ହାଇଦ୍ରାବାଦ: ଉତ୍ତର ପ୍ରଦେଶ ଦେଉବନ୍ଦରେ ପୋଲିସ ଏନକାଉଣ୍ଟରରେ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ମାମଲା ରୁଜୁ ହୋଇଛି । ସ୍ଥାନୀୟ ସିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏନକାଉଣ୍ଟରରେ ସାମିଲ ଥିବା 12ଜଣ ପୋଲିସ କର୍ମୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ସେପ୍ଟେମ୍ବର 5ରେ ଏହି ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ମୃତକଙ୍କୁ ଗୋରୁ ମାଫିଆ ବୋଲି ଦର୍ଶାଇଥିଲା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ସେପ୍ଟେମ୍ବର 5 ତାରିଖରେ ଏହି ଏନକାଉଣ୍ଟର ହୋଇଥିଲା । ଦେଉବନ୍ଦ ପୋଲିସ ଷ୍ଟେସନ ଏରିଆରେ ଗୋରୁ ଚାଲାଣ ରୋକିବା ବେଳେ ଗୋରୁ ମାଫିଆ ଓ ପୋଲିସ ଟିମ୍ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପୋଲିସ ଗୁଳିରେ ଜିହାନ ହାଇଦର ନାମକ ଜଣେ ଅଭିଯୁକ୍ତ ଗୁରୁତର ହୋଇଥିଲା । ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ପୋଲିସ କହିଥିଲା ।
ତେବେ ଏହି ଏନକାଉଣ୍ଟର ପରେ ମୃତ ଅଭିଯୁକ୍ତର ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ଏହାକୁ ପୋଲିସର ଷଡ଼ଯନ୍ତ୍ର ସହ ମିଥ୍ୟା ଏନକାଉଣ୍ଟର ବୋଲି ଅଭିଯୋଗ କରିଥିଲେ ପରିବାର । ମୃତକଙ୍କ ପତ୍ନୀ ପୋଲିସ ବିରୋଧରେ ସ୍ଥାନୀୟ ସିଜେଏମ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ମୃତକଙ୍କ ପତ୍ନୀ କହିଥିଲେ, ପୋଲିସ ହାଇଦରଙ୍କୁ ଜେରା ପାଇଁ କଲ କରି ଡାକିଥିଲା । ପରେ ତାଙ୍କ ଗୋଡରେ ଗୁଳି ବାଜିଥିବା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ପୋଲିସ ତରଫରୁ ପରିବାର ସଦସ୍ୟଙ୍କୁ ସୂଚନା ମିଳିଥିଲା । ସେମାନେ ହସ୍ପିଟାଲରେ ପହଞ୍ଚିବା ପରେ ହାଇଦର ମୃତ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ପୋଲିସ ହାଇଦରଙ୍କୁ ଷଡଯନ୍ତ୍ରମୂଳକ ଭାବେ ଡାକି ହତ୍ୟା କରିଛି ବୋଲି ତାଙ୍କ ପତ୍ନୀ ଆବେଦନରେ ଦର୍ଶାଇଥିଲେ ।
ସେ କୋର୍ଟରେ ଆବେଦନ କରିବା ସହ ମୁଖ୍ଯମନ୍ତ୍ରୀଙ୍କୁ ଅନ୍ଲାଇନ୍ରେ ଅଭିଯୋଗ କରି ପୋଲିସ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (CJM) ଅନୀଲ କୁମାର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉକ୍ତ ଦିନ ଏହି ଏନକାଉଣ୍ଟରରେ ସାମିଲ ଥିବା 12ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ