ନୂଆଦିଲ୍ଲୀ: ଆଗକୁ ଆସୁଛି ଗୋଆ ବିଧାନସଭା ନିର୍ବାଚନ । ୨୦୨୨ରେ ଦେଶରେ ୭ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଓ ଗୁଜୁରାଟରେରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଏବେଠୁ ଆରମ୍ଭ କଲାଣି ପ୍ରସ୍ତୁତି । ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାହୁଲ ଗାନ୍ଧୀ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ଭେଟିବା ସହ ରାଜ୍ୟରେ ଦଳୀୟ କର୍ମୀଙ୍କୁ ନିର୍ବାଚନ ରଣନୀତି ନେଇ ଦେବେ ଗୁରୁମନ୍ତ୍ର । ଗୋଆରେ ରାହୁଲଙ୍କ ଗସ୍ତ ସମୟରେ ଗୋଆବାସୀଙ୍କ ସହ ମଧ୍ୟ ଆଲୋଚନା କରିବେ ।
ପ୍ରଥମ ଥର ପାଇଁ ଜଣେ ଜାତୀୟ ସ୍ତରର ନେତା ମତ୍ସ୍ୟଜୀବୀଙ୍କୁ ଭେଟିବାକୁ ଆସୁଛନ୍ତି । ଏଠାରେ ଅନେକ ସମସ୍ୟା ରହିଛି । ଏନେଇ ରାହୁଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବୁ । ଗୋଆର ଜଣେ ପାରମ୍ପାରିକ ମତ୍ସ୍ୟଜୀବୀ ରାହୁଲଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ବୋଲି ଦଳ ପକ୍ଷରୁ ଏନେଇ ଏକ ଭିଡିଓ ଜାରି କରାଯାଇଛି । ସେପଟେ, ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଗୋଆକୁ ଗସ୍ତ କରିଥିଲେ । ଦଳୀୟ କର୍ମୀଙ୍କୁ ସହ ଆଲୋଚନା କରିବା ସହ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ମଧ୍ୟ ଭେଟିଥିଲେ ଏବଂ ସେମାନଙ୍କ ସମସ୍ୟା ପଚାରୁ ବୁଝିଥିଲେ । ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ଗୋଆ ପ୍ରଦେଶ କଂଗ୍ରେସ କମିଟି (ଜିପିସିସି) ସଭାପତି ଗିରିଶ ଚୋଦାନକର ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ ।
ଗୋଆ ବିଧାନସଭାର 40 ଆସନରୁ ବର୍ତ୍ତମାନ ବିଜେପି ହାତରେ 17ଟି ସିଟ ରହିଛି । ଅର୍ଥାତ ୧୭ ଜଣ ବିଧାୟକ ରହିଛନ୍ତି । ଏହାସହ ମହାରାଷ୍ଟ୍ରୱାଡି ଗୋମାଣ୍ଟକ ପାର୍ଟି (MGP), ଗୋଆ ଫରୱାର୍ଡ ପାର୍ଟି,(GFP) ଏବଂ ତିନି ଜଣ ସ୍ବାଧିନ ପ୍ରାର୍ଥୀ ବିଜେପିକୁ ସମର୍ଥନ କରୁଛନ୍ତି । GFP ଏବଂ MGP ପ୍ରତ୍ୟେକରେ ତିନି ଜଣ ଲେଖାଏଁ ବିଧାୟକ ଅଛନ୍ତି । ଏହାସହ କଂଗ୍ରେସ ହାତରେ ୧୫ ସିଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ