ହାଇଦ୍ରାବାଦ: ସାରାଦେଶରେ ଏବେ ମୁଖ୍ୟ ସଙ୍କଟ ଭାବେ ଉଭା ହୋଇଛି ଅକ୍ସିଜେନ । ଅକ୍ସିଜେନ ଅଭାବରୁ ପ୍ରତ୍ୟେକ ଦିନ କେହି କେହି ନିଜ ଜୀବନ ହାରୁଛନ୍ତି । ତେବେ ହାଇଦ୍ରାବାଦରେ ପୁଣି ଅକ୍ସିଜେନ ଅଭାବରୁ 7 କୋରୋନା ରୋଗୀ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି ହାଇଦ୍ରାବାଦ କିଙ୍ଗ କୋଟି ସରକାରୀ ହସ୍ପିଟାଲରେ ।
ସୂଚନାମୁତାବକ, ଏହି ହସ୍ପିଟାଲରେ ଅକ୍ସିଜେନ ଅଭାବ ଥିବାରୁ ଏକ ଟ୍ୟାଙ୍କର ଅକ୍ସିଜେନ୍ ନେଇ ହସ୍ପିଟାଲ ଅଭିମୁଖେ ଆସୁଥିଲା । ମାତ୍ର ଦୁଃଖର କଥା, ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଠିକ୍ ସମୟରେ ଅକ୍ସିଜେନ ହସ୍ପିଟାଲରେ ପହଞ୍ଚି ପାରିନଥିଲା । ଫଳରେ ଅକାଳରେ ଚାଲିଗଲା 7 ଜୀବନ ।
ରିପୋର୍ଟ ଅନୁସାରେ ହସ୍ପିଟାଲରେ ରବିବାର ଦ୍ବିପ୍ରହରରୁ ହିଁ ଅକ୍ସିଜେନ୍ ପ୍ରେସର କମ୍ ହେବାରେ ଲାଗିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତୁ ଟ୍ୟାଙ୍କକୁ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅକ୍ସିଜେନ୍ ନେଇ ଆସୁଥିବା ଟ୍ୟାଙ୍କର ରାସ୍ତା ଭୁଲିଯାଇଥିଲେ । ହାଇଦ୍ରାବାଦ ନାୟାରଣଗୁଡା ପୋଲିସ ବହୁତ କଷ୍ଟରେ ଅକ୍ସିଜେନ୍ ଟ୍ୟାଙ୍କରକୁ ଖୋଜି ବାହାର କରିଥିଲା । କିନ୍ତୁ ଯେତେବେଳେ ଟ୍ୟାଙ୍କର ହସ୍ପିଟାଲରେ ପହଞ୍ଚିଥିଲା ସେତେବେଳକୁ ୭ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ।
ଏହି ଦୁର୍ଘଟଣାକୁ ନେଇ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ଉତ୍ତରରେ ସେମାନେ କହିଥିଲେ ଯେ, ଅକ୍ସିଜେନ ଡ୍ରାଇଭରଙ୍କୁ ଗ୍ରୀନ କରିଡର ଯୋଗାଇ ଦିଆଯାଉ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି କଡା ଆଭିମୁଖ୍ୟ ରଖିଛନ୍ତି।