ହାଇଦ୍ରାବାଦ: ଦୀର୍ଘ 25 ବର୍ଷର ଲିଭ-ଇନ ସମ୍ପର୍କରେ ସୃଷ୍ଟି ହେଲା ତିକ୍ତତା । ପାର୍ଟନରର ଏସିଡ ମାଡରେ ପ୍ରାଣ ହରାଇଲେ 54 ବର୍ଷୀୟା ମହିଳା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ସହରର ଲୋକମାନ୍ୟ ତିଲକ ମାର୍ଗ ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାରେ ରହିଛି । ସ୍ଥାନୀୟ ମହେଶ ପୁଜାରୀ ନାମକ ଜଣେ 63 ବର୍ଷୀୟ ବୟସ୍କ ବ୍ୟକ୍ତି ନିଜ ଦୀର୍ଘ 25 ବର୍ଷର ଲିଭ-ଇନ ପାର୍ଟନର ଗୀତା ଗିରକର ନାମକ ଜଣେ ମହିଳାଙ୍କୁ ଏସିଡ ମାଡ କରିଥିଲେ । ଘଟଣାର 18 ଦିନ ପରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ମହିଳା ଆଜି ହସ୍ପିଟାଲରେ ଆଖି ବୁଜିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ମହେଶକୁ ଅଟକ ରଖି ଜେରା କରୁଛି ।
ପୋଲିସର ସୂଚନା ଅନୁସାରେ 63 ବର୍ଷୀୟ ମହେଶ ଓ 54 ବର୍ଷୀୟା ଗୀତା ଗିରକର ଦୀର୍ଘ 25 ବର୍ଷ ହେବ ଲିଭଇନରେ ରହିଆସୁଥିଲେ । ତେବେ ମହିଳାଜଣଙ୍କର କୌଣସି କାରଣରୁ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ମହେଶ ମଧ୍ୟ ପ୍ରଥମ ବିବାହ ପରେ ଏକା ରହୁଥିଲେ । ଏହି ଦୁଇଜଣ ପ୍ରାୟ ଦୀର୍ଘ 25 ବର୍ଷ ଧରି ଲିଭ-ଇନ ରିଲେସନସିପରେ ରହିଥିଲେ । ତେବେ ନିକଟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ମହିଳାଜଣଙ୍କ ଆଉ ମହେଶଙ୍କ ସହ ରହିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଏଥିରେ ମହେଶ ଉତ୍ତେଜିତ ହୋଇ ମହିଳାଙ୍କୁ ଏସିଡ ମାଡ କରିଥିଲା ।
ମହିଳାଙ୍କ ମୁହଁ ଓ ଆଖି ସମେତ ଶରୀରର ଅନ୍ୟ କିଛି ଅଙ୍ଗରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆଜି ଘଟଣାର 18 ଦିନ ପରେ ସେ ଆଖି ବୁଜିଛନ୍ତି । ପୋଲିସ ଅଭିଯୁକ୍ତ ମହେଶ ବିରୋଧରେ ହତ୍ୟା ମାମଲା ଦାଏର କରି ତାକୁ ଗିରଫ କରିଛି । ସେ କେଉଁଠାରୁ ଏସିଡ କିଣିଲା ତାକୁ ନେଇ ମଧ୍ୟ ପୋଲିସର ତଦନ୍ତ ଜାରି ରହିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ କହିଛି । ତେବେ ଦୀର୍ଘ ଦୁଇ ଦଶନ୍ଧିର ସମ୍ପର୍କ ପରେ ମଧ୍ୟ ଏପରି ନାରକୀୟ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ