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଦେଶମାତୃକା ପାଇଁ ଭଗତସିଂହଙ୍କ ସହ ତାଙ୍କ ସହଯୋଗୀ ଶୁଖଦେବ ଓ ରାଜଗୁରୁ ଝୁଲି ପଡ଼ିଥିଲେ ଫାଶି ଖୁଣ୍ଟିରେ । କିନ୍ତୁ ତାଙ୍କ ବୈପ୍ଲବିକ ଆଦର୍ଶ ସବୁଦିନ ପାଇଁ ଅମର ହୋଇଗଲା । ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କୁ ଶହୀଦ ଘୋଷଣା କରାଯାଇନାହିଁ । ଯୁବ ବୟସରେ ତାଙ୍କର ଏତେବଡ଼ ବଳିଦାନ ଯୋଗୁଁ ପ୍ରତ୍ୟେକଙ୍କ ମନରେ ଆଜି ସେ ଶହୀଦ-ଏ-ଆଜମ ନାମରେ ଅନ୍ତର୍ନିହିତ ।
ଆଜିର ଯୁବ ପିଢି଼କୁ ଏହା ଜାଣିବା ଜରୁରୀ ଯେ କିଭଳି ଭଗତ ସିଂ ଜଣେ ସ୍ବାଧୀନତା ସଂଗ୍ରାମୀ ହେଲେ । ଯିଏ କେବଳ ଦେଶବାସୀଙ୍କୁ ନୁହେଁ ବରଂ ଦେଶ ବାହାରେ ରହୁଥିବା ଲୋକଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି । ଆଜିର ଦିନରେ ମଧ୍ୟ ଭଗତ ସିଂଙ୍କ ଆଦର୍ଶର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭଗତ ସିଂ, ଯିଏ ବ୍ରିଟିଶ ସରକାରଙ୍କ ମୂଳଦୁଆକୁ ଦୋହଲାଇ ଦେଇଥିଲେ । ସେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ପାକିସ୍ତାନର ଲିଲାପୁରରେ ଜନ୍ମଗ୍ରହଣ କରିଥିଲେ । ଏକ ରାଜନୈତିକ ସକ୍ରିୟ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ଦେଶପ୍ରେମ ତାଙ୍କ ରକ୍ତ ଥିଲା କହିଲେ ଭୁଲ ହେବନି । ତାଙ୍କ ଜେଜେବାପା ଅର୍ଜନ୍ ସିଂହ ଆର୍ଯ୍ୟ ସମାଜର ହିନ୍ଦୁ ସଂସ୍କାରବାଦୀ ଆନ୍ଦୋଳନ ସହ ଜଡ଼ିତ ଥିଲେ । ବାପା ଏସ କିଶାନ ସିଂହ ଓ ଦାଦା ଏସ୍ ଅଜିତ ସିଂହ ଗଦର ପାର୍ଟିର ଥିଲେ ଜଣେ ସକ୍ରିୟ ସଦସ୍ୟ ।
କିଭଳି ହେଲେ ସ୍ବାଧୀନତା ସଂଗ୍ରାମୀ
ସ୍ବାଧୀନତା ସଂଗ୍ରାମ ପଥରେ ଚାଲିବାକୁ ଭଗତ ସିଂଙ୍କୁ ତିନୋଟି ଘଟଣା ପ୍ରେରଣା ଦେଇଥିଲା । ପ୍ରଥମ ହେଉଛି ଜାଲିଆନୱାଲାବାଗ୍ । ଯେଉଁଥିରେ ଏକ ହଜାରରୁ ଅଧିକ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେହି ସମୟରେ ୧୨ ବର୍ଷର ବାଳକ ଭଗତ ସିଂ ସେଠାରୁ ମାଟି ସଂଗ୍ରହ କରିଥିଲେ । ଦ୍ବିତୀୟ ହେଉଛି ଗଦର ଆନ୍ଦୋଳନର ଯୁବ ନେତା କର୍ତ୍ତାର ସିଂହ ସରଭା । କିଭଳି ଜଣେ ୧୯ ବର୍ଷର ଯୁବନେତା ନିଜର ସର୍ବସ୍ବ ଦେଇ ସ୍ବାଧୀନତା ପାଇଁ ସଂଗ୍ରାମ କରୁଛି, ତାହା ଭଗତ ସିଂଙ୍କୁ ପ୍ରଭାବିତ କରିଥିଲା । ତୃତୀୟତଃ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ କଥାରେ ସେ ପ୍ରଭାବିତ ହୋଇଥିଲେ ।
ଭଗତ ସିଂ ବହି ପଢ଼ିବାକୁ ଭଲ ପାଉଥିଲେ । ଗୋଟିଏ ସ୍ବାଧୀନତା ସଂଗ୍ରାମ କିଭଳି ଭାବରେ କରାଯାଏ ତାହା ପଢ଼ୁଥିଲେ । ଡାନ ବ୍ରିନ୍ଙ୍କ ରଚିତ ମାଇ ଫାଇଟ୍ ଫର୍ ଆଇରିସ୍ ଫ୍ରିଡମ୍(My Fight For Iris Freedom) ପୁସ୍ତକୁ ପ୍ରଥମେ ହିନ୍ଦୀରେ ଅନୁବାଦ କରିଥିଲେ ଭଗତ ସିଂ । ଏହି ପୁସ୍ତକ ପଢ଼ାଇ ସଭିଙ୍କ ମନରେ ଦେଶଭକ୍ତିର ଭାବ ଜାଗ୍ରତ କରାଇବା ଥିଲା ତାଙ୍କ ମୂଳ ଉଦ୍ଦେଶ୍ୟ । ସେ ନିଜେ ଏହି ପୁସ୍ତକରୁ ବହୁତ କିଛି ଶିକ୍ଷା ଲାଭ କରିଥିଲେ ।
ଭଗତ ସିଂ ବିଶ୍ବାସ କରୁଥିଲେ ଯେ, ଶରୀରକୁ ହତ୍ୟା କରାଯାଇପାରେ, କିନ୍ତୁ ଆଦର୍ଶ, ବିଚାର ସବୁବେଳେ ଅମର । ଏଥିପାଇଁ ସେ ନାରା ଦେଇଥିଲେ ଇନକଲାବ ଜିନ୍ଦାବାଦ୍ ଓ ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ । ସାମ୍ରାଜ୍ୟବାଦକୁ ବାଖ୍ୟା କରି ସେ କୁହନ୍ତି ଯେ, ଯେପର୍ଯ୍ୟନ୍ତ ପ୍ରାଶ୍ଚାତ୍ୟ ଦେଶମାନେ ଗରିବ ଲୋକଙ୍କୁ ଲୁଟ୍ କରୁଥିବେ ସେପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନରେ କେବେ ବି ଖୁସି ଆସି ପାରିବ ନାହିଁ । ଇନ୍କଲାବକୁ ନେଇ ମଧ୍ୟ ଖୁବ ସୁନ୍ଦର ଲେଖା ଲେଖିଥିଲେ ଭଗତ ସିଂହ ।
ଏଇଠୁ ବଦଳି ଗଲା ଭଗତ ସିଂ ଜୀବନ ମୋଡ଼
ଦୁଇଟି ଘଟଣା ଭଗତ ସିଂହଙ୍କ ଜୀବନରେ ଗଭୀର ଭାବେ ପ୍ରଭାବ ପକାଇଥିଲା । ପ୍ରଥମ ଘଟଣା ବିଷୟରେ ସାଧାରଣତଃ କେବେ ଚର୍ଚ୍ଚା ହୁଏନି । ୧୯୨୮ରେ ସାଇମନ କମିଶନ ନାମକ ୭ ଜଣିଆ କମିଶନ ଭାରତ ଆସିଥିଲେ । ଭାରତରେ ସମ୍ବିଧାନର ପୁନଃର୍ଗଠନ ପାଇଁ ଗୋରାମାନେ କରିଥିବା ନୀତିନିୟମର ସମୀକ୍ଷା ଥିଲା କମିଶନର ମୂଳ ଉଦ୍ଦେଶ୍ୟ । ଏହି କମିଶନର ଦୃଢ଼ ବିରୋଧ କରାଯାଇଥିଲା । କାରଣ କମିଶନରେ ଜଣେ ବି ଭାରତୀୟ ନଥିଲେ । ଏହାକୁ ନେଇ ଭଗତ ସିଂହ ତାଙ୍କ ସହଯୋଗୀମାନେ ଲାହୋରରେ ସାଇମନ କମିଶନ ପ୍ରତିନିଧିଙ୍କୁ କଳା ପତାକା ଦେଖାଇଥିଲେ । ଏହି ଶାନ୍ତପୂର୍ଣ୍ଣ ଆନ୍ଦୋଳନ ଉପରେ ଲାଠିଚାର୍ଜ କରିଥିଲା ପୋଲିସ । ଫଳରେ ଲାଲା ଲଜପତ ରାୟ ସେଠାରେ ଶହୀଦ ହୋଇଥିଲେ ।
ଭାରତ ନୌଜବାନ ସଭା ଓ ସମାଜବାଦୀ ରିପବ୍ଲିକାନ୍ ଆର୍ମିର ସଦସ୍ୟମାନେ ଏହାର ପ୍ରତିଶୋଧ ନେବାକୁ ପଣ କରିଥିଲେ । ଲାଲାଜୀଙ୍କ ମୃତ୍ୟୁ ପାଇଁ ସେମାନେ ଏସପି ସ୍କଟ୍ଟଙ୍କୁ ଦାୟୀ କରିଥିଲେ । କାରଣ ସେ ହିଁ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କଟ୍ଟ୍କୁ ହତ୍ୟା କରିବାକୁ ଯୋଜନା ହେଲା । ଅଫିସ୍ରୁ ସ୍କଟ୍ ଫେରିବା ବେଳେ ତାକୁ ହତ୍ୟା କରିବାକୁ ଯୋଜନା ହେଲା । ହେଲେ ଯେଉଁଦିନ ପାଇଁ ଏହି ଯୋଜନା ହୋଇଥିଲା ସେହିଦିନ ସ୍କଟ୍ଟ ଅଫିସ୍ ଆସିନଥିଲେ । ତାଙ୍କ ସ୍ଥାନରେ ହାବିଲଦାର ସୌନ୍ଦ୍ରସ୍ ସ୍କଟ୍ଟ୍ଙ୍କ ଗାଡ଼ି ନେଇ ଅଫିସ ଆସୁଥିଲେ । ଫଳରେ ସୌନ୍ଦ୍ରସ୍ଙ୍କୁ ହତ୍ୟାକାଣ୍ଡର ଶିକାର ହେବାକୁ ପଡ଼ିଥିଲା । ଦୀର୍ଘଦିନର ତଦନ୍ତ ପରେ ମଧ୍ୟ ଭଗତ ସିଂ ଓ ତାଙ୍କ ସାଥୀ ଧରା ପଡ଼ିନଥିଲେ ।
ଯେଉଁଦିନ ସୌନ୍ଦ୍ରସ୍ଙ୍କୁ ହତ୍ୟା କରାଗଲା ସେହିଦିନ ଏହାକୁ ନେଇ କ୍ଷମା ପ୍ରାର୍ଥନା କରି ପୋଷ୍ଟର ମାରିଥିଲେ ଭଗତ ସିଂ ଓ ତାଙ୍କ ସାଥି । ଏହି ହତ୍ୟାକାଣ୍ଡ ପାଇଁ ଆମେ ଦୁଃଖିତ । ପ୍ରତ୍ୟେକ ଜୀବନକୁ ଆମେ ସମ୍ମାନ କରୁଛୁ । କିନ୍ତୁ ଆମେ ସମାଜରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ । ଆମେ କୌଣସି ହତ୍ୟାକାରୀ ନୁହେଁ । କିନ୍ତୁ ବେଳେବେଳେ ଆମକୁ ଏଭଳି ପଦକ୍ଷେପ ନେବାକୁ ପଡ଼େ । ବେଳେ ସ୍ବାଧୀନତା ସଂଗ୍ରାମ ବାଟରେ ଆସୁଥିବା ବାଧାକୁ ଆମକୁ ଏଡ଼ାଇବାକୁ ପଡ଼େ । ସବୁଠାରୁ ବଡ଼ କଥା ହେଉଛି ଭଗତ ସିଂ ନିଜର ୨୩ ବର୍ଷର ଜୀବନକାଳ ମଧ୍ୟର ମାତ୍ର ଗୋଟିଏ ଥର ଗୁଳିମାଡ଼ କରିଛନ୍ତି ।
ଦ୍ବିତୀୟ ଘଟଣା ଭଗତ ସିଂଙ୍କ ଜୀବନରେ ଘଟିଥିଲା ୧୯୨୯ ମସିହାରେ । ଯେତେବେଳେ ସଂସଦ ଉପରେ ଅପ୍ରେଲ ୮ ତାରିଖରେ ବୋମାମାଡ଼ ହୋଇଥିଲା । ସେହି ସମୟରେ ଭଗତ ସିଂ ଫ୍ରେଞ୍ଚ ବିପ୍ଲବ ବିଷୟରେ ପଢ଼ୁଥିଲେ । ମୁକବଧିର ପାଲଟି ଯାଇଥିବା ଗୋରା ସରକାର ପାଇଁ ବିସ୍ଫୋରକ ତିଆରି କରିବାକୁ ଚିନ୍ତା କଲେ । ଏଥିପାଇଁ ବଟୁକେଶ୍ବର ଦତ୍ତ ଓ ଭଗତ ସିଂହ ସଂସଦ ଉପର ବୋମାମାଡ଼ କରିବାକୁ ୟୋଜନା କରିଥିଲେ । ଦୁଇ ସଂଗ୍ରାମୀ ସଂସଦର ଖାଲି ସ୍ଥାନରେ ବୋମାମାଡ଼ କରିଥିଲେ । ଏକ ପୋଷ୍ଟର ମଧ୍ୟ ଛାଡ଼ିଥିଲେ, ଯେଉଁଥିରେ ଲେଖା ଥିଲା ବଧିର ସରକାର ପାଇଁ ଶବ୍ଦ ଆବଶ୍ୟକ । ଏଥିରେ କାହାର ଜୀବନ ଯାଇନଥିଲା ସତ, କିନ୍ତୁ ବ୍ରିଟିଶ ସରକାର ଭିତ୍ତିଭୂମିକୁ ଏହା ଦୋହଲାଇ ଦେଇଥିଲା । ଏହି ବୋମାମାଡ଼ ପରେ ଗିରଫ ହେବାକୁ ସେଠାରେ ଉଭୟ ଠିଆ ହୋଇ ରହିଥିଲେ ।
ବେଆଇନ ଭାବେ ଦିଆଯାଇଥିଲା ଫାଶୀ
ବୋମାମାଡ଼ରେ କୌଣସି ଜୀବନହାନି ହୋଇନଥିବାରୁ କୋର୍ଟ ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡ ରାୟ ଦେଇଥିଲେ । କିନ୍ତୁ ବ୍ରିଟିଶ୍ ଭଗତ ସିଂଙ୍କୁ ଯେକୌଣସି ମତେ ଫାଶୀ ଦେବାକୁ ଚାହୁଁଥିଲେ । ଏହାରି ମଧ୍ୟରେ ୧୯୩୦ ଅକ୍ଟୋବର ୭ ତାରିଖରେ ସୌନ୍ଦ୍ରସ୍ ହତ୍ୟାକାଣ୍ଡ ମାମଲା ପୁଣି ଖୋଲିଥିଲା । ସମସ୍ତ ପ୍ରମାଣ ଭଗତସିଂହ, ଶୁଖଦେବ ଓ ରାଜଗୁରୁଙ୍କ ବିପକ୍ଷରେ ଥିଲା । ଶେଷରେ ସେମାନଙ୍କୁ ଫାଶୀ ଦେବାକୁ ରାୟ ଦେଲେ କୋର୍ଟ । ଗୋରା ସରକାର ଏଇଠି ଅଟକି ଯାଇନଥିଲେ । ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । ଏହି ସମୟରେ କେହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ତ କେହି ଜମିରେ ଧାନ ବୁଣୁଥିଲେ । ଏହାରି ମଧ୍ୟରେ ଭଗତ ସିଂଙ୍କୁ ନେଇ ଆନ୍ଦୋଳନ ଜୋର୍ ଧରିଥିଲା । ଏଥପାଇଁ ମାର୍ଚ୍ଚ ୨୪ ତାରିଖରେ ହିଁ ତାଙ୍କୁ ଫାଶୀ ଦେବାକୁ ସ୍ଥିର କଲା ବ୍ରିଟିଶ ସରକାର । ଖବର ମିଳିବା ପରେ ଭଗତ ସିଂହଙ୍କ ପରିବାର ସମେତ ଅନେକ ଲୋକ ଲାହୋର ଜେଲ୍ ସମ୍ମୁଖରେ ଜମା ହୋଇଗଲେ । ଏହାକୁ ଦେଖି ସମସ୍ତ ନିୟମ ଭାଙ୍ଗି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ହିଁ ତିନି ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଭଗତସିଂହଙ୍କ ମୃତଦେହକୁ ତାଙ୍କ ପରିବାରବର୍ଗକୁ ଦେବା ବଦଳରେ ଜେଲ୍ର ପଛ ଦ୍ବାର ଭାଙ୍ଗି ହୁସେନିୱାଲାରେ ମୃତଦେହକୁ ନେଇ ପୋଡ଼ି ଦିଆଯାଇଥିଲା । ପରେ ସେହି ଦରପୋଡ଼ା ମୃତଦେହକୁ ସତ୍ଲେଜ୍ ନଦୀରେ ଛାଡ଼ି ଦିଆଯାଇଥିଲା ।
ଭଗତ ସିଂଙ୍କ ବିପ୍ଲବ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ପ୍ରଭାବ ପକାଇଥିଲା । ଲାହୋର ସ୍ଥିତ ଭଗତ ସିଂ ମେମୋରିଆଲ ଫାଉଣ୍ଡେସନ ଭଗତ ସିଂଙ୍କୁ ଶହୀଦ ଘୋଷଣା କରିବାକୁ ଆଜି ବି ଦାବି କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ