କୋଲକାତା: ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ହୋଇଥିବା 4 ଟିଏମସି ନେତାଙ୍କୁ ମିଳିଲା ଜାମିନ । କୋଲକାତା ହାଇକୋର୍ଟ ଶୁକ୍ରବାର ସେମାନଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ସେମାନେ ଗୃହବନ୍ଦୀରେ ରହିବେ ବୋଲି ସୂଚନା ମିଳିଛି ।
ଗତ ସୋମବାର ସିବିଆଇ ଟିଏମସିର 4 ହେଭିୱେଟ ନେତା ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ, ମଦନ ମିତ୍ର ଓ ଫିରହାଦ ହାକିମଙ୍କୁ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଏହି 4 ନେତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ପ୍ରାୟ 6 ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ ସିବିଆଇ ଗିରଫଙ୍କୁ ଜାମିନ ଦେଇଥିବା ବେଳେ ତଦନ୍ତକାରୀ ଟିମ ମାମଲାକୁ ହାଇକୋର୍ଟକୁ ନେଇଥିଲେ ।
ହାଇକୋର୍ଟ କିନ୍ତୁ ସେମାନଙ୍କ ଜାମିନ ଉପରେ ରୋକ ଲଗାଇବା ସହିତ ସେମାନଙ୍କୁ ପ୍ରେସିଡେନ୍ସି କୋର୍ଟକୁ ପଠାଇଥିଲା । ଗତ ବୁଧବାର ମାମଲାର ଶୁଣାଣି ସମୟରେ 2 ପକ୍ଷର ଆଇନଜୀବୀଙ୍କ ମଧ୍ୟରେ 2 ଘଣ୍ଟା ଧରି ପ୍ରତିବାଦ ହେବା ପରେ ବିଚାରପତି 5 ମିନିଟ ବ୍ରେକ ନେଇ ମାମଲାର ଶୁଣାଣି ଗୁରୁବାର ହେବ ବୋଲି କହିଥିଲେ । କିନ୍ତୁ ଗୁରୁବାର ଶୁଣାଣିକୁ ସ୍ଥଗିତ ରଖାଯିବା ପରେ ଶୁକ୍ରବାର ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି ।
2014 ମସିହାରେ ଟିଏମସିର 7 ଜଣ ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀ ଲାଞ୍ଚ ନେବା ସମୟରେ କ୍ୟାମେରା କଏଦ ହୋଇଥିଲା । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା । ଦୀର୍ଘ 4 ବର୍ଷ ପରେ ଏହି ଘଟଣାକୁ ନେଇ ସିବିଆଇ ସେମାନଙ୍କୁ ଗିରଫ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ