ମୁମ୍ବାଇ: ମହାରାଷ୍ଟ୍ରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ନ ପିନ୍ଧିବାରୁ 14 ହଜାର ଲୋକଙ୍କଠାରୁ ପ୍ରାୟ 28 ଲକ୍ଷ ଟଙ୍କା ଜୋରିମାନା ରବିବାର ଆଦାୟ କରାଯାଇଛି । ଏହି ଜୋରିମାନା ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ ଦ୍ବାରା ଆଦାୟ କରାଯାଇଥିବା ଜଣାପଡିଛି ।
ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଥିଲାଗି ରାଜ୍ୟରେ ପୁଣି ଥରେ କୋରୋନାର ଗମ୍ଭୀର ସ୍ଥିତିକୁ ଏଡାଇବା ପାଇଁ କଟକଣାକୁ କଡାକଡି କରାଯାଇଛି । ଏଯାବତ୍ ରାଜ୍ୟରେ ମୋଟ 16 ଲକ୍ଷ 2 ହଜାର 536 ଲୋକଙ୍କଠାରୁ 32 କୋଟି 41 ଲକ୍ଷ 14 ହଜାର 800 ଟଙ୍କା ଆଦାୟ କରାଯାଇଛି ।
ତେବେ ରାଜ୍ୟରେ କେବଳ ରବିବାର 6971ଟି ନୂଆ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ଯାହାକି ଗତ 4 ମାସ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ କୋଭିଡର ଏପରି ସ୍ଥିତି ଦେଖି ଆଗାମୀ 8 ଦିନ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଏହି 8 ଦିନକୁ ଅନୁଧ୍ୟାନ କରିବା ପରେ ରାଜ୍ୟରେ ଲକଡାଉନ ଲାଗୁ ହେବ ନା ନାହିଁ ତାହା ସ୍ଥିର କରାଯିବ ।
ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟବାସୀ ପୁଣି ଥରେ ଲକଡାଉନ ଲାଗୁକୁ ଏଡାଇବାକୁ ଚାହୁଁଥିଲେ କୋଭିଡର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ । ରାଜ୍ୟବାସୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିଲାଗି ମହାରାଷ୍ଟ୍ର ସରକାର 'ମୋ ପରିବାର ମୋ ଦାୟିତ୍ବ' ଏକ ନୂଆ ସ୍ଲୋଗାନ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ 'ମୁଁ ଦାୟିତ୍ବବାନ' ବୋଲି ସ୍ଲୋଗାନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ରାଜ୍ୟର ଅମରାବତୀ ଜିଲ୍ଲାରେ ସାପ୍ତାହିକ ଲକଡାଉନ ଲାଗୁ କରାଯାଇଛି ।
@ANI