ପାଟନା:ମରିଗଲା ମାନବିକତା, ହଜିଗଲା ହିତାହିତ ଜ୍ଞାନ । ସୀମା ଟପିଲା ବର୍ବରତା । ପ୍ରେମ ସମ୍ପର୍କକୁ ବିରୋଧ କରି ପ୍ରେମିକାର ଭାଇମାନେ ଜଣେ ଯୁବକଙ୍କୁ ପିଟିପିଟି ଦରମରା କରିବା ପରେ ଯୌନାଙ୍ଗ କାଟି ଦେଲେ । ଶେଷରେ ଡାକ୍ତରଖାନାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି ।
ଏତିକିରେ ମାମଲାର ଅନ୍ତ ଘଟିନାହିଁ । ମୃତ ଯୁବକଙ୍କ ପରିବାର ବର୍ଗ ଉତ୍ତେଜିତ ହୋଇ ହତ୍ୟା ଅଭିଯୋଗ ଆସିଥିବା ପ୍ରେମିକାର ଭାଇଙ୍କ ଘର ଆଗରେ ସମ୍ପୃକ୍ତ ଯୁବକଙ୍କ ଅନ୍ତିମ ସତ୍କାର କରିଛନ୍ତି । ଏପରି ଏକ ଘଟଣା ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମୁଜାଫରପୁର କାଣ୍ଟି ଥାନା ଅନ୍ତର୍ଗତ ରାମପୁରଶା ଅଞ୍ଚଳର ସୌରଭ ରାଜ(22) ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ମାତ୍ର ଏହି ପ୍ରେମ ସମ୍ପର୍କକୁ ଯୁବତୀଙ୍କ ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ ଥିଲେ । ଏଥିସହ ସମ୍ପର୍କକୁ ମଧ୍ୟ କଡା ବିରୋଧ କରୁଥିଲେ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଯୋଜନା କରି ପ୍ରେମିକା ମାଧ୍ୟମରେ ଯୁବକଙ୍କୁ ତାଙ୍କ ଘରକୁ ଡାକିଥିଲେ ।
ସୌରଭ ପ୍ରେମିକାର ଘରେ ପହଞ୍ଚିବା ମାତ୍ରେ ଯୁବତୀଙ୍କ ଭାଇମାନେ ତାଙ୍କୁ ଏକ ଘରେ ତାଲା ପକାଇ ଅତି ନିର୍ମମ ଭାବେ ବାଡେଇଥିଲେ । ଯେତେବେଳେ ସେ ସଂଜ୍ଞା ହରାଇ ବସିଲେ ସେତେବେଳେ ତାଙ୍କ ଯୌନାଙ୍ଗ କାଟି ଦେଇଥିଲେ ଦୁର୍ବୃତ୍ତ । ଏହାପରେ ସୌରଭ ମରିଯିବା ଆଶଙ୍କା କରି ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତିକରି ପଳାଇ ଆସିଥିଲେ । ମାତ୍ର ସେଠାରେ ସୌରଭଙ୍କ ମୃତ୍ୟୁ ଘଟିଥିଲା । ଏତିକିରେ ଥମି ନଥିଲା ମାମଲା । ଉତ୍ତେଜିତ ସୌରଭଙ୍କ ସମ୍ପର୍କୀୟ ଗତକାଲି ବିଳମ୍ବିତ ରାତିରେ ମୃତଦେହକୁ ପ୍ରେମିକାର ଘର ସମ୍ମୁଖରେ ଦାହ କରିଛନ୍ତି । ଏହିସମୟରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରେମିକାର ଭାଇମାନଙ୍କ ସମେତ 6 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ