ହାତୀ ଆକ୍ରମଣରେ ମହିଳାଙ୍କ ସହ ଶିଶୁ ମୃତ, ଜାତୀୟ ରାଜପଥ ଅବରୋଧ - Elephant Attack Death

By ETV Bharat Odisha Team

Published : Jul 26, 2024, 7:49 PM IST

thumbnail
2 Person Death in Elephant Attack (ETV Bharat Odisha)

2 Person Death in Elephant Attack: ଖୋର୍ଦ୍ଧା: ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଅଧୀନ ଡମଣଭୂମି ଗ୍ରାମ ଆଦିବାସୀ ସାହିରେ ଗତକାଲି ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣେ ମହିଳା ଓ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରୀନା ପାତ୍ର । ସେହିପରି ଦନ୍ତା ଉକ୍ତ ଗ୍ରାମରେ ଚନ୍ଦ୍ର ପାତ୍ରଙ୍କର 5 ବର୍ଷର ପୁଅ ବିଶ୍ବଜିତକୁ ମଧ୍ୟ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବିଶ୍ୱଜିତକୁ ଭୁବନେଶ୍ବରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏପଟେ ହାତୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକମାନେ ଡ୍ରୋନ ଜରିଆରେ ହାତୀ ଉପରେ ନଜର ରଖୁଥିବା ଜଣେ ବନ କର୍ମଚାରୀଙ୍କୁ ଅଟକ ରଖି କଲିକତା ଚେନ୍ନାଇ 16 ନଂ ଜାତୀୟ ରାଜପଥକୁ ଗୟାବନ୍ଧ ଛକଠାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ରିପୋର୍ଟ; ଦେଶରେ ଆଗରେ ଓଡ଼ିଶା, ଦ୍ଵିତୀୟରେ ପଶ୍ଚିମବଙ୍ଗ - Human Elephant Conflict

ଘଟଣା ସ୍ଥଳରେ ପ୍ରଥମେ ଖୋର୍ଦ୍ଧା ବନ ଅଧିକାରୀ ପହଂଚିଥିବା ବେଳେ ଉତ୍ୟକ୍ତ ଲୋକ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଖବର ପାଇ ଖୋର୍ଦ୍ଧା ଉପଜିଲ୍ଲାପାଳ, ଟାଙ୍ଗୀ ଅତିରିକ୍ତ ତହସିଲଦାର ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସେହିପରି ଘଟଣାସ୍ଥଳରେ ଖୋର୍ଦ୍ଧା ବିଧାୟକ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ମୃତକଙ୍କୁ 6 ଲକ୍ଷ  କ୍ଷତି ପୂରଣ ପାଇଁ ପ୍ରତିଶୃତି ସହ ଜିଲ୍ଲା ରେଡ଼କ୍ରସ୍‌ ପାଣ୍ଠିରୁ 30 ହଜାର ଓ ବିଧାୟକ ବ୍ୟକ୍ତିଗତ ଭାବେ 20 ହଜାର ଟଙ୍କାର ସହାୟତା ସଙ୍ଗେ ସଙ୍ଗେ ପ୍ରଦାନ କରିଥିଲେ । ସେହିପରି ଗ୍ରାମର ଆଲୋକୀକରଣ, ରାସ୍ତାର ଉନ୍ନତିକରଣ ଓ ଗ୍ରାମକୁ ହାତୀ ନଆସିବା ପାଇଁ ବ୍ୟାରିକେଡ଼ ପାଇଁ ପ୍ରତିଶୃତି ଦେବାପରେ ରାତି 12ଟା 40 ମିନିଟ ସମୟରେ ରାସ୍ତାରୋକ ହଟିଥିବା ଜଣାପଡିଥିଲା । ରାସ୍ତାରୋକ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ଅଟକି ରହିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.