ଚଣ୍ଡିଗଡ଼: ହରିୟାଣାର ଗୁରୁଗ୍ରାମର ନାଥପୁର ଅଞ୍ଚଳରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବସ୍ତି ଅଞ୍ଚଳରେ ଥିବା ପ୍ରାୟ 700ଟି ଝୁମ୍ପୁଡି ଘରରେ ନିଆଁ ଲାଗିଯାଇଛି । ଏହି ନିଆଁ ଲିଭାଇବା ପାଇଁ 24ଟି ଦମକଳ ଗାଡି 6 ଘଣ୍ଟା ପରିଶ୍ରମ କରିଥିବା ସୂଚନା ମିଳିଛି ।
ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀକୁ ଅପରାହ୍ନ 2ଟା ସମୟରେ ଖବର ଦିଆଯାଇଥିଲା । ଗୁରୁଗ୍ରାମର ସେକ୍ଟର-29ରେ 12ଟି ଦମକଳ ଗାଡି ଲାଗିଥିବାବେଳେ ଅନ୍ୟ ସ୍ଥାନରେ ଆଉ 12ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ପ୍ରାୟ 6 ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଥିଲେ ।
ଏହି ଅଗ୍ନିକାଣ୍ଡରେ ବସ୍ତି ଅଞ୍ଚଳର 700ଟି ଝୁମ୍ପୁଡି ଘର ପୋଡି ଯାଇଥିବାବେଳେ କେହି ମୃତାହତ ହୋଇନାହାଁନ୍ତି । କିନ୍ତୁ ବସ୍ତି ବାସିନ୍ଦାଙ୍କ ସଞ୍ଚିତ ଅର୍ଥ ଓ ଜିନିଷ ପଦାର୍ଥ ପୋଡି ଜଳି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁଁ ବସ୍ତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ଅନ୍ୟପଟେ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା ଫଳରେ ବିସ୍ଫୋରଣ ଘଟିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ସମୟ ଲାଗିଥିଲା ବୋଲି ଅଗ୍ନିଶମ ବିଭାଗ କହିଛି । ସ୍ଥାନୀୟ ପ୍ରଶାସନ ପୀଡିତ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ