ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ । ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ପ୍ରଯୁଜ୍ୟ ମଞ୍ଚ ହୋଇପାରିବା ନେଇ କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ।
![ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ](https://etvbharatimages.akamaized.net/etvbharat/prod-images/od-bbs-avb-g20meet-od10039_14052023182653_1405f_1684069013_35.jpeg)
ଏଥିପୂର୍ବରୁ ମଧ୍ୟ ପ୍ରଦେଶର ଖଜୁରୋହୋରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା । ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ପ୍ରସଙ୍ଗ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା । ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଗୁରୁତ୍ୱାରୋପ କରାଯିବ ।
![ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ](https://etvbharatimages.akamaized.net/etvbharat/prod-images/od-bbs-avb-g20meet-od10039_14052023182653_1405f_1684069013_611.jpeg)
ଭାରତର ଜି୨୦ ଅଧ୍ୟକ୍ଷତାର ସଂସ୍କୃତି ଟ୍ରାକ୍ ଅଧୀନରେ ପରିକଳ୍ପନା କରାଯାଇଥିବା ୪ଟି ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଉପରେ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ବୈଠକରେ ଧ୍ୟାନ ଦିଆଯାଇଛି । ଏହି ଚାରିଟି ପ୍ରାଥମିକତା କ୍ଷେତ୍ର ହେଲା, ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା, ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ, ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ।
![ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ](https://etvbharatimages.akamaized.net/etvbharat/prod-images/od-bbs-avb-g20meet-od10039_14052023182653_1405f_1684069013_35.jpeg)
ଆସନ୍ତାକାଲି ଅର୍ଥାତ୍ ମେ’ ୧୪ ତାରିଖରେ ପଦ୍ମଶ୍ରୀ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନୀ ଆୟୋଜନ କରାଯିବ । ଏହି ପ୍ରଦର୍ଶନୀର ବିଷୟବସ୍ତୁ ରହିବ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍ କରିଥାଏ’ । ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ "ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍ କରିଥାଏ" ଅଭିଯାନ ଆରମ୍ଭ କରାଯାଇଛି । ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଆଧାରିତ ବହୁପକ୍ଷବାଦ ଉପରେ ଭାରତର ଅତୁଟ ବିଶ୍ୱାସକୁ ପ୍ରକଟ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି । କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଉଦଘାଟନ କରିବେ ।
ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ଅଂଶଗ୍ରହଣ କରିବାକୁ ଥିବା ଅତିଥିମାନଙ୍କୁ ବିଭିନ୍ନ ସାଂସ୍କୃତିକ ଅନୁଭୂତି ହାସଲ କରିବାର ସୁଯୋଗ ମିଳିବ । ସେମାନଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ମିଳିବ । ବିଦେଶାଗତ ଅତିଥିମାନେ ଓଡିଶାର ଗୌରବ ଓଡ଼ିଶୀ, ସିଙ୍ଗାରୀ, ସମ୍ବଲପୁରୀ ଏବଂ ଗୋଟିପୁଅ ଆଦି ଲୋକନୃତ୍ୟର ପ୍ରତ୍ୟକ୍ଷ ଅନୁଭୂତି ମଧ୍ୟ ପଇପାରିବେ ।
ମେ’ ୧୫ ତାରିଖରେ(ଆସନ୍ତାକାଲି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ଉଦଘାଟିତ ହେବ । ମେ' ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ବ୍ୟାପକ ବିଚାରବିମର୍ଶର ସମାବେଶୀ ପ୍ରକ୍ରିୟା ଜରିଆରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ସହିତ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ମିଳିତ ଭାବେ କାର୍ଯ୍ୟ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର