ଡେରାଡୁନ: ଚଳିତବର୍ଷ କୋରୋନା ମହାମାରୀ ଭିତରେ ଆୟୋଜିତ ହୋଇଛି ମହାକୁମ୍ଭ ଯାତ୍ରା । ଏହି ଅବସରରେ ହରିଦ୍ବାର କୁମ୍ଭର ଦ୍ବିତୀୟ ଶାହି ସ୍ନାନରେ ସାମିଲ ହୋଇଛନ୍ତି ହଜାର ହଜାର ସାଧୁସନ୍ଥ । ତେବେ ଉତ୍ତର ପ୍ରଦେଶର ଜୁନା ଆଖଡାର ସାଧୁସନ୍ଥଙ୍କ ସହ ବିକ୍ରମପୁରୀ ମହାରାଜ ମଧ୍ୟ ପହଞ୍ଚିଥିଲେ। ଯାହାଙ୍କ ବିଶେଷ୍ବତା ହେଉଛି ତାଙ୍କ ଦାଢି ।
ତାଙ୍କ ଦାଢିର ଲମ୍ବ ରହିଛି 6 ଫୁଟ । ଯାହା ଏହି କୁମ୍ଭମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହାସହ, କୁମ୍ଭକୁ ଆସୁଥିବା ଭକ୍ତମାନେ ଏହି ଦାଢିକୁ ସ୍ପର୍ଶ କରି ପୁଣ୍ୟ ଅର୍ଜନ କରିଥିବା କୁହନ୍ତି । ପ୍ରାୟ 16 ବର୍ଷ ପୂର୍ବେ, ବିକ୍ରମପୁରୀ ଦାଢି ବଢାଇବା ଆରମ୍ଭ କରିଥିଲେ ।
ମାତ୍ର ସେତେବେଳେ ସେ ଜାଣି ନଥିଲେ, ଯେ ସେ କେତେ ଲମ୍ବର ଦାଢି ବଢାଇବେ । ଏହି ସମୟରେ ଇଶ୍ବରଙ୍କ ଭକ୍ତିରେ ନିଜକୁ ଏତେ ଲୀନ କରିଦେଲେ ଯେ, ସେବେଠୁ ସେ 16 ବର୍ଷ ହେଲାଣି ନିଜ ଦାଢି କାଟି ନାହାନ୍ତି । ଆଉ ଏବେ ଏହି 6 ଫୁଟର ଦାଢି ତାଙ୍କ ପରିଚୟ ପାଲଟିଛି ।
ଅନ୍ୟପଟେ ହରିଦ୍ବାର କୁମ୍ଭର ସାଧୁସନ୍ଥଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ତାଙ୍କ ଦାଢିକୁ ଛୁଇଁ ତାଙ୍କୁ ଭେଟବାକୁ ଆସନ୍ତି । କିଛି ଭିନ୍ନ ପରିଚୟ ଥିବାରୁ ଏହାକୁ ନେଇ ବିକ୍ରମପୁରୀ ମହାରାଜ ବେଶ ଖୁସି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ