ଥିରୁଅନ୍ତପୁରମ: ହିଂସା ପ୍ରଭାବିତ ମଣିପୁରରୁ ଉଚ୍ଚଶିକ୍ଷା ପାଇଁ କେରଳରେ ପହଞ୍ଚିଲେ 23 ଜଣ କୁକି ଛାତ୍ରଛାତ୍ରୀ । ଏମାନେ ଏବେ କେରଳର କନ୍ନୁର ବିଶ୍ବବିଦ୍ୟାଳୟର ବିଭିନ୍ନ ଅନୁବନ୍ଧିତ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରିବେ । ଆଜି (ଗୁରୁବାର) 23 ଜଣ କୁକି ସମ୍ପ୍ରଦାୟର ଛାଚତ୍ରଛାତ୍ରୀ କେରଳର କନ୍ନୁରରେ ପହଞ୍ଚିଛନ୍ତି । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମଣିପୁରରେ ହିଂସା ପରେ ଏବେ ପ୍ରାୟ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପାଠପଢା ପ୍ରଭାବିତ ହୋଇଛି । ମଣିପୁରର ଏକ ଛାତ୍ର ସଂଗଠନ କେରଳର ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରି ସେମାନଙ୍କୁ ସୁଯୋଗ ଦେବାକୁ କନ୍ନୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନିବେଦନ କରିଥିଲା । ସେହି ଆବେଦନ କ୍ରମେ ମଣିପୁରୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ସ୍ବତନ୍ତ୍ର ସିଟ୍ ଆବଣ୍ଟନ କରାଯିବା ନେଇ ଜୁଲାଇ 7ରେ କନ୍ନୁର ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା । ୟୁନିଭର୍ସିଟି ସିଣ୍ଡିକେଟ ମିଟିଂରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ 23 ମଣିପୁରୀ ଛାତ୍ରଛାତ୍ରୀ କେରଳର କନ୍ନୁରରେ ପହଞ୍ଚିଛନ୍ତି ।
ମଣିପୁରୀ ଛାତ୍ରଛାତ୍ରୀ ପହଞ୍ଚିବା ପରେ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋପୀନାଥ ରାଭେନ୍ଦ୍ରନ୍ କହିଛନ୍ତି, ମଣିପୁରର 70 ଜଣ ଛାତ୍ରଛାତ୍ରୀଙ୍କ ତାଲିକା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏହି ଛାତ୍ରଛାତ୍ରୀ କନ୍ନୁର ବିଶ୍ୱବିଦ୍ୟାଳୟରେ ପଢିବାକୁ ଆଗ୍ରହୀ ଅଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ 23 ଛାତ୍ରଛାତ୍ରୀ କନ୍ନୁରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ପହଞ୍ଚିବେ । ସେମାନେ ମଣିପୁରରେ ସେମାନଙ୍କ ପୂର୍ବ କଲେଜରେ ଅଧ୍ୟୟନ କରୁଥିବା ପାଠ୍ୟକ୍ରମ ଏବଂ ଏବେ କେରଳ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ମଧ୍ୟରେ ସମାନତା ନିର୍ଣ୍ଣୟ କରିବା ଏବଂ ସେମାନଙ୍କ ଆଡମିଶନ ପ୍ରକ୍ରିୟାକୁ ସମନ୍ବିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛି । ଏହି କମିଟିରେ ରେଜିଷ୍ଟ୍ରାର ତଥା ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଅଧ୍ୟକ୍ଷତା କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Manipur: ଛୁଟିରେ ଘରକୁ ଫେରିଥିବା ଯବାନଙ୍କୁ ପୁଅ ସାମ୍ନାରେ ଅପହରଣ ପରେ ହତ୍ୟା
ଏହି ଛାତ୍ରଛାତ୍ରୀଙ୍କ ଆଡମିଶନ ସମ୍ପର୍କରେ କନ୍ନୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁବନ୍ଧିତ 5ଟି କଲେଜ ସହିତ ଆଲୋଚନା କରାଯାଇସାରିଛି । ମଣିପୁରର ହିଂସାର ଭୟଙ୍କର ସ୍ଥିତି ଯୋଗୁଁ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଏକାଡେମିକ୍ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାରେ ଅସମର୍ଥ । ଏହି କାରଣରୁ, କେରଳ ବିଶ୍ବବିଦ୍ୟାଳୟ ସେମାନଙ୍କୁ ଅତିରିକ୍ତ ସମୟ ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ