ଭୋପାଳ: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରୁ ଏକ ବିରଳ ଘଟଣା ସାମନାକୁ ଆସିଛି । ୩ ବର୍ଷର ଶିଶୁ ସାଥୀରେ ପିତାଙ୍କୁ ନେଇ ଥାନାର ଦ୍ବାରସ୍ଥ ହୋଇଛି । ଆଉ ସେ ଅନ୍ୟ କାହା ବିରୋଧରେ ନୁହେଁ, ବରଂ ନିଜ ମାଆଙ୍କ ବିରୋଧରେ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି (Child complaint against mother before Police) । ମାଆ ତାଙ୍କୁ ମାଡ଼ ମାରୁଥିବାରୁ ମହିଳାଙ୍କୁ ଜେଲରେ ଭର୍ତ୍ତି କରିବା ଲାଗି ସେ କହିଛି । ଶିଶୁଟିର ଏହି ଅଭିଯୋଗ ଶୁଣି ଥାନାଧିକାରୀ ଖୁବ ଜୋର୍ରେ ହସିଥିବା ଦେଖିବାକୁ ମିଳିଛି ।
ମାଆ ବିରୋଧରେ କୁନି ଶିଶୁର ଅଭିଯୋଗ:-
ଶିଶୁର ପିତାଙ୍କ କହିବାନୁସାରେ ରବିବାର ଦ୍ବିପ୍ରହର ସମୟରେ ଶିଶୁଟିକୁ ତାର ମାଆ ଗାଧୋଇ ଦେବା ପରେ କାଜଲ ଲଗାଉଥିଲେ । ତେବେ କାଜଲ ଲଗାଇବାକୁ ଶିଶୁଟି ଅମଙ୍ଗ ହେଉଥିଲା । ଏହି ସମୟରେ ମହିଳା ଜଣକ ଶିଶୁକୁ ଚାପୁଡ଼ା ମାରିଥିଲେ । ଏହାପରେ ଶିଶୁଟି କାନ୍ଦିବା ଆରମ୍ଭ କରିଥିଲା । ତାକୁ ବୁଝାଇବା ପରେ ସେ ପୋଲିସ ଷ୍ଟେସନ ଯିବାକୁ ପିତାଙ୍କ ନିକଟରେ ଜିଦ୍ କରିଥିଲା । ଏହାପରେ ଶିଶୁଟି କହିଥିଲା ଯେ 'ମାଆ ମୋତେ ମାଡ଼ ମାରିଲେ, ସେ ଜେଲ୍ ଯିବେ ।' ଏହା ଶୁଣି ଥାନା ଅଧିକାରୀ ଖୁବ ଜୋର୍ରେ ହସିବାକୁ ଲାଗିଥିଲେ । ମାତ୍ର ଶିଶୁଟି ନିଜ ଜିଦ୍ରେ ଅଟଳ ଥିଲା ।
ଏହା ବି ପଢନ୍ତୁ- ଶିବ ମନ୍ଦିରରେ ଅଲୌକିକ ଦୃଶ୍ୟ, ଶିବଲିଙ୍ଗରେ ଦୃଶ୍ୟମାନ ହେଲେ ସ୍ୱୟଂ ଭଗବାନ !
ଏହାପରେ ଶିଶୁଟିକୁ ବୁଝାଇବା ଲାଗି ଥାନାର ସବ ଇନିସପେକ୍ଟର ପ୍ରିୟଙ୍କା ନାୟକ ଏକ ଅଭିଯୋଗ ପତ୍ର ଲେଖିଥିଲେ । ଏହାପରେ ଶିଶୁଟି ବୁଝିଥିଲା । ନିଜ ମାଆଙ୍କ ବିରୋଧରେ ଅଭିଯୋଗ କରିବା ଲାଗି ଥାନାରେ ପହଞ୍ଚିଥିବା ଏହି ଶିଶୁର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସୋସିଆଲ ମିଡ଼ିଆ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
'ଚଲୋଲେଟ ଚୋରି କରୁଛନ୍ତି ମାଆ'
ଶିଶୁର ଆଉ ଏକ ଅଭିଯୋଗ ହେଉଛି ତାର ମାଆ ଚକୋଲେଟ ମଧ୍ୟ ଚୋରି କରି ନେଉଛନ୍ତି । ଥାନାରେ ପହଞ୍ଚିବା ମାତ୍ରେ ସବ ଇନିସପେକ୍ଟର ପ୍ରିୟଙ୍କା ହାତ ଧରି କୁନି ଶିଶୁଟି କହିଥିଲା, "ମା' ମୋତେ ଚାପୁଡ଼ା ମାରିଛନ୍ତି । ତାଙ୍କୁ ଜେଲରେ ଭର୍ତ୍ତି କରାଇ ଦିଅ । " କୋମଳମତୀ ଶିଶୁର ଜିଦ୍ ଆଗରେ ଶେଷରେ ହାର ମାନି ସବ ଇନିସପେକ୍ଟର ଏକ ଅଭିଯୋଗ ପତ୍ର ମଧ୍ୟ ଲେଖିଛନ୍ତି । ଏହାପରେ ଶିଶୁଟି ଖୁସିରେ ପୁଣି ନିଜ ଘରକୁ ଫେରିଛି ।