ହାଇଦ୍ରାବାଦ: ଆଜି କୃଷକ ଆନ୍ଦୋଳନକୁ ପୁରିଛି ପୁରା 100 ଦିନ । କେନ୍ଦ୍ର କୃଷି ଆଇନ ବିରୋଧୀ ଏହି ଆନ୍ଦୋଳନ ନଭେମ୍ବର 26 ତାରିଖରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଛୁଟିଥିଲା ଟ୍ରାକ୍ଟର ରାଲି । ବିପୁଳ ସୁରକ୍ଷାକର୍ମୀ ମୁତୟନ, ବ୍ୟାରିକେଟ, ଲୁହବୁହା ଗ୍ୟାସ, ଥର ଥର ଶୀତ ଏବଂ ଶକ୍ତଲାଠି ଚାର୍ଜକୁ ସହ୍ୟ କରି ଦିଲ୍ଲୀ ବର୍ଡରରେ ପହଞ୍ଚିଥିଲେ ଆନ୍ଦୋଳନମୁଖା କୃଷକ ଏବଂ ସେଠାରେ ନୂତନ କୃଷି ଆଇନକୁ କରାଯାଇଥିଲା ଜୋରଦାର ବିରୋଧ । ଯେଉଁଥିରେ ଅନେକ କୃଷକ ମଧ୍ୟ ଆଖି ବୁଜିଥିଲେ । କିପରି ଥିଲା ଏହି ସମ୍ପୂର୍ଣ୍ଣ ଘଟଣା, ଜାଣନ୍ତୁ...
କୃଷକ ମୋର୍ଚ୍ଚା ଗଠନ:
ପ୍ରଶାସନର ପ୍ରବଳ ବିରୋଧ ସତ୍ତ୍ବେ କୃଷକମାନେ ନିଜର ପ୍ରଥମ କୃଷକ ମୋର୍ଚ୍ଚା ଗଠନ କରିଥିଲେ । ପ୍ରାରମ୍ଭିକ ସ୍ତରରେ ଏହା ପଞ୍ଜାବ ଓ ହରିୟାଣାର ତିନିରୁ ଚାରି ଲକ୍ଷ କୃଷକଙ୍କ ନେଇ ଗଠିତ ହୋଇଥିଲା । ଅତି ସ୍ବଳ୍ପ ଅବଧି ମଧ୍ୟରେ ଏହି ଆନ୍ଦୋଳନଟି ସମ୍ପୂର୍ଣ୍ଣ ଦେଶ ସମେତ ବିଶ୍ବକୁ ବ୍ୟାପିଥିଲା । ଆନ୍ଦୋଳନ ଆରମ୍ଭର ମାତ୍ର ଦୁଇ ତିନି ସପ୍ତାହ ପରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରୁ ଏହାକୁ ବିପୁଳ ଜନ ସମର୍ଥନ ମିଳିଥିଲା ଏବଂ ଏହା ଟିକ୍ରି ଆଉ ଗାଜିପୁରରେ ଦୁଇଟି ବଡ ଆନ୍ଦୋଳକୁ ଜନ୍ମ ଦେଇଥିଲା । ସେହିପରି ସାହରାନପୁରରେ ମଧ୍ୟ ଏହା ଏକ ଆନ୍ଦୋଳନର ସୁତ୍ରପାତ କରିଥିଲା ।
ସଂୟୁକ୍ତ କିଷାନ ମୋର୍ଚ୍ଚାର ସୁତ୍ରପାତ:
ସରକାରଙ୍କ ସହ କୃଷକ ସଙ୍ଗଠନଗୁଡିକର ବୁଝାମଣା ପୂର୍ବରୁ ସେମାନେ 40ଟି ଭିନ୍ନ କୃଷକ ସଙ୍ଘ ନେତାଙ୍କୁ ନେଇ ସଂୟୁକ୍ତ କିଷାନ ମୋର୍ଚ୍ଚା ସଙ୍ଗଠନ ଗଢିଥିଲେ । ପରେ ସରକାରଙ୍କ ପ୍ରସ୍ତାବ ସ୍ବୀକାର କରି ମାତ୍ର ମୋର୍ଚ୍ଚାର 30 ଜଣ ନେତାଙ୍କୁ ନେଇ ଆଲୋଚନା କରାଯାଇଥିଲା । ପ୍ରଥମ ଦିନରୁ ହିଁ ଏହି ଆଲୋଚନା ବୈଠକରେ କୌଣସି ରାଜନୈତିକ ହସ୍ତକ୍ଷେପ ନ ହେବାକୁ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଦେଶବ୍ୟାପୀ ତୀବ୍ର ହୋଇଥିଲା ଅନ୍ଦୋଳନ ଶିଖା:
ଏହି କୃଷକ ଆନ୍ଦୋଳନକୁ ପଞ୍ଜାବ ଓ ହରିୟାଣାର ଲକ୍ଷ ଲକ୍ଷ ମହିଳା ସମର୍ଥନ କରି ଆଗେଇ ଆସିଥିଲେ । ଏପରିକି ସଂୟୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମହିଳା କୃଷକ ନେତାଙ୍କୁ ସାମିଲ କରାଯାଇ ଆନ୍ଦୋଳନକୁ ବ୍ୟାପକ କରାଯାଇଥିଲା । ଇତିମଧ୍ୟରେ ପଶ୍ଚିମ ଓ ଦକ୍ଷିଣ ଭାରତ ବା ମୁଖ୍ୟତଃ ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କେରଳରୁ ପ୍ରାୟ 10 ହଜାର 800 କୃଷକ ସିଙ୍ଘୁ ବର୍ଡରରେ ପହଞ୍ଚିଥିଲେ ।
କେନ୍ଦ୍ର ସରକାର ଏବଂ ସଂୟୁକ୍ତ କୃଷକ ମୋର୍ଚ୍ଚା ମଧ୍ୟରେ ଆଲୋଚନା:
ନୂତନ କୃଷି ଆଇନ ବିରୋଧୀ ଏହି କୃଷକ ଆନ୍ଦୋଳନର ସମାଧାନ କେନ୍ଦ୍ର ଓ କୃଷକ ମଧ୍ୟରେ 11ଟି ବୈଠକ କରାଯାଇଥିଲା । ଏଥିରେ ସରକାର କୃଷକଙ୍କ ଦୁଇଟି ଦାବିକୁ ମାନି ନେଇଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ଦାବି କୃଷି ଆଇନ ପ୍ରତ୍ୟାହାରକୁ ଗ୍ରହଣ କରିନଥିଲେ । ଏଥିସହ ଅନେକ ସମୟରେ କେନ୍ଦ୍ର ପକ୍ଷରୁ ବୁଝାମଣା ପାଇଁ ପାଞ୍ଚ ଜଣିଆ କମିଟି ଗଠନ ପାଇଁ ସୁପାରିଶ ହୋଇଥିଲା । ହେଲେ ଆମେ ଏହି କମିଟି ସଦସ୍ୟଙ୍କ ଉପରେ ବିଶ୍ବାସ କରିପାରିବୁ ନାହିଁ ବୋଲି କହି କିଷାନ ମୋର୍ଚ୍ଚା ସୁପାରିଶକୁ ପ୍ରତ୍ୟାଖାନ କରିଥିଲେ । ଶେଷରେ ଏହି କୃଷି ଆଇନକୁ ମାତ୍ର 18 ମାସ ଯାଏଁ କାର୍ଯ୍ୟକାରୀ କରିବାକୁ ଏବଂ ଗୁଜବକୁ ଏଡାଇବାକୁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ଏହାକୁ ବି ପ୍ରତ୍ୟାଖାନ କରିଥିଲା ସଂୟୁକ୍ତ କୃଷକ ମୋର୍ଚ୍ଚା ।
ଆନ୍ଦୋଳନରେ ଭାରତୀୟ ଗଣମାଧ୍ୟମର ଭୂମିକା:
ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବିଚ୍ୟୁତ କରିବା ଦିଗରେ ଭାରତୀୟ ଗଣମାଧ୍ୟମଗୁଡିକ ଯଥାସମ୍ଭବ ପ୍ରଚେଷ୍ଟା କରିଛନ୍ତି । ଏପରିକି କିଛି ଗଣମାଧ୍ୟମ କୃଷକଙ୍କୁ ଆତଙ୍କୀର ଆଖ୍ୟା ମଧ୍ୟ ଦେଇଥିଲେ । ପ୍ରଥମ ଥର ପାଇଁ ଭାରତ ବିରୋଧ ଇତିହାସରେ ଯେତେବେଳେ ଗଣମାଧ୍ୟମଗୁଡିକ ନିର୍ବାଚିତ ସରକାରଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ସ୍ଥିର କଲେ, ସେତେବେଳେ ଆନ୍ଦୋଳନକାରୀମାନେ ନିଜର ଖବରକାଗଜ ଆରମ୍ଭ କରିଥିଲେ ଏବଂ ବାସ୍ତବରେ ଘଟଣାସ୍ଥଳରେ କଣ ଘଟୁଛି ସେ ସମ୍ପର୍କରେ ଜନସାଧାରଣ ଓ କୃଷକମାନଙ୍କୁ ଜଣାଇଥିଲେ । ଯାହାର ନାଁ ଥିଲା ଟ୍ରୋଲି ଟାଇମ୍ସ । ତେବେ ଖବରକାଗଜଟି ଆନ୍ଦୋଳନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା । ଟ୍ରୋଲି ଟାଇମ୍ସର ଗୋଟିଏ କପିର ମୁଲ୍ୟ 5 ଟଙ୍କା ସ୍ଥିରୀକୃତ ହୋଇଥିଲା ଏବଂ ପ୍ରଥମ ଦିନରେ ହିଁ ଏହାର 2 ହଜାର କପି ବଣ୍ଟନ ହୋଇପାରିଥିଲା । ସେହିପରି ନିଜର ଅଫିସିଆଲ ପେଜ ତିଆରି କରି ସଂୟୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ଡିଜିଟାଲଜେସନ କରିବା ସହ ଏହା ମାଧ୍ୟମରେ ଅଭିଯାନ ମଧ୍ୟ ଚଳାଇଥିଲା ।
ଟ୍ବିଟର ଯୁଦ୍ଧ:
ଅନ୍ଦୋଳନ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ରାଜନେତା ଓ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ଏକ ବାକଯୁଦ୍ଧର ସୂତ୍ରପାତ ଘଟିଥିଲା । ଦିଲ୍ଲୀରେ ଚାଷୀଙ୍କୁ ପହଞ୍ଚିବାରୁ ରୋକିବା ଏବଂ ଚାଷୀଙ୍କୁ ଉତ୍ସାହିତ କରିବା ନେଇ ପ୍ରଥମ ବାକଯୁଦ୍ଧର ସୃଷ୍ଟି ହୋଇଥିଲା ପଞ୍ଜାବ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଭିତରେ । ସେହିପରି ଦିଲଜିତ୍ ଦୋସାନଝା ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟରେ ସୃଷ୍ଟ ବାକଯୁଦ୍ଧର ସବୁଠୁ ମଜାଦାର ଥିଲା । ଯେଉଁଥିରେ କଙ୍ଗନା ଜଣେ ମହିଳା ବିକ୍ଷୋଭକାରୀଙ୍କ ନେଇ ଏକ ବିବାଦୀୟ ଟ୍ବିଟ କରିଥିଲେ ।
ଆନ୍ଦୋଳନରେ ପଞ୍ଜାବୀ ଶିଳ୍ପର ଭୂମିକା:
ସମଗ୍ର ପଞ୍ଜାବୀ ଶିଳ୍ପ ସମେତ କଳାକାର ଓ ଗୀତିକାର ଦିଲଜିତ ଦୋଷନଝା, ଆମି ଭିର୍କ, ରଞ୍ଜିତ ବାୱା, ଜିପି ଗ୍ରେୱାଲ ରାଇ, ବି ଜୟ ରାନ୍ଧୱା, ନିମରତ ଖାଇରା, ହରଭଜନ ମନ୍, ହାର୍ଫ ଚେମା, ବାବୁ ମନ୍ନ, ତରସିମ ଜେସାର ଏବଂ ଆହୁରି ଅନେକ ସେଲିବ୍ରିଟି କୃଷକଙ୍କ ସମର୍ଥନରେ ଆଗେଇ ଆସିଥିଲେ । ଏପରିକି ସେମାନେ ଏହି ବିକ୍ଷୋଭକୁ କେନ୍ଦ୍ରକରି ଏକାଧିକ ଗୀତ ମଧ୍ୟ ଗାଇଥିଲେ । ଏହାବ୍ୟତୀତ ସେମାନେ ବିକ୍ଷୋଭସ୍ଥଳରେ ପହଞ୍ଚି କୃଷକଙ୍କ ସପକ୍ଷରେ ଛିଡା ହୋଇଥିଲେ ।
ନ୍ୟାୟିକ ଭୂମିକା:
ଇତିମଧ୍ୟରେ କୃଷି ଆଇନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହଠାତ୍ କିଛି ସାମାଜିକ କର୍ମୀ ସୁପ୍ରିମକୋର୍ଟରେ ଏକ ଜନହିତକର ଯାଚିକା ଦାଖଲ କରିଥିଲେ । ଏହାପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଆଇନ ଉପରେ ରୋକ ଲଗାଇଥିଲେ । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ କୃଷକ ଆନ୍ଦୋଳନକୁ ବୈଧ ବୋଲି କହିଥିଲେ । ମାତ୍ର ଆନ୍ଦୋଳନସ୍ଥଳ ଉପରେ ପ୍ରଶ୍ନ ଉଠାଇଥିଲେ ।
ଲାଲକିଲ୍ଲା ଦଙ୍ଗା:
ହାଡଭଙ୍ଗା ଶୀତ କାକର ସହ ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିସ୍ଥିତିରେ ଆନ୍ଦୋଳନ ଓ କିଛି ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ ଘଟଣାର ଦୁଇ ମାସ ପରେ ଗଣତନ୍ତ୍ର ଦିବସରେ ଏକ ଘୃଣ୍ୟ କାଣ୍ଡ ଘଟିଥିଲା । ଯାହା ଭାରତ ଇତିହାସ ପୃଷ୍ଟାରେ କଳଙ୍କିତ ଅଧ୍ୟାୟ ସାଜିଥିଲା । ଏହି ଦିନ କୃଷକ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଟ୍ରାକ୍ଟର ରାଲିର ଡାକାର ଦିଆଯାଇଥିଲା । ହେଲେ ଘଟଣା ଦିନ କିଛି ଅଜ୍ଞାତ ବ୍ୟକ୍ତିବିଶେଷ ରାଲିକୁ ଦିଗହରା କରିଥିଲେ । ସେମାନେ ଦିଲ୍ଲୀର ଐତିହାସିକ ଦୁର୍ଗ ଲାଲକିଲ୍ଲା ମଧ୍ୟରେ ଜୋରଦବରଦସ୍ତ ପ୍ରବେଶ କରିଥିଲେ ଏବଂ ତାଣ୍ଡବ ରଚିଥିଲେ । ବିକ୍ଷୋଭକାରୀଙ୍କ ହିଂସାକାଣ୍ଡରେ ଛାରଖାର ହୋଇଯାଇଥିଲା ଲାଲକିଲ୍ଲା । ଏପରିକି ଅଜ୍ଞାତ ଦଙ୍ଗାକାରୀ ଦୁର୍ଗ ଉପରେ ଚଢି ଜାତୀୟ ପତାକା କାଢି ସାଙ୍ଗଠନିକ ପତାକା ଉଡାଇଥିଲେ । ମାତ୍ର କୃଷକମାନେ ଏହି ପତାକା ଉଡାଇ ଥିଲେ ବୋଲି ସମସ୍ତ ଗଣମାଧ୍ୟମ ପ୍ରସାରଣ କରିଥିଲା । ସେପଟେ ସମ୍ପୃକ୍ତ ଦଙ୍ଗାକାରୀଙ୍କୁ କାହିଁକି ଇଣ୍ଟେଲିଜିଏନ୍ସ ଫୋର୍ସ ଦ୍ବାରା ଗିରଫ କରାଗଲା ନାହିଁ ଏବଂ ଦ୍ବିତୀୟତଃ ପୋଲିସ କାହିଁକି ଦୁର୍ଗର ମୁଖ୍ୟ ଫାଟକକୁ ବନ୍ଦ ନ କରି ଦଙ୍ଗାକାରୀଙ୍କୁ ଏହା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦେଲା ବୋଲି ଦୀପ ସିଦ୍ଧୁ ଓ ଲାଖା ସିଦ୍ଦାନା ପ୍ରଶ୍ନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆର୍ଟିକିଲ ଲେଖିବା ପାଇଁ ଦୀପ ସିଦ୍ଧୁଙ୍କୁ ଗିରଫ କରାଗଲା ।
ସ୍ବାଧୀନ ବକ୍ତବ୍ୟର ଫଳାଫଳ: ନିଜ ସ୍ବାଧୀନ ମତ ସାବ୍ୟସ୍ତ ପାଇଁ ଆନ୍ଦୋଳନ ମଧ୍ୟରେ ଅନେକ ସାମାଜିକ କର୍ମୀ ଓ ସାମ୍ବାଦିକ ଗିରଫ ହୋଇଥିଲେ । ମାତ୍ର ଦିଶା ରବି, ନୋଦିପ କୌର ଏବଂ ମନଦୀପ ପୋନିଆଙ୍କ ଗିରଫଦାରୀ ଅତ୍ୟନ୍ତ ଲଜ୍ଜାଜନକ ଓ ଭୟାନକ ଥିଲା । ସେହିପରି ଶଶୀ ଥାରୋର ଏବଂ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।
ଗ୍ରାଉଣ୍ଡ ଜିରୋ ପରିସ୍ଥିତି:
ଏହି ପ୍ରସଙ୍ଗରେ ଗାଓଁ କନେକ୍ସନ ଦ୍ବାରା 16 ଟି ରାଜ୍ୟରେ 5 ହାଜରରୁ ଉର୍ଦ୍ଧ୍ବ କୃଷକଙ୍କ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁଥିରୁ କିଛି ତଥ୍ୟ ଆବିଷ୍କାର ହୋଇଛି । ସର୍ବେକ୍ଷଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନାମମାତ୍ର ଚାଷୀ ଏବଂ କେବଳ 28 ପ୍ରତିଶତ ହେଉଛନ୍ତି ବୃହତ ଓ ମଧ୍ୟମ ଚାଷୀ । ସେଥିମଧ୍ୟରୁ 52 ପ୍ରତିଶତ କୃଷକ ନୂତନ କୃଷି ଆଇନକୁ ସମର୍ଥନ କରୁଥିବାବେଳେ 35 ପ୍ରତିଶତ ଏହାର ସପକ୍ଷରେ ଅଟନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ