କୁଜଙ୍ଗକୁ NAC ମାନ୍ୟତା ଖୁସିରେ ଶୋଭାଯାତ୍ରା, ବଣ୍ଟା ହେଲା କ୍ବିଣ୍ଟାଲ କ୍ବିଣ୍ଟାଲ ମିଠା

By ETV Bharat Odisha Team

Published : Mar 14, 2024, 10:08 PM IST

thumbnail

Celebration In Kujanga: ଜଗତସିଂହପୁର: କୁଜଙ୍ଗକୁ ଗତକାଲି (ବୁଧବାର) ଏନଏସି ମାନ୍ୟତା ପ୍ରଦାନ କରାଯାଇଛି । ଏହି ଘୋଷଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସାଧାରଣଲୋକଙ୍କୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉରରାୟ। 1993 ମସିହାରେ କଟକଠାରୁ ଅଲଗା ହୋଇ ଜଗତସିଂହପୁର ଜିଲ୍ଲା ଗଠନ ହେବା ପରେ କୁଜଙ୍ଗକୁ ସବଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଆସୁଥିଲା । ଏପରିକି ପାରାଦ୍ୱୀପକୁ ଏକ ଜିଲ୍ଲା ଘୋଷଣା କରିବାକୁ ମଧ୍ୟ କିଛି ସଂଗଠନ ଦାବି କରିଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ବନ୍ଦ ପାଳନ ଆଦି କରାଯାଉଥିଲା। 

ଏହା ମଧ୍ୟ ପଢନ୍ତୁ...ରାସୋଳକୁ ଏନଏସି ଘୋଷଣା, ସହରରେ ଦେବାକୁ ମିଳିଛି ସେଲିବ୍ରେସନ ମାହୋଲ

ଏହି ଦାବିକୁ ରାଜ୍ୟ ସରକାର ଗ୍ରହଣ କରି ୨ ଜଣ ଅଧିକାରୀଙ୍କୁ କୁଜଙ୍ଗ ପରିଦର୍ଶନ ପାଇଁ ପଠାଇଥିଲେ। ଭିତ୍ତିଭୂମିର ତଦାରଖ ପରେ କୁଜଙ୍ଗକୁ NAC ମାନ୍ୟତା ମିଳିଛି । କୁଜଙ୍ଗ ବ୍ଲକର କୁଜଙ୍ଗ, ବଗୋଇ, ମଙ୍ଗରାଜପୁର,ବାଲିଆ, ଓ ଗୋପିଆ କୁଦକୁ ନେଇ NAC ଗଠିତ ହେବ। 5 କିଲୋମିଟର ପରିଧି ମଧ୍ୟରେ NAC ଗଠନ ହେବାକୁ ପ୍ରସ୍ତାବ ରଖାଯାଇଛି। NAC ଘୋଷଣା ହେବାପରେ ଆଜି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ସମେତ ବହୁ ବିଜେଡି ନେତା କୁଜଙ୍ଗରେ ଏକ ଶୋଭାଯାତ୍ରାରେ ବାହାରିଥିଲେ। କୁଜଙ୍ଗ ରୂପରେଖ ବଦଳିବା ଖୁସିରେ ମିଠା ବାଣ୍ଟିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ନାଗରିକ ମଞ୍ଚର ଆବାହକ ଡି ଏନ ଯାଦବ, କୁଜଙ୍ଗ ଓକିଲ ସଂଘର ସମ୍ପାଦକ ଦାମୋଦର ସ୍ୱାଇଁ, କବି ପିତାମ୍ବର ତରାଇ ପ୍ରମୁଖ ସାମିଲ ହୋଇଥିଲେ। NAC ମାନ୍ୟତା ପାଇବା ପରେ କୁଜଙ୍ଗର ଉନ୍ନତି ହୋଇପାରିବ ବୋଲି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.