ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ମହିଳା ଯନ୍ତ୍ରୀ, ଏମପି ଲ୍ୟାଡ଼ ପ୍ରକଳ୍ପରେ 10% ପିସି କାରବାର ! - Vigilance Raid
🎬 Watch Now: Feature Video
Published : Mar 20, 2024, 4:33 PM IST
Khordha Block Assistant Engineer under Vigilance Scanner: ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ । ଖୋର୍ଦ୍ଧା ବ୍ଲକରେ କାର୍ଯ୍ୟରତ ଜଣେ ସହକାରୀ ଯନ୍ତ୍ରୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ନରଣଗଡ ଗ୍ରାମ ପଞ୍ଚାୟତରେ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଇଁ ପିସି ଟଙ୍କା ନେଉଥିବା ବେଳେ ଆଜି ତାଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ ଟିମ ଧରିଛି ।
ଏହା ମଧ୍ୟ ପଢ଼ନ୍ତୁ.... ଭିଜିଲାନ୍ସ ଜାଲରେ ପୂର୍ବତନ ବ୍ଲକ ଅଧକ୍ଷ, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ଚଢାଉ
ସୂଚନା ଅନୁଯାୟୀ, ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ । ସେହିପରି ୧୮ ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ । ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ପୁଣି ପଚାଶ ହଜାର ଟଙ୍କା ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଅଧିକାରୀ ଚନ୍ଦ୍ରକଳା ଜେନା ଓ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା ଏବଂ ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା । ସେହିପରି ଖୋର୍ଦ୍ଧା ବ୍ଲକରେ ଥିବା ଯନ୍ତ୍ରୀ ସଂଗୀତା ମହାପାତ୍ରଙ୍କ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଉନ୍ନୟନ କାର୍ଯ୍ୟ ଯେମିତି ବିନା ଲାଞ୍ଚରେ ହେଉନଥିବା ଜଣା ପଡୁଛି । ସରକାର ସରକାରୀ କର୍ମଚାରୀଙ୍କ ଦରମା ଯେତେ ବୃଦ୍ଧି କଲେ ମଧ୍ୟ ହାତଗୁଞ୍ଜା ନଦେଲେ ଯେମିତି ଫାଇଲ ଘୁଞ୍ଚୁନି ।
ଇଟିଭି ଭାରତ, ଖୋର୍ଦ୍ଧା