ନୂଆଦିଲ୍ଲୀ: ସମଗ୍ର ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି ଓମିକ୍ରନ(Omicron ) । ଚାରିଆଡେ ଆତଙ୍କ ଖେଳାଉଛି କୋରୋନାର ଏହି ନୂଆ ରୂପ । ୟୁରୋପୀୟ ରାଷ୍ଟ୍ରରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(Omicron ) ହୁ ହୁ ହୋଇ ବଢୁଥିବାବେଳେ ଭାରତରେ ମଧ୍ୟ ଦିନକୁ ଦିନ ବିପଦ ଘନଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ସୋମବାର ଗୁଜୁରାଟରେ ଜଣେ ୪୨ ବର୍ଷୀୟ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଗତ ୩ ତାରିଖ ଦିନ ଦକ୍ଷିଣ ଆଫ୍ରିକା(South Africa )ରୁ ଫେରିଥିଲେ । ଯାହା କୁହାଯାଉଛି, ବିଦେଶରୁ ଆସି ଦିଲ୍ଲୀରେ ପହଞ୍ଚିବା ସମୟରେ ପ୍ରଥମେ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଦ୍ବିତୀୟ ଥର ଟେଷ୍ଟ ପରେ ମଧ୍ୟ ରିପୋର୍ଟ ସମାନ ଥିଲା । ହେଲେ ୮ ତାରିଖ ଦିନ ବିଦେଶ ଫେରାନ୍ତା ଜଣକ ପୁନର୍ବାର ଟେଷ୍ଟ କରିବାରୁ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ସହ ଯାତ୍ରା କରିଥିବା ଅନ୍ୟ ୪ ଜଣ ଯାତ୍ରୀଙ୍କ ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ରହିଛି ।
ସୋମବାର ମହାରାଷ୍ଟ୍ରରେ ମଧ୍ୟ ଦୁଇଟି ନୂଆ ଓମିକ୍ରନ ଭ୍ୟାରିଆଣ୍ଟ ଠାବ ହୋଇଛି । ଦୁଇ ସଂକ୍ରମିତ ଦୁବାଇରୁ ଆସିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଦେଶର ୬ଟି ରାଜ୍ୟରେ ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ମହାରାଷ୍ଟ୍ରରୁ ଏଯାବତ୍ ୨୦ଟି ମାମଲା ସାମ୍ନାକୁ ଆସିଥିବାବେଳେ ରାଜସ୍ଥାନରୁ ୯, କର୍ଣ୍ଣାଟକରୁ ୩, ଗୁଜୁରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୨ ଏବଂ ଚଣ୍ଡୀଗଡରୁ ଜଣେ ଓମିକ୍ରନ ସଂକ୍ରମିତ ରହିଛନ୍ତି । ଏସବୁକୁ ମିଶାଇ ଦେଶରେ ମୋଟ ମାମଲା ୪୧ରେ ପହଞ୍ଚିଛି ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଆଣ୍ଟ ଠାବ ହୋଇଥିଲା । ପରେ କ୍ରମଶଃ ଏହା ବିଶ୍ବର ବିଭିନ୍ନ ଅଂଶକୁ ବ୍ୟାପିଥିଲା । ଇତିମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଧୀରେ ଧୀରେ କୋରୋନାର ନୂଆ ରୂପ ବିଭିନ୍ନ ରାଷ୍ଟ୍ରକୁ ମାଡୁଥିବାବେଳେ ବିଶ୍ବ ସମୁଦାୟ ଚିନ୍ତାରେ ପଡିଛନ୍ତି ।