ରାୟଗଡା: ଆଜି ପବିତ୍ର ମହାଶିବରାତ୍ରୀ ପାଇଁ ସମସ୍ତ ଶୈବ ପୀଠ ଚଳଚଞ୍ଚଳ ଥିବା ବେଳେ ରାୟଗଡାରେ ଘଟିଯାଇଛି ଏକ ଅଘଟଣ । ଦେବଗିରି ପାହାଡ଼ ଉପରକୁ ଯିବାବେଳେ ପାହାଡ଼ ଉପରୁ ଖସି ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ସ୍ବେଚ୍ଛାସେବୀ, ସୁରକ୍ଷା ପାଇଁ ନିଯୋଜିତ ପୋଲିସ ତତକ୍ଷଣାତ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ ଯୁବକ ଜଣକ ହେଉଛନ୍ତି ଯୋଡ଼ା ଆମ୍ବ ଗାଁର ଶ୍ରୀକାନ୍ତ ଗୌଡ଼ । ସେ ତାଙ୍କ ପରିବାର ସହ ଆଜି ଭୋରରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଦେବଗିରୀ ଶୈବ ପୀଠକୁ ଶିବରାତ୍ରି ଅବସରରେ ଦର୍ଶନ କରିବାକୁ ଆସିଥିବା ସୂଚନା ମିଳିଛି । କଲ୍ୟାଣସିଂହପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି । ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ମହା ସମାରୋହରେ ଶିବରାତ୍ରୀ ପୂଜା କରାଯାଉଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧା ଭକ୍ତି ଓ ବିଶ୍ବାସର ସହିତ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଅନେକ ଗ୍ରାମରେ ନାମଯଜ୍ଞ ମାନ ଅନୁଷ୍ଠିତ ହେଉଅଛି । ନିଜ ପରିବାର ମଙ୍ଗଳ ମନାସିବା ସହ ବିଶ୍ଵର କଲ୍ୟାଣ ନିମିତ୍ତ ଶ୍ରଦ୍ଧାଳୁ ପୂଜାପାଠ କରୁଥିବା କହିଛନ୍ତି ।
ଏହା ମଧ୍ୟ ପଡ଼ନ୍ତୁ.... ଜାଗର ପାଇଁ ଚଳଚଞ୍ଚଳ ମୟୂରଭଞ୍ଜର ନସ୍କୋରିଆ ଶୈବ ପୀଠ, ଆଜିବି ଦୃଷ୍ଟି ଆଢୁଆଳରେ
ସେହିଭଳି ଆଜି ସକାଳୁ ରାୟଗଡା ଜିଲ୍ଲାର ବାଲୁଙ୍କେଶ୍ଵର ଶିବ ମନ୍ଦିର, ଗୁଦାରି ବ୍ଲକର ମିନାଝୋଲା ଠାରେ ଥିବା ତ୍ରିବେଣୀ କ୍ଷେତ୍ର ଶିବ ମନ୍ଦିର, ପାଇକପଡା ସ୍ଥିତ ପାତାଲେଶ୍ବର ଶିବ ମନ୍ଦିର, ପଦ୍ମପୁର ସ୍ଥିତ ବାବା ବାଦ୍ୟନାଥ ମନ୍ଦିର ଛତିକଣା ସ୍ଥିତ ଶିବ ମନ୍ଦିର , ସମେତ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ଶିବ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କର ମହାଦେବ ଦର୍ଶନ ପାଇଁ ସୁଅ ଛୁଟୁଛି । ଅନାଦି କାଳରୁ ମହାଦେବଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତମାନଙ୍କର ଆଶା ଓ ବିଶ୍ବାସ ରହିଅଛି। ଭକ୍ତ ମାନେ ଆଜି ଦିନ ତମାମ ଉପାସରେ ରହି ବ୍ରତ ପାଳନ କରୁଛନ୍ତି । ବିଭିନ୍ନ ଶିବ ପୀଠରେ ଭଜନ କୀର୍ତ୍ତନ ଓ ସତସଙ୍ଗ କାର୍ଯ୍ୟକ୍ରମ ସବୁ ଆୟୋଜିତ ହୋଇଛି । ରାୟଗଡା ସହର ସ୍ଥିତ ବାଲୁଙ୍କେଶ୍ଵର ମନ୍ଦିରରେ ଏବଂ ଦେବଗିରିରେ ଜାଗର ରହିବା ସହ ରାତ୍ରିରେ ମହାଦୀପ ଉଠିବା ପରେ ପ୍ରସାଦ ପାଇବାର ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ରାୟଗଡା