ମୁମ୍ବାଇ: କୋରୋନା ବିପକ୍ଷରେ ଭ୍ୟାକସିନ ଆସିଛି । ଦେଶବ୍ୟାପୀ ଟୀକାକରଣ କରାଯାଉଛି । ହେଲେ ଦେଶ ଏବେ ବି କୋରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନି । ତେଣୁ ସମସ୍ତ ଗାଇଡଲାଇନ ମାନି ଚଳିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହେଉଛି । ତେବେ କେତେକ ଅମାନିଆ କୋଭିଡ ସଂକ୍ରମଣକୁ ହେୟ କରୁଛନ୍ତି । ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ଆସିବାରେ ଲାଗିଛି । ଏପରି କିଛି ଆଇନ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପଶ୍ଚିମ ରେଲୱେ ସିପିଆରଓ ।
ଲକଡାଉନ ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଯାତ୍ରା ସମୟରେ ରେଳ ବିଭାଗ ପକ୍ଷରୁ କେତେକ ଗାଇଡ ଲାଇନ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ କୁହାଯାଇଛି । ଫେବୃୟାରୀ 1ରୁ 14 ତାରିଖ ମଧ୍ୟରେ 2558 ଜଣ ଯାତ୍ରୀ ଏହି ଗାଇଡଲାଇନ ମାନି ନଥିବା ଅଭିଯୋଗ ହୋଇଛି । ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।
ବିଏମସି ଓ ରେଳବାଇର ମୁମ୍ବାଇ ଡିଭିଜନ ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରୁଥିବା ପ୍ରତିଟି ବ୍ୟକ୍ତିଙ୍କ ଉପରେ ନଜର ରଖୁଥିଲେ । ଏହି ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିନଥିବାରୁ ସେମାନଙ୍କ ଠାରୁ ଜୋରିମାନା ହିସାବରେ 3,28,500 ଟଙ୍କା ଆଦାୟ କରାଯାଇଛି ।