thumbnail

ସରିଲା ଦେବ ଦମ୍ପତିଙ୍କ ବିବାହ, ବିଳମ୍ବିତ ରାତିରେ ପଡିଲା ହାତଗଣ୍ଠି - Shital Sasthi 2024

By ETV Bharat Odisha Team

Published : Jun 11, 2024, 11:05 AM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରହ୍ମପୁର ସହରର ବିଭିନ୍ନ ଶୈବପୀଠରେ ପାରମ୍ପାରିକ ରିତିନୀତିରେ ଶିବ ଓ ପାର୍ବତୀଙ୍କର ବିବାହ ବିଳମ୍ବିତ ରାତ୍ରିରେ ଶେଷ ହୋଇଛି । ପ୍ରଥମ ଦିବସରେ ନିର୍ବନ୍ଧ ବା ଗଣ୍ଠିବନ୍ଧା କାର୍ଯ୍ୟ ପରେ କନ୍ୟାପକ୍ଷ ଏବଂ ବର ପକ୍ଷ ପକ୍ଷରୁ ଗତକାଲି ଆୟୋଜିତ ହୋଇଥିଲା ଦେବ ଦମ୍ପତିଙ୍କ ବିବାହ । ନିମନ୍ତ୍ରଣ ପରେ ବାଟବରଣ ହୋଇ ହରହର ମହାଦେବଙ୍କୁ ବିବାହ ମଣ୍ଡପକୁ ଅଣାଯିବା ପରେ ସମସ୍ତ ପ୍ରକାର ରିତିନୀତିରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ । ସହରର ସାନବଜାର ଛକସ୍ଥିତ କପିଳେଶ୍ୱର ମହାଦେବ ମନ୍ଦିର ସମେତ ଗୋଷାଣୀ ନୂଆଗାଁ ଶୈବପୀଠ, କମାପଲ୍ଲୀ, ବିଦ୍ୟୁତପୁରୀ କୋଲେନୀ ଭଳି ସହରର ପ୍ରମୁଖ ଶୈବପୀଠରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଶୀତଳଷଷ୍ଠି ଅବସରରେ ଦେବଦେବ ମହାଦେବଙ୍କ ସହିତ ମାତା ପାର୍ବତୀ ମାନବୀୟ ଲୀଳା ଧାରଣ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି । ଜ୍ୟୈଷ୍ଠ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାଦେବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ କନ୍ୟାପକ୍ଷ ମହାଦେବଙ୍କୁ ବର ଦେଶରେ ସ୍ବାଗତ କରିବା ପାଇଁ ଉତ୍ସାହ ସହିତ ଅପେକ୍ଷା କରିଥାନ୍ତି । ଶିବ ପାର୍ବତୀଙ୍କ ବୈଦିକ ରୀତିନୀତିରେ ବିବାହ କରାଯିବା ସହିତ କନ୍ୟାପକ୍ଷରୁ ଅଳଙ୍କାର ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥାଏ । ନବ ବିବାହିତ ଦେବ ଦମ୍ପତି ଦୁଇ ଦିନ ପରେ ସ୍ବତନ୍ତ୍ର ରଥରେ ନଗର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦେବ ଦମ୍ପତିଙ୍କ ବିବାହ, ଉତ୍ସବମୁଖର ଜଗତସିଂହପୁର - Shital Sasthi 2024

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.